ଦୁବାଇ, ୧୧/୫: ଗୁରୁବାର ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତକୁ ଦ୍ବିତୀୟ ସ୍ଥାନରୁ ହଟାଇଛି ପାକିସ୍ତାନ। ନୂଆ ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆ ଏକ ନମ୍ବର ସ୍ଥାନ ଅକ୍ତିଆର କରିଥିଲା ବେଳେ ପାକିସ୍ତାନ ପଛକୁ ଭାରତ ତୃତୀୟରେ ରହିଛି। ଏକ ନମ୍ବର ସ୍ଥାନ ପାଇଥିବା ଅଷ୍ଟ୍ରେଲିଆଠୁ ଭାରତ ୫ ପଏଣ୍ଟ ପଛରେ ରହିଛି। ବାର୍ଷିକ ଅପ୍ଡେଟ୍ ପରେ ୫ ଥରର ବିଶ୍ବ ବିଜେତା ଅଷ୍ଟ୍ରେଲିଆର ରେଟିଂ ପଏଣ୍ଟ ୧୧୩ରୁ ୧୧୮ରେ ପହଞ୍ଚିଥିଲା। ଫଳରେ ଏହି ଦଳ ପାକିସ୍ତାନ (୧୧୬) ଓ ଭାରତ (୧୧୩)ଠୁ ସାମାନ୍ୟ ଆଗରେ ରହି ଶୀର୍ଷ ସ୍ଥାନ ଦଖଲ କରିଥିଲା। ଆଇସିସି ବିଜ୍ଞପ୍ତି ଅନୁଯାୟୀ ବାର୍ଷିକ ଅପ୍ଡେଟ୍ ପୂର୍ବରୁ ଅଷ୍ଟ୍ରେଲିଆ (୧୧୩ ପଏଣ୍ଟ) ଶୀର୍ଷରେ ରହିଥିଲା ବେଳେ ଭାରତ (୧୧୩) ଡିସିମିଲ୍ ପଏଣ୍ଟ ପଛରେ ପଡ଼ି ଦ୍ବିତୀୟରେ ରହିଥିଲା। ପାକିସ୍ତାନ (୧୧୨) ତୃତୀୟରେ ରହିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ଜିତିବା ପରେ ପାକିସ୍ତାନ ଶୀର୍ଷରେ ପହଞ୍ଚିଥିଲା। ଯଦି ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ୫-୦ରେ ପୋଛି ନେଇଥିଲେ ପାକିସ୍ତାନ ଶୀର୍ଷ ସ୍ଥାନ ବଜାୟ ରଖିପାରିଥା’ନ୍ତା। ଏବେ ଏହି ୩ ଦଳ ପଛକୁ ନ୍ୟୁଜିଲାଣ୍ଡ (୧୦୪) ଚତୁର୍ଥ, ଇଂଲଣ୍ଡ (୧୦୧) ପଞ୍ଚମରେ ରହିଛନ୍ତି। ଏମାନଙ୍କ ପଛକୁ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ ଯଥାକ୍ରମେ ଷଷ୍ଠରୁ ଦଶମ ସ୍ଥାନ ମଣ୍ଡନ କରିିଛନ୍ତି।
ଆଇସିସି ଦିନିକିଆ ମାନ୍ୟତା: ଅଷ୍ଟ୍ରେଲିଆ ଏକ ନମ୍ବର
ଭାରତକୁ ଦ୍ବିତୀୟରୁ ହଟାଇଲା ପାକିସ୍ତାନ
/sambad/media/post_attachments/wp-content/uploads/2021/11/FEKTAf3VkAASKEU.jpg)