ଦୁବାଇ: ବାଂଲାଦେଶ ଅଲରାଉଣ୍ଡର ସାକିବ୍ ଅଲ୍‌ ହାସନ ଓ ରୁଆଣ୍ଡା ମହିଳା ଖେଳାଳି ହେନରିଟ୍‌ ଇସିମୱିଙ୍କୁ ମାର୍ଚ୍ଚ ମାସ ପାଇଁ ଆଇସିସିର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଛି। ୨୦୨୧ ଜୁଲାଇ ପରେ ସାକିବ୍‌ ଦ୍ବିତୀୟ ଥର ପାଇଁ ଏହି ପୁରସ୍କାର ପାଇଛନ୍ତି। ନିକଟରେ ଇଂଲଣ୍ଡ ବିପକ୍ଷରେ ବାଂଲାଦେଶର ୩-୦ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟରେ ସାକିବ୍‌ ଚମତ୍କାର ପ୍ରଦର୍ଶନ ଦେଇଥିଲେ। ସେହିପରି ଦିନିକିଆ ଶୃଙ୍ଖଳାରେ ସେ ୧୪୧ ରନ୍‌ ସଂଗ୍ରହ କରିବା ସହ ଉଭୟ ଫର୍ମାଟ୍‌ରେ ୯ ୱିକେଟ୍‌ ଅକ୍ତିଆର କରିଥିଲେ। ପୁଣି ଆୟର୍ଲାଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ବିଜୟରେ ସାକିବ୍‌ଙ୍କୁ ୫ ୱିକେଟ୍‌ ମହତ୍ବପୂର୍ଣ୍ଣ ରହିଥିଲା।

Advertisment

ଅନ୍ୟପକ୍ଷରେ ରୁଆଣ୍ଡାର ୧୯ ବର୍ଷିୟ ଇସିମୱି ଜିମ୍ବାୱେ ବିପକ୍ଷ ବିଜୟରେ ବଡ଼ ଭୂମିକା ନେଇଥିଲେ। ମାତ୍ର ୪ ବଲ୍‌ରୁ ୪ ୱିକେଟ୍‌ ନେଇ ସେ ଚର୍ଚ୍ଚାରେ ରହିଥିଲେ। ସେହିପରି ଗତମାସରେ ନାଇଜେରିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଇସିମୱି ୯୨ ରନ୍‌ କରିବା ସହ ୯ ୱିକେଟ୍‌ ଅକ୍ତିଆର କରିଥିଲେ। ଏହାମଧ୍ୟରେ ଗୋଟିଏ ହ୍ୟାଟ୍ରିକ୍‌ ମଧ୍ୟ ସାମିଲ ଥିଲା। ତାଙ୍କୁ ଏହି ପୁରସ୍କାର ମିଳିବା ଦ୍ବାରା ଆଇସିସିର ସହଯୋଗୀ ସଦସ୍ୟଙ୍କ ମଧ୍ୟରୁ ଦ୍ବିତୀୟ ମହିଳା ଖେଳାଳି ଭାବେ ଉକ୍ତ ପୁରସ୍କାର ହାସଲ କରିଛନ୍ତି।