ଆଇସିସିର ନୂଆ ନିୟମ : କ୍ରିକେଟ୍ ବଲରେ ଲାଳ ଘସିବା ନିଷିଦ୍ଧ

ମୁମ୍ବାଇ : ଆସନ୍ତା ମାସରୁ ଟି-୨୦ ବିଶ୍ବକପ କ୍ରିକେଟ୍ ଆରମ୍ଭ ହେଉଥିବାବେଳେ କ୍ରିକେଟ ନିୟମରେ କେତେକ ପରିବର୍ତ୍ତନ ଅଣାଯାଇଛି । ଏସବୁ ପରିବର୍ତ୍ତନକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଅନୁମୋଦନ କରାଯାଇଛି ।

ସବୁଠାରୁ ଚର୍ଚ୍ଚିତ ସଂଶୋଧନ ଆସିଛି କ୍ରିକେଟ ବଲରେ ଲାଳ ଘସି ସାଇନିଂ କରିବାକୁ ନେଇ । ଏଣିକି କ୍ରିକେଟ ବଲରେ ଲାଳ ଘସିବା ନିଷିଦ୍ଧ କରାଯାଇଛି । କରୋନା ମହାମାରୀ ପାଇଁ ଗତ ୨ ବର୍ଷ ହେଲା ଏହି ନିୟମକୁ ଅସ୍ଥାୟୀ ଭାବେ ଲାଗୁ କରାଯାଇଥିଲା । ଏବେ ତାହାକୁ ସ୍ଥାୟୀ କରିଦିଆଯାଇଛି । ଗତ ମାର୍ଚ୍ଚ ମାସରେ ମେଲବୋର୍ଣ୍ଣ କ୍ରିକେଟ କ୍ଲବ (ଏମସିସି) ବଲରେ ଲାଳ ଘସିବାକୁ ନିଷିଦ୍ଧ କରିଥିଲା । ଏମସିସିର ନୂଆ କୋଡ ଅଫ ଦି ଲ’ ଅଫ କ୍ରିକେଟ୍ ( କ୍ରିକେଟ୍ ନିୟମ ସହିଂତା)କୁ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଥିବା ଆଇସିସି ପୁରୁଷ କ୍ରିକେଟ କମିଟି ଅନୁମୋଦନ କରିଛି ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିୟମରେ ସଂଶୋଧନ କରାଯାଇଛି । ତାହା ହେଉଛି ଜଣେ ବ୍ୟାଟ୍ସମ୍ୟାନ କ୍ୟାଚ୍ ଆଉଟ ହେଲେ ନୂଆ ବ୍ୟାଟ୍ସମ୍ୟାନ ଆଉଟ୍ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ସ୍ଥାନରେ ହିଁ ଖେଳିବେ । ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ କ୍ୟାଚ ଧରାଯିବା ପୂର୍ବରୁ ନିଜ ପାର୍ଟନରଙ୍କୁ ଅତିକ୍ରମ କରିଥିଲେ ବି ନୂଆ ବ୍ୟାଟ୍ସମ୍ୟାନ ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ସ୍ଥାନରେ ଖେଳିବେ ।

ଆଉ ଏକ ନୂଆ ନିୟମ ହେଉଛି ଟେଷ୍ଟ ଓ ଦିନିକିଆରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ନୂଆ ବ୍ୟାଟ୍ସମ୍ୟାନ ୨ ମିନିଟରେ କ୍ରିଜରେ ପହଞ୍ଚି ଷ୍ଟ୍ରାଇକ୍ ନେବେ । ପୂର୍ବରୁ ଏହି ସମୟ ୩ ମିନିଟ୍ ଥିଲା । ତେବେ ଟି-୨୦ରେ ଏହି ସମୟ ପୂର୍ବବତ୍ ୯୦ ସେକେଣ୍ଡ ରହିଛି ।

 

ସମ୍ବନ୍ଧିତ ଖବର