ଚଳିତ ବର୍ଷ ଟି-୨୦ ବିଶ୍ୱକପ କ୍ରିକେଟ ସ୍ଥଗିତ ରଖିବାକୁ ଆଇସିସିର ନିଷ୍ପତ୍ତି

ନୂଆଦିଲ୍ଲୀ : କରୋନା ମହାମାରୀ କାରଣରୁ ଆଇସିସି ଟି୨୦ ବିଶ୍ୱକପକୁ ସ୍ଥଗିତ ରଖାଯିବା ବିଷୟରେ ଘୋଷଣା କରିଛି । ଏହା ଫଳରେ ଆଇପିଏଲ ପାଇଁ ପଥ ପରିଷ୍କାର ହୋଇଥିବା ମନେକରାଯାଉଛି ।
ଆଜି ଭିଡିଓକନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ସ୍ଥିତିର ସମୀକ୍ଷା କରାଯିବା ସହ ଟି-୨୦ ବିଶ୍ୱକପକୁ ଚଳିତ ବର୍ଷ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏହି ବିଶ୍ୱକପ ଆସନ୍ତା ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ସ୍ଥିର ହୋଇଥିଲା । କିନ୍ତୁ କରୋନା ଭାଇରସ ମହାମାରୀ ସାରା ବିଶ୍ୱକୁ କବଳିତ କରିବା ପରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ଆଇସିସି ବୈଠକରେ ମତ ପ୍ରକାଶ ପାଇଥିଲା ।
ତେବେ ଏହି ବିଶ୍ୱକପକୁ ୨୦୨୧ କିମ୍ବା ୨୦୨୨ରେ ଆୟୋଜନ କରିବାକୁ ଆଇସିସି ବିଚାର କରୁଛି । ୨୦୨୧ରେ ହେଲେ ତାହାକୁ ଅକ୍ଟୋବର-ନଭେମ୍ବର ମାସରେ ଖେଳାଯାଇ ନଭେମ୍ବର ୧୪ରେ ଫାଇନାଲ ଖେଳିବାକୁ ପ୍ରସ୍ତାବ ଉପରେ ବିଚାର କରାଯାଉଛି । ସେହିପରି ୨୦୨୨ରେ ହେଲେ ତାହାକୁ ଅକ୍ଟୋବର-ନଭେମ୍ବରରେ ଖେଳାଯାଇ ୧୩ ନଭେମ୍ବରରେ ଫାଇନାଲ ରଖିବାକୁ ବିଚାର କରାଯାଉଛି । ତେବେ ପରବର୍ତ୍ତିକାଳରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ।
ଏପର୍ଯ୍ୟନ୍ତ ୬ଟି ଟି-୨୦ ବିଶ୍ୱକପ ଖେଳାଯାଇଛି । ଶେଷଥର ପାଇଁ ୨୦୧୬ରେ ଭାରତରେ ଏହା ଆୟୋଜିତ ହୋଇଥିଲା ଓ େଓ୍ଵଷ୍ଟଇଣ୍ଡିଜ ଚାମ୍ପିୟନ ହୋଇଥିଲା ।

ସମ୍ବନ୍ଧିତ ଖବର