ଦୁବାଇ: ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଆଇସିସି ଏକ ପ୍ରକାର ଦୁଇ ଫାଳ ହୋଇଛି। ପୂର୍ବରୁ ସହମତିରେ ଏହି ମହତ୍ବପୂର୍ଣ୍ଣ ପଦ ବଛାଯାଉଥିଲା ବେଳେ ଏଥର କିନ୍ତୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାର ସ୍ଥିତିରେ ରହିଛନ୍ତି। ନ୍ୟୁଜିଲାଣ୍ଡର ଗ୍ରେଗ୍ ବାର୍କଲେ ଓ ସିଙ୍ଗାପୁରର ଇମ୍ରାନ ଖୱାଜା ଏବେ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି। ଶେଷ ତାରିଖ (ଅକ୍ଟୋବର ୧୭) ସୁଦ୍ଧା ଏହି ଦୁଇ ଜଣ ହିଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାର୍କଲେଙ୍କୁ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଅନ୍ୟ କେତେକ ପୂର୍ଣ୍ଣକାଳୀନ ସଦସ୍ୟ ସମର୍ଥନ କରୁଛନ୍ତି। ଅନ୍ୟପକ୍ଷରେ ଖୱାଜାଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ ଆଇସିସିର ସ୍ବାଧୀନ ମହିଳା ନିର୍ଦ୍ଦେଶିକା ଇନ୍ଦ୍ରା ନୁଇଙ୍କ ସହ ଅନ୍ୟ କିଛି କ୍ରିକେଟ୍ ବୋର୍ଡର ଖୋଲା ସମର୍ଥନ ରହିଛି। ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ହେବା ଲାଗି ବାର୍କଲେଙ୍କୁ ନିଜ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ସମେତ ମୋଟ ୧୬ରୁ ୧୧ ଭୋଟ ଯୋଗାଡ଼ କରିବାକୁ ପଡ଼ିବ।
ଅନ୍ୟପକ୍ଷରେ ଖୱାଜା ମାତ୍ର ୬ ଭୋଟ ହାସଲ କରିପାରିଲେ ଆଇସିସି ଅଧ୍ୟକ୍ଷ ପଦ ବଜାୟ ରଖି ପାରିବେ। ମାତ୍ରାଧିକ ସରକାରୀ ହସ୍ତକ୍ଷେପ ଅଭିଯୋଗ ଆଣି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡକୁ ବାସନ୍ଦ ଧମକ ଦେଇଥିବାରୁ ଏହାର ପ୍ରଭାବ ବାର୍କଲେଙ୍କ ପ୍ରାର୍ଥୀପତ୍ର ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ସେପଟେ ଶଶାଙ୍କ ମନୋହର ଜୁଲାଇ ପହିଲାରେ ଇସ୍ତଫା ଦେବା ପରଠାରୁ ଖୱାଜା ଆଇସିସିର ଅନ୍ତରୀଣ ଅଧ୍ୟକ୍ଷ ପଦକ ତୁଲାଇ ଆସୁଛନ୍ତି। ଯାହା ତାଙ୍କ ସପକ୍ଷରେ ଯାଇପାରେ। ପୂର୍ବରୁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡର କଲିନ ଗ୍ରେଭ୍ସ ମଧ୍ୟ ଦୌଡ଼ରେ ରହିଥିଲେ। ହେଲେ ସମ୍ଭବତଃ ସେ ନିଜ ପାଇଁ ଆବଶ୍ୟକ ସମର୍ଥନ ଯୋଗାଡ଼ କରି ପାରି ନଥିଲେ। ଏପରିକି ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାଁ ମଧ୍ୟ ଆଇସିସି ଅଧ୍ୟକ୍ଷ ପଦ ପାଇଁ ଶୁଣାଯାଉଥିଲା। ଶେଷରେ କିନ୍ତୁ କେବଳ ବାର୍କଲେ ଓ ଖୱାଜା ସାମ୍ନା ସାମ୍ନି ହେବା ସ୍ପଷ୍ଟ ହୋଇଛି। ଡିସେମ୍ବରରେ ହେବାକୁ ଥିବା ଏହି ହାଇ ପ୍ରୋଫାଇଲ୍ ନିର୍ବାଚନରେ ଯଦି ଖୱାଜା ବିଜୟୀ ହୁଅନ୍ତି,ତାହାଲେ କୌଣସି ସହଯୋଗୀ ସଦସ୍ୟ ବୋର୍ଡର ପ୍ରତିନିଧି ଭାବେ ଆଇସିସି ଅଧ୍ୟକ୍ଷ ହେବାରେ ସେ ପ୍ରଥମ ବ୍ୟକ୍ତି ହେବେ।