ନୂଆଦିଲ୍ଲୀ: ୨୦୨୮ ଲସ୍ ଏଞ୍ଚେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍‌କୁ ସାମିଲ କରାଯିବା ସମ୍ଭାବନା ଉଜ୍ବଳ ହୋଇଛି। ଏଥିରେ କିନ୍ତୁ ୬ ଦଳୀୟ ଉଭୟ ପୁରୁଷ ଓ ମହିଳା ବର୍ଗର ପ୍ରତିଯୋଗିତା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସୁପାରିସ୍ କରିଛି। ତେବେ କ୍ରିକେଟ୍‌କୁ ସାମିଲ କରାଯିବ କି ନା ଚଳିତ ବର୍ଷ ଅକ୍ଟୋବର ମାସରେ ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି) ଚୂଡାନ୍ତ ନିଷ୍ପତ୍ତି ନେବ। ଗତ ବର୍ଷ ମାର୍ଚ୍ଚରେ ଏଲଏ୨୮ ଆୟୋଜନ ସମିତି ନୂଆ ଖେଳର ତାଲିକା ପ୍ରସ୍ତାବ ଦେଇଥିବା ବେଳେ କ୍ରିକେଟ୍‌ ସାମିଲ ଥିଲା। ଆଇସିସିର ପ୍ରସ୍ତାବ ଅକ୍ଟୋବର ଅଧିବେସନରେ ଅନୁମୋଦିତ ହେଲେ କ୍ରିକେଟ୍ ଖେଳାଯିବା ଭାଗ୍ୟ ଉଦୟ ହେବ। ଏହା ପରେ ଏକ ନିର୍ଦ୍ଧାରିତ ତାରିଖ ବେଳକୁ ଆଇସିସି ମାନ୍ୟତା ଭିତ୍ତିରେ ଶୀର୍ଷ ୬ ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବା ସ୍ପଷ୍ଟ ହେବ। ତଥାପି ଆଇସିସି ଏବେ ମଧ୍ୟ ଆୟୋଜନ ସମିତି ସହିତ କ୍ରିକେଟ୍‌ ପ୍ରତିଯୋଗିତାର ଖସଡା ନେଇ ଆଲୋଚନା ଜାରି ରଖିଛି। ପୂର୍ବରୁ ଆଇଓସି କହିଥିଲା ଦର୍ଶକଙ୍କ ଆଗ୍ରହକୁ ନଜରରେ ରଖି ଫର୍ମାଟକୁ ଗୁରୁତ୍ବ ଦିଆଯିବ। ଦିନିକିଆ ଅନ୍ତର୍ଜାତୀୟ ଏବଂ ଟି-୧୦ ଗ୍ରହଣୀୟ ହେବ ନାହିଁ ବୋଲି ଆଇଓସି କହିଥିଲା। ତେଣୁ ଟ୍ବେଣ୍ଟି-୨୦ ଫର୍ମାଟରେ ଦଳ ପଠାଇବାକୁ ଆଇସିସି ଯୋଜନା କରୁଛି।

Advertisment

ଖର୍ଚ୍ଚ କାଟକୁ ନଜରରେ ରଖି ପ୍ରତିଯୋଗିତାକୁ ୬ ଦଳୀୟ କରିବାକୁ ଯୋଜନା ହୋଇଛି। କାରଣ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ୧୧,୩୦୦ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ୨୦୨୪ ଏହାକୁ ହ୍ରାସ କରାଯାଇ ୧୦,୫୦୦ ରଖାଯାଇଛି। ୨୦୨୮ ବେଳକୁ ମଧ୍ୟ ଏହି ସଂଖ୍ୟାକୁ ସୀମିତ ରଖିବାକୁ ଆଇଓସି ପ୍ରସ୍ତାବ ରଖିଛି। ସେହିଭଳି ଖର୍ଚ୍ଚକାଟର ଅନ୍ୟତମ ପ୍ରୟାସରେ କ୍ରିକେଟ୍ ପ୍ରତିଯୋଗିତାକୁ ଗୋଟିଏ ନିର୍ଦ୍ଧାରିତ ଭେନ୍ୟୁରେ କରିବାକୁ ମଧ୍ୟ ଆଇଓସି କହୁଛି। ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କେବଳ ମହିଳା କ୍ରିକେଟ୍‌ ସାମିଲ କରାଯାଇଥିଲା। ଗୋଟିଏ ଭେନ୍ୟୁ ଏଜବାଷ୍ଟନ୍‌ରେ ୧୦ ଦିନ ଭିତରେ ସମସ୍ତ ୧୬ ମ୍ୟାଚ୍‌ ଖେଳାଯାଇଥିଲା। ଏବେ ଲସ୍ ଏଞ୍ଜେଲ୍ସରେ କ୍ରିକେଟ୍ ସହିତ ମୋଟ ୮ ଖେଳ-ବେସବଲ୍‌/ସଫ୍ଟବଲ୍‌, ଫ୍ଲାଗ ଫୁଟ୍‌ବଲ୍‌, ଲାକ୍ରୋଜ୍‌, ବ୍ରେକ୍ ଡ୍ୟାନ୍‌ସିଂ, କରାଟେ, କିକ୍ ବକ୍ସିଂ, ସ୍କ୍ବାସ୍ ଓ ମୋଟରସ୍ପୋର୍ଟ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୨୦୨୨ ଫେବ୍ରୁଆରିରେ ମୋଟ ୨୮ ଖେଳ ଚୂଡାନ୍ତ ହୋଇସାରିଥିବା ବେଳେ ଏଗୁଡିକ ମଧ୍ୟରୁ କିଛି ସାମିଲ ସମ୍ଭାବନା ରହିଛି। ଆଇଓସି ସବୁ ତଦାରଖ କରିବା ପରେ ଅକ୍ଟୋବରରେ ଚୂଡାନ୍ତ ନିଷ୍ପତ୍ତି ନେବ।

ଆଇସିସିର ଅଲିମ୍ପିକ୍ସ ଗ୍ରୁପ୍‌‌ରେ ଜୟ ସାହା
ବିସିସିଆଇ ସମ୍ପାଦକ ଜୟ ସାହାଙ୍କୁ ଆଇସିସିର ଅଲିମ୍ପିକ୍ସ କାର୍ଯ୍ୟକାରୀ ଗ୍ରୁପ୍‌ରେ ସାମିଲ କରାଯାଇଛି। ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ ହେବାକୁ ଯାଉଥିବା ବେଳେ ଜୟ ସାହାଙ୍କୁ ସାମିଲ କରାଯିବା ଏକ ଗୁରୁତ୍ବପୂର୍ଣ୍ଣ ଗୋଟି ଚାଳନା ବୋଲି ବିବେଚନା କରାଯାଉଛି। ଆଇସିସିର ଅର୍ଥ ଓ ବାଣିଜ୍ୟ ବ୍ୟାପାର ସମିତି ଅଧ୍ୟକ୍ଷ ଥିବା ଜୟ ସାହାଙ୍କୁ ସାମିଲ କରାଯିବା ପଛରେ ବିଶେଷ କାରଣ ରହିଛି। ଭବିଷ୍ୟତରେ ଭାରତ ଅଲିମ୍ପିକ୍ସ ଆୟୋଜନ କରିବାକୁ ଅଗ୍ରହୀ ଥିବାବେଳେ ଏହି ଦେଶ ମଧ୍ୟ ପ୍ରମୁଖ ବଜାର ଭାବେ ବିବେଚନା କରାଯାଉଛି। ସେହି ଦୃଷ୍ଟିରୁ ଆଇସିସି ସାହାଙ୍କୁ ସାମିଲ କରିବା ସହ କ୍ରିକେଟ୍‌କୁ ଅଲିମ୍ପିକ୍ସରେ ସାମିଲ ଦିଗରେ ମଧ୍ୟ ଆଉ ଏକ ପ୍ରଭାବୀ ପଦକ୍ଷେପ ନେଇଛି।