ଆଇସିସି ଟେଷ୍ଟ୍‌ ମାନ୍ୟତା: କୋହଲି ଶୀର୍ଷରେ ସ୍ଥିର, ପୂଜାରା ବି ତୃତୀୟ

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେ‌ଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାର ଶୀର୍ଷ ସ୍ଥାନରେ ସ୍ଥିର ରହିଛନ୍ତି। ତାଙ୍କ ସହିତ ଚେତେଶ୍ବର ପୂଜାରା ମଧ୍ୟ ତୃତୀୟ ସ୍ଥାନରେ ଅପରିବର୍ତିତ ଅଛନ୍ତି। କୋହଲି ପଏଣ୍ଟ୍‌ ସଂଖ୍ୟା ୯୯୨ ରହିଥିଲା ବେଳେ ୮୯୭ ପଏଣ୍ଟ୍‌ ସହ ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଦ୍ବିତୀୟ ସ୍ଥାନରେ ଅଛନ୍ତି। ପୂଜାରାଙ୍କ ପଏଣ୍ଟ୍‌ ସଂଖ୍ୟା ୮୮୧ ରହିଛି। ତେବେ କୋହଲି ଓ ପୂଜାରାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଶୀର୍ଷ-୧୦ ମଧ୍ୟରେ ସ୍ଥାନ ପାଇନାହାନ୍ତି। ରବିବାର ସାନି ପ୍ରକାଶିତ ଏହି ତାଲିକାରେ ଶନିବାର ଏକ ଅବିଶ୍ବସନୀୟ ଶତକୀୟ ପାଳି ଖେଳି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରୀଲଙ୍କାକୁ ଟେଷ୍ଟ୍‌ ବିଜୟ ଭେଟି ଦେଇଥିବା କୁସାଲ ପେରେରା ୫୮ ସ୍ଥାନ ଲମ୍ଫ ଦେବା ଉଲ୍ଲେଖନୀୟ ରହିଛି। ବାମହାତୀ ପେରେରା ଏତେ ବଡ଼ ଲମ୍ଫ ଦେଇ ଜୀବନର ସର୍ବଶ୍ରେଷ୍ଠ ମାନ୍ୟତା ୪୦ରେ ପହଞ୍ଚିଛନ୍ତି।

ବୋଲରଙ୍କ ମାନ୍ୟତା ତାଲିକାରେ ଦକ୍ଷିଣ ଆଫ୍ରିକାର କାଗିସୋ ରବାଦାଙ୍କୁ ପଛକୁ ଠେଲି ଦେଇ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି। ଏଥି ସହିତ ୨୦୦୬ ପରେ ତଥା ଗ୍ଲେନ୍‌ ମ୍ୟାକ୍‌ଗ୍ରାଙ୍କ ପରେ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିବାରେ କମିନ୍‌ସ ପ୍ରଥମ ଅଷ୍ଟ୍ରେଲୀୟ ହୋଇଛନ୍ତି। କମିନ୍‌ସଙ୍କ ସହିତ ଇଂଲଣ୍ଡ ଦ୍ରୁତ ବୋଲର ଜିମ୍ମି ଆଣ୍ଡରସନ୍‌ ଓ ରବାଦା ପ୍ରଥମ ତିନି ସ୍ଥାନରେ ରହିଛନ୍ତି। ଭାରତୀୟ ସ୍ପିନର ରବୀନ୍ଦ୍ର ଜାଦେଜା (୭୯୪ ପଏଣ୍ଟ୍‌) ବୋଲରଙ୍କ ତାଲିକାରେ ପଞ୍ଚମ ସ୍ଥାନ ପାଇଥିଲା ବେଳେ ସେ ମଧ୍ୟ ଅଲ୍‌ରାଉଣ୍ଡ୍‌ର ମାନ୍ୟତା ତାଲିକାରେ ୱେଷ୍ଟଇଣ୍ଡିଜ୍‌ର ଜାସନ୍‌ ହୋଲ୍‌ଡର ଓ ବାଂଲାଦେଶର ସାକିବ୍‌ ଅଲ୍‌ ହାସନ୍‌ଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର