ବିରାଟଙ୍କ ନିକଟତର ରୋହିତ, ଆଇସିସି ଦିନିକିଆ ମାନ୍ୟତା

ଦୁବାଇ: ଆଇସିସି ଦିନିକିଆ ମାନ୍ୟତା ତାଲିକାର ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ହେଲେ ଏହି ସ୍ଥାନ ଏବେ ତାଙ୍କ ପାଇଁ ସଂକଟରେ ପଡ଼ିଯାଇଛି। କାରଣ ଚଳିତ ବିଶ୍ବକପ୍‌ରେ ୫ ଶତକ ସହାୟତା‌ରେ ୬୪୭ ରନ୍‌ କରିସାରିଥିବା ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା ଶୀର୍ଷ ସ୍ଥାନ କୋହଲିଙ୍କଠୁ ଛଡ଼ାଇ ନେବାର ଆଶଙ୍କା ସୃଷ୍ଟି ହୋଇଛି। କୋହଲି ସର୍ବାଧିକ ୮୯୧ ପଏଣ୍ଟ୍‌ ସହ ଶୀର୍ଷରେ ରହିଥିଲା ବେଳେ ରୋହିତଙ୍କ ପଏଣ୍ଟ ସଂଖ୍ୟା ୮୮୫ରେ ପହଞ୍ଚିଯାଇଛି। ରୋହିତ ମଧ୍ୟ ଦିନିକିଆ ମାନ୍ୟତାର ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଛନ୍ତି। ଉଭୟଙ୍କ ମଧ୍ୟରେ ବ୍ୟବଧାନ ମାତ୍ର ୬ ରହିଥିବାରୁ ବିଶ୍ବକପ୍‌ ସେମିଫାଇନାଲ୍‌ ପ୍ରଦର୍ଶନ ସ୍ଥିତି ବଦଳାଇ ଦେଇପାରେ ବୋଲି କୁହାଯାଇଛି। ବିଶ୍ବକପ୍‌ ପୂର୍ବରୁ କୋହଲି ଓ ରୋହିତଙ୍କ ମଧ୍ୟରେ ପଏଣ୍ଟ ବ୍ୟବଧାନ ୫୧ ଥିଲା। ଅବଶ୍ୟ ଚଳିତ ବିଶ୍ବକପରେ କୋହଲି ମଧ୍ୟ ୫ ଅର୍ଧଶତକ ସହାୟତାରେ ୪୪୨ ରନ୍‌ କରିସାରିଛନ୍ତି। ପାକିସ୍ତାନର ବାବର ଆଜମ୍‌ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲା ବେଳେ ଅଷ୍ଟ୍ରେଲିଆର ଡେଭିଡ୍‌ ୱର୍ନର (ଷଷ୍ଠ) ଶୀର୍ଷ-୧୦ ମଧ୍ୟକୁ ପ୍ରବେଶ କରିଛନ୍ତି। ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ (ଅଷ୍ଟମ) ମଧ୍ୟ ଶୀର୍ଷ-୧୦ରେ ସାମିଲ ହୋଇଥିଲା ବେଳେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ (ଚତୁର୍ଥ), ନ୍ୟୁଜିଲାଣ୍ଡ୍‌ର ରସ୍‌ ଟେଲର (ପଞ୍ଚମ), ଇଂଲଣ୍ଡର ଜୋ ରୁଟ୍‌ (ସପ୍ତମ), ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ ଡି’କକ୍‌ (ନବମ) ଓ ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ (ଦଶମ) ଶୀର୍ଷ-୧୦ରେ ସ୍ଥାନ ଅକ୍ତିଆର କରିଛନ୍ତି।

ବୋଲରଙ୍କ ମାନ୍ୟତା ତାଲିକାରେ ଭାରତର ଯଶ୍‌ପ୍ରୀତ୍‌ ବୁମ୍‌ରା (୮୧୪ ପଏଣ୍ଟ୍‌) ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଥିଲା ବେଳେ ନ୍ୟୁଜିଲାଣ୍ଡ୍‌ର ଟ୍ରେଷ୍ଟ୍‌ ବୋଲ୍‌ଟ (୭୫୮) ଦ୍ବିତୀୟ ସ୍ଥାନରେ ରହିଛନ୍ତି। ହେଲେ ଦୁହିଁଙ୍କ ମଧ୍ୟରେ ପଏଣ୍ଟ ବ୍ୟବଧାନ ୫୬ ହୋଇଛି। ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍ସ ୩ ସ୍ଥାନ ଲମ୍ଫ ଦେଇ ତୃତୀୟ ସ୍ଥାନ ପାଇଥିଲା ବେଳେ ଦକ୍ଷିଣ ଆଫ୍ରିକାର କାଗିସୋ ରବାଦା (ଚତୁର୍ଥ) ଓ ଇମ୍ରାନ୍‌ ତାହିର (ପଞ୍ଚମ) ନିଜ ନିଜ ମଧ୍ୟରେ ସ୍ଥାନ ଅଦଳବଦଳ କରିଛନ୍ତି। ଆଫ୍‌ଗାନିସ୍ତାନର ମୁଜୀବ ଉର୍‌ ରହମନ୍‌ ଓ ରସିଦ୍‌ ଖାନ୍‌ ଯଥାକ୍ରମେ ଷଷ୍ଠ ଓ ନବମ ସ୍ଥାନରେ ରହିଥିଲା ବେଳେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ସପ୍ତମ, ଭାରତୀୟ ସ୍ପିନର କୁଲ୍‌ଦୀପ୍‌ ଯାଦବ ଅଷ୍ଟମ ଏବଂ ନ୍ୟୁଜିଲାଣ୍ଡ୍‌ର ଲୋକି ଫର୍ଗୁସନ୍‌ ଦଶମ ସ୍ଥାନ ପାଇଛନ୍ତି। ଅଲ୍‌ରାଉଣ୍ଡର ମାନ୍ୟତାରେ ବାଂଲାଦେଶର ସକିବ୍‌ ଅଲ୍‌ ହାସନ୍‌ ଶୀର୍ଷ ସ୍ଥାନରେ ଅପରିବର୍ତିତ ରହିଥିଲା ବେଳେ କୌଣସି ଭାରତୀୟ ଶୀର୍ଷ-୧୦ରେ ସ୍ଥାନ ପାଇନାହାନ୍ତି। ଦଳଗତ ମାନ୍ୟତା ତାଲିକାରେ ଉଭୟ ଇଂଲଣ୍ଡ ଓ ଭାରତ ସମାନ ୧୨୩ ପଏଣ୍ଟ୍‌ରେ ରହିଥିଲା ବେଳେ ଡେସିମଲ୍‌ ପଏଣ୍ଟ୍‌ ଭିତ୍ତିରେ ଇଂଲଣ୍ଡ ଶୀର୍ଷରେ ରହିଛି।

ସମ୍ବନ୍ଧିତ ଖବର