ଆଇସିସି ଟି-୨୦ ମାନ୍ୟତା : ତୃତୀୟରେ ରାହୁଲ, ୬ଷ୍ଠରେ ବିରାଟ

ଦୁବାଇ : ଆଇସିସି ପକ୍ଷରୁ ଟି-୨୦ ମାନ୍ୟତା ପ୍ରକାଶ ପାଇଛି ।   ବ୍ୟାଟିଂ ମାନ୍ୟତା ତାଲିକାର ପ୍ରଥମ ୧୦ଟି ସ୍ଥାନରେ ଦୁଇଜଣ ଭାରତୀୟ ବ୍ୟାଟ୍ସମ୍ୟାନ – କେ.ଏଲ.ରାହୁଲ ଓ ବିରାଟ କୋହଲି ଅଛନ୍ତି । ତେବେ ବୋଲିଂ ତାଲିକାର ପ୍ରଥମ ୧୦ ଜଣଙ୍କ ମଧ୍ୟରେ କୌଣସି ଭାରତୀୟ ବୋଲର ନାହାନ୍ତି ।

ଇଂଲାଣ୍ଡର ବ୍ୟାଟ୍ସମ୍ୟାନ ଦାଓ୍ବିଦ ମଲାନ ବିଶ୍ବର ୧ ନଂ ବ୍ୟାଟ୍ସମ୍ୟାନର ମାନ୍ୟତା ପାଇଛନ୍ତି । ୨ୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍ ଓ ୩ୟ ସ୍ଥାନରେ ଅଛନ୍ତି ଭାରତର କେ.ଏଲ.ରାହୁଲ । ସେ ଗୋଟିଏ ପାହାଚ ତଳକୁ ଖସି ଏହି ସ୍ଥାନରେ ପହଞ୍ଚିଛନ୍ତି । ୪ର୍ଥ ସ୍ଥାନରେ ପାକିସ୍ତାନର ବାବର ଆଜମ ଅଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଲିକାର ୬ଷ୍ଠ ସ୍ଥାନରେ ଅଛନ୍ତି । ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ମାର୍ଟିନ ଗପ୍ଟିଲ ୩ଟି ପାହାଚ ଉପରକୁ ଚଢି ୮ମ ସ୍ଥାନରେ ପହଞ୍ଚିଛନ୍ତି ।

ଅନ୍ୟପକ୍ଷରେ ଆଫଗାନିସ୍ତାନର ରସିଦ ଖାଁ ବିଶ୍ବର ୧ନଂ ଟି-୨୦ ବୋଲର ମାନ୍ୟତା ପାଇଛନ୍ତି । ୨ୟ ସ୍ଥାନରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ତବରେଜ୍ ସାମସି  ଓ ୩ୟରେ ଆଫଗାନିସ୍ତାନର ମୁଜିବୁର ରେହମାନ ଅଛନ୍ତି । ୪ର୍ଥରେ ଅଷ୍ଟ୍ରେଲିଆର ଆଷ୍ଟନ ଆଗର ଅଛନ୍ତି । ସେ ୪ଟି ପାହାଚ ଉପରକୁ ଉଠିଛନ୍ତି । ଆଇସିସି ଦ୍ବାରା ପ୍ରକାଶିତ ଏହି ତାଲିକାରେ ଇଂଲଣ୍ଡର ଆଦିଲ ରସିଦ ୫ମ ସ୍ଥାନରେ ଅଛନ୍ତି । ତେବେ ପ୍ରଥମ ୧୦ଟି ସ୍ଥାନରେ କୌଣସି ଭାରତୀୟ ବୋଲର ନାହାନ୍ତି ।

ସମ୍ବନ୍ଧିତ ଖବର