ଦୁବାଇ: ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଭାରତୀୟ ଖେଳାଳିଙ୍କ ଦବ୍ଦବା ଦେଖିବାକୁ ମିଳିଛି। ଯୁବ ତାରକା ଶୁବମନ ଗିଲ୍ ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ମଜଭୁତ କରିଥିଲା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିବା ଅଧିନାୟକ ରୋହିତ ଶର୍ମା ଦୁଇଟି ସ୍ଥାନ ଉପରକୁ ଉଠି ଦ୍ବିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହି ୮ଦଳିଆ ତଥା ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ମୋଟ ୨୧୮ ରନ୍ ଅମଳ କରିଥିବା ଭାରତୀୟ କ୍ରିକେଟ୍ର କିଂବଦନ୍ତି ପୁରୁଷ ବିରାଟ କୋହଲି ପଞ୍ଚମ ସ୍ଥାନରେ ରହିଛନ୍ତି। ଆଇସିସି ଦିନିକିଆ ମାନ୍ୟତାର ଶ୍ରେଷ୍ଠ ୫ରେ ୩ଜଣ ଭାରତୀୟ ଖେଳାଳି ରହିବା ଭାରତୀୟ ଦଳର ବ୍ୟାଟିଂ ଗଭୀରତାକୁ ମଧ୍ୟ ଦର୍ଶାଉଛି।
ଫାଇନାଲ୍ରେ ଭାରତଠାରୁ ୪ ୱିକେଟ୍ରେ ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଥିବା ନ୍ୟୁଜିଲାଣ୍ଡର ଶୀର୍ଷ ୩ ବ୍ୟାଟର୍ ମଧ୍ୟ ଉଲ୍ଲେଖନୀୟ ଉନ୍ନତି କରିଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ଲଗାତାର ସ୍ଥିର ପ୍ରଦର୍ଶନ ଦେଇଥିବା କିୱି ଦଳର ଯୁବ ଓପନର୍ ତଥା ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର ସବୁଠୁ ବଡ଼ ଫାଇଦାରେ ରହିଛନ୍ତି। ସେ ଏକାଥରକେ ୧୪ଟି ସ୍ଥାନ ଉପରକୁ ଲମ୍ଫ ମାରି ଚର୍ତୁଦଶ ସ୍ଥାନ ଅଧିକାର କରିଛନ୍ତି। ଡାରିଲ ମିଚେଲ ଗୋଟିଏ ସ୍ଥାନ ଉପରକୁ ଉଠି ଷଷ୍ଠ ଏବଂ ଗ୍ଲେନ୍ ଫିଲିପ୍ସ ୬ଟି ସ୍ଥାନ ଉପରକୁ ଉଠି ଶୀର୍ଷ ୨୫କୁ ଫେରିଛନ୍ତି। ବୁଧବାର ପ୍ରକାଶିତ ତାଲିକାର ସେ ୨୪ତମ ସ୍ଥାନରେ ରହିଛନ୍ତି। ଏକଦିବସୀୟ ବୋଲର୍ଙ୍କ ମାନ୍ୟତାରେ ସବୁଠୁ ବେଶି ଲାଭ ନ୍ୟୁଜିଲାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର୍ଙ୍କୁ ମିଳିଛି। ଫାଇନାଲ୍ରେ ଦୁଇଟି ୱିକେଟ୍ ସହ ଚାମ୍ପିଅନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ୯ ୱିକେଟ୍ କରାୟତ୍ତ କରିଥିବା ସାଣ୍ଟନର୍ ସେହି ୬ସ୍ଥାନ ଆଗକୁ ବଢ଼ି ଶ୍ରୀଲଙ୍କାର ମହେଶ ତୀକ୍ଷଣାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଅଛନ୍ତି। ମାଇକେଲ୍ ବ୍ରେସୱେଲ ଅଷ୍ଟାଦଶ ସ୍ଥାନ ଅଧିକାର କରିଛନ୍ତି। ସେ ୧୦ସ୍ଥାନ ଫାଇଦାରେ ରହିଛନ୍ତି। ଭାରତୀୟ ସ୍ପିନ୍ ଯୋଡ଼ି କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଶ୍ରେଷ୍ଠ ୧୦ରେ ନିଜନିଜ ଉପସ୍ଥିତି ଜାହିର କରିଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ୭ ୱିକେଟ୍ ନେଇଥିବା କୁଲଦୀପ ତୃତୀୟ ଏବଂ ଜାଡ଼େଜା ଦଶମ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର୍ ମାନ୍ୟତାରେ ଆଫଗାନିସ୍ତାନର ଅଜମ୍ତୁଲ୍ଲା ଓମରଜାଇ ପୂର୍ବ ଭଳି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ ସାଣ୍ଟନର୍ ଚତୁର୍ଥ, ବ୍ରେସୱେଲ୍ ସପ୍ତମ ଓ ରାଚିନ ରବୀନ୍ଦ୍ର ଅଷ୍ଟମ ସ୍ଥାନରେ ରହି ତାଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି।
ଗିଲ୍ ଫେବ୍ରୁଆରିର ଶ୍ରେଷ୍ଠ ଖେଳାଳି
ଭାରତୀୟ ଦିନିକିଆ ଦଳର ଉପଅଧିନାୟକ ଶୁବମନ ଗିଲ୍ ନିଜ ଗୌରବମୟ କ୍ରିକେଟ୍ ଜୀବନରେ ସଫଳତାର ଆଉ ଏକ ଅଧ୍ୟାୟ ଯୋଡ଼ିଛନ୍ତି। ଫେବ୍ରୁଆରି ମାସ ପାଇଁ ସେ ଆଇସିସିର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଛନ୍ତି। ଗିଲ୍ ଏହିକ୍ରମରେ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଏବଂ ନ୍ୟୁଜିଲାଣ୍ଡର ଗ୍ଲେନ୍ ଫିଲିପ୍ସଙ୍କୁ ପଛରେ ପକାଇଛନ୍ତି। ଫେବ୍ରୁଆରି ମାସରେ ସେ ୫ ଦିନିକିଆ ଖେଳି ୧୦୧.୫୦ ହାରରେ ୪୦୬ ରନ୍ କରିଥିଲେ। ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାକୁ ଭାରତ ୩-୦ରେ ଜିତି ନେଇଥିଲା। ନାଗପୁରରେ ୮୭ ରନ୍ର ପାଳି ଖେଳିବା ପରେ କଟକରେ ୬୦ ଏବଂ ଅହମଦାବାଦରେ ୧୦୨ ବଲ୍ରୁ ୧୧୨ ରନ୍ କରିଥିଲେ ସେ। ସେଥିପାଇଁ ସେହି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ସହ ଇଂଲଣ୍ଡ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ଆଉ ୫-୬ ଆଇସିସି ଟ୍ରଫି ଦରକାର: ପାଣ୍ଡ୍ୟା
/sambad/media/media_files/2025/03/13/5w4C5rcFxQsiLVxFTLBL.jpg)
ଟ୍ବେଣ୍ଟି-୨୦ ବିଶ୍ବକପ୍ ଓ ଚାମ୍ପିଅନ୍ସ ଟ୍ରଫି ବିଜୟୀ ଦଳର ସଦସ୍ୟ ରହିସାରିଥିଲେ ମଧ୍ୟ ଭାରତୀୟ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟାଙ୍କ ଆଇସିସି ଟ୍ରଫି ଜିତିବା ଭୋକ ମରିନି। ବରଂ ପୂର୍ବାପେକ୍ଷା ଏହା ଆହୁରି ବଢ଼ି ଯାଇଛି। ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଜିତି ସ୍ବଦେଶ ଫେରିବା ପରେ ଦେଇଥିବା ପ୍ରଥମ ସାକ୍ଷାତକାରରେ ପାଣ୍ଡ୍ୟା ଏଭଳି କଥା କହିଛନ୍ତି। ‘‘୨୦୧୭ରୁ କିଛି ଅଧୁରା କାମ ବାକି ରହିଥିଲା। ସେଥର ମୁଁ ମ୍ୟାଚ୍ ଫିନିସ୍ କରି ପାରି ନଥିଲି। ଏଥର ସେହି ଲକ୍ଷ୍ୟ ପୂରଣ ହୋଇପାରି ଥିବାରୁ ବହୁତ ଖୁସି ଲାଗୁଛି। ହେଲେ ଆହୁରି ୫ରୁ ୬ଟି ଆଇସିସି ଟ୍ରଫି ଜିତିବାର ଆଶା ଓ ଇଚ୍ଛା ମୋର ରହିଛି। ୨୦୨୬ରେ ଘରୋଇ ପରିବେଶରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜିତ ହେବାକୁ ଥିବାରୁ ଏହାକୁ ଜିତିବାକୁ ଆମେ ଆପ୍ରାଣ ଉଦ୍ୟମ କରିବୁ। ଭାରତ ଯେମିତି ବିଜେତା ହେବ, ସେ ଦିଗରେ ବ୍ୟକ୍ତିଗତ ଭାବେ ମୋର ବଳିଷ୍ଠ ଯୋଗଦାନ ଦେବାକୁ ମୁଁ ନିଶ୍ଚିତ ଚାହିବି’’ ବୋଲି ମତ ଦେଇଛନ୍ତି ପାଣ୍ଡ୍ୟା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/13/8IlVQ7V3S2l9HvvdfFVq.jpg)