ନୂଆଦିଲ୍ଲୀ: କ୍ରିକେଟ ଅଷ୍ଟ୍ରେଲିଆକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବଡ଼ ଝଟକା ଦେଇଛି। ଆଇସିସି ମଙ୍ଗଳବାର କହିଛି, ‘ଆଇସିସି ପିଚ୍ ଓ ଆଉଟଫିଲ୍ଡ ମନିଟରିଙ୍ଗ ପ୍ରକ୍ରିୟା ହିସାବରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡର ପିଚ୍ ବହୁତ ଦୟନୀୟ ପରିସ୍ଥିତିରେ ପହଞ୍ଚିଛି।’ ଏହି ପିଚ୍ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଏସେଜ୍ ଶୃଙ୍ଖଳାର ୪ର୍ଥ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା।
ଏ ସମ୍ପର୍କରେ ଆଇସିସି ମ୍ୟାଚ୍ ରେଫରି ରଞ୍ଜନ ମୁଦୁଗଲେ ନିଜ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟରେ ଆଇସିସି ମ୍ୟାଚର ଅଧିକାରୀମାନେ ମେଲବୋର୍ଣ୍ଣ କ୍ରିକେଟ ପଡ଼ିଆର ପିଚ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କାରଣ ଏଥିରେ ଖେଳାଯାଇଥିବା ୪ର୍ଥ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୩୨୭ ରନ୍ ସଂଗ୍ରହ କରିଥିଲା ଓ ୨ୟ ପାଳି ୨୬୩ ରନ୍ରେ ଘୋଷଣା କରିଥିଲା। ଏଥିରେ ଇଂଲଣ୍ଡ ଗୋଟିଏ ପାଳିରେ ୪୯୧ ରନ୍ ସଂଗ୍ରହ କରିଥିଲା।
ଏହି ରିପୋର୍ଟ କ୍ରିକେଟ ଅଷ୍ଟ୍ରେଲିଆକୁ ମଧ୍ୟ ଦିଆଯାଇଛି। କ୍ରିକେଟ ଅଷ୍ଟ୍ରେଲିଆକୁ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ୧୪ ଦିନ ସମୟ ଦିଆଯାଇଛି। ମୁଦୁଗଲେ କହିଛନ୍ତି, ଏମ୍ସଜି(ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ) ପିଚ୍ରେ ବାଉନ୍ସ ମଧ୍ୟମ ଥିଲା କିନ୍ତୁ ପେସ୍ ମନ୍ଥର ଥିଲା। ସେ କହିଛନ୍ତି, ‘୫ ଦିନ ପର୍ଯ୍ୟନ୍ତ ଚାଲିଥିବା ଟେଷ୍ଟ ମ୍ୟାଚ୍ରେ ପିଚର ବାତାବରଣ ବଦଳିଛି। ଏମିତି ଯଦି ଦେଖାଯିବ ସମାନ ସନ୍ତୁଳନ ହୋଇପାରୁ ନାହିଁ।’
ଏମ୍ସିଜିରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ଆଇସିସି ପିଚ୍ ଓ ଆଉଟ୍ଫିଲ୍ଡ ମନିଟେରିଂ ପ୍ରକ୍ରିୟା ହିସାବରେ ରେଟ କରାଯାଇଛି। ଏହି ଯାଞ୍ଚ ହିସାବରେ ଯଦି ପଡ଼ିଆର ପିଚ୍କୁ ଖରାପ କୁହାଯାଏ, ତା’ହେଲେ ଆୟୋଜନ ସ୍ଥଳକୁ ମେରିଟ୍ ଅଙ୍କ କମ୍ ମିଳିଥାଏ। ସେହିଭଳି ଯଦି କୌଣସି ମ୍ୟାଚ୍ ରେଫରି କୌଣସି ପଡ଼ିଆର ପିଚ୍କୁ ସାମାନ୍ୟ ଠାରୁ ତଳକୁ ମାପିଛନ୍ତି, ତା’ହେଲେ ଷ୍ଟାଡିୟମ ପ୍ରତି କୁପ୍ରଭାବ ପଡ଼ିଥାଏ। ଏହି ଭଳି ୫ଟି ଖରାପଗୁଣ ଖାତାରେ ଯୋଡ଼ି ହୋଇଗଲେ ୧୨ ମାସ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମ୍ୟାଚ୍ର ଆୟୋଜନ ହୋଇ ପାରି ନଥାଏ।