ପାକିସ୍ତାନକୁ ଆଇସିସିର ଦୃଢ଼ ଜବାବ:ସେନା ଟୋପି ପାଇଁ ଭାରତ ଅନୁମତି ନେଇଥିଲା

ଦୁବାଇ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍‌ର ୪୪ ଜଣ ଯବାନଙ୍କ ସମ୍ମାନରେ ଭାରତୀୟ କ୍ରିକେଟ୍ ଦଳ ରାଞ୍ଚିରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ସେନା ଟୋପି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲା। ଯାହାକୁ ନେଇ ପାକିସ୍ତାନ ବହୁତ ତୁଙ୍ଗି ତୋଫାନ କରିଥିଲା। ଏପରିକି ଭାରତୀୟ କ୍ରିକେଟ୍ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଇସିସିର ଦ୍ବାରସ୍ଥ ହୋଇଥିଲା। ଆଇସିସି ସୋମବାର ଏଥିନେଇ ପାକିସ୍ତାନକୁ ଦୃଢ଼ ଜବାବ ଦେଇଛି। ରାଞ୍ଚି ଦିନିକିଆରେ ସେନା ଟୋପି ପିନ୍ଧିବାକୁ ଭାରତୀୟ ଦଳ ଆଗୁଆ ଅନୁମତି ନେଇଥିଲା ବୋଲି ଆଇସିସି ଆଜି ସ୍ପଷ୍ଟ କରି ଦେଇଛି। ଏଥିନେଇ ନିଜ ପ୍ରତିକ୍ରିୟା ରଖିବାକୁ ଯାଇ ଆଇସିସି ଯୋଗାଯୋଗ ବିଭାଗର ମହାପ୍ରବନ୍ଧକ କ୍ଲାରି ଫୁରଲଙ୍ଗ କହିଛନ୍ତି ଯେ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟ ସହ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଞ୍ଚି ଦିନିକିଆରେ ସେନା ଟୋପି ପିନ୍ଧି ଖେଳିବାକୁ ଆଇସିସିଠାରୁ ବିସିସିଆଇ ଅନୁମତି ଲୋଡ଼ିଥିଲା। ଯାହା ମଞ୍ଜୁର କରାଯାଇଥିଲା। ଫୁରଲଙ୍ଗଙ୍କ ସ୍ପଷ୍ଟୀକରଣ ପରେ ପାକିସ୍ତାନ ଏହି ମାମଲାକୁ ବିନା କାରଣରେ ବିବାଦୀୟ କରିବାକୁ ହୀନ ଚକ୍ରାନ୍ତ କରିଥିବା ପଦାରେ ପଡ଼ିଛି।

ସୂଚନାଯୋଗ୍ୟ ଯେ ରାଞ୍ଚି ଦିନିକିଆ ପରେ ଆଇସିସିକୁ ପତ୍ର ଲେଖି ପାକିସ୍ତାନ କ୍ରିକେଟ୍ ବୋର୍ଡ ଭାରତୀୟ ଖେଳାଳି ସେନା ଟୋପି ପିନ୍ଧିବାକୁ କଡ଼ା ଶବ୍ଦରେ ବିରୋଧ କରିଥିଲା। ପିସିବି ମୁଖ୍ୟ ଏହସାନ ମଣି ମଧ୍ୟ ଏଥିନେଇ ଆପତ୍ତି ଉଠାଇଥିଲେ। ସେମାନେ ଆଇସିସିଠାରୁ ଭିନ୍ନ କାରଣ ପାଇଁ ଅନୁମତି ନେଇଥିଲେ। ଏହାକୁ ଅନ୍ୟ ଉପାୟରେ ବ୍ୟବହାର କରିଥିଲେ। ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ରବିବାର ସେ କରାଚିରେ କହିଥିଲେ। ପୁଲୱାମା ଆକ୍ରମଣ ପରେ ଆଇସିସିକୁ ଲେଖିଥିବା ପତ୍ରରେ ବିସିସିଆଇ ଆତଙ୍କବାଦ ସହ ସଂପର୍କ ରଖିଥିବା ଦେଶ ସହ କ୍ରିକେଟ୍ ସଂପର୍କ ତୁଟାଇବାକୁ ଆହ୍ବାନ କରିଥିଲା। କୌଣସି ଦେଶର ନାଁ ନେଇ ନଥିଲେ ମଧ୍ୟ ବିସିସିଆଇର ଇଙ୍ଗିତ ପାକିସ୍ତାନ ପାଇଁ ଥିଲା ବୋଲି ସମସ୍ତେ ଜାଣିଥିଲେ। ଯାହାର ପ୍ରତିଶୋଧ ପାକିସ୍ତାନ ରାଞ୍ଚି ଦିନିକିଆ ଘଟଣା ଉଠାଇ ନେବାକୁ ଚାହୁଁଥିଲା। ହେଲେ ଆଇସିସି ପ୍ରତିକ୍ରିୟା ପରେ ତା’ର ଏହି ଷଡ଼ଯନ୍ତ୍ର ପଣ୍ଡ ହୋଇ ଯାଇଛି।

ସମ୍ବନ୍ଧିତ ଖବର