ଆଇସିସି ଟି-୨୦ ରାଙ୍କିଙ୍ଗ୍ : ୧ମ ସ୍ଥାନ ପାଇଁ ରିଜଓ୍ବାନ ଓ ସୂର୍ଯ୍ୟକୁମାରଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦିତା

ମୁମ୍ବାଇ : ଆଇସିସି ଟି-୨୦ ରାଙ୍କିଙ୍ଗରେ ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ୧ ନମ୍ବର ସ୍ଥାନ ଆଡ଼କୁ ଅଗ୍ରସର ହେଉଛନ୍ତି । ୧ ନମ୍ବର ସ୍ଥାନରେ ଥିବା ପାକିସ୍ତାନର ମହମ୍ମଦ ରିଜଓ୍ବାନ ଓ ସୂର୍ଯ୍ୟକୁମାରଙ୍କ ମଧ୍ୟରେ ଏବେ ଆଉ ମାତ୍ର ୧୬ ପଏଣ୍ଟର ବ୍ୟବଧାନ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ ପରେ ସୂର୍ଯ୍ୟଙ୍କ ପଏଣ୍ଟ ସଂଖ୍ୟା ବୃଦ୍ଧି ପାଇବା ସହ ତାଙ୍କର ରାଙ୍କରେ ଉନ୍ନତି ଆସିଛି ।

ରିଜଓ୍ବାନ ମୋଟ ୮୫୪ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ଥିବାବେଳେ ସୂର୍ଯ୍ୟକୁମାର ୮୩୮ ପଏଣ୍ଟ ପାଇ ୨ୟ ସ୍ଥାନରେ ରହିଛନ୍ତି । ୩ୟ ସ୍ଥାନରେ ରହିଛନ୍ତି ପାକିସ୍ତାନର ବାବର ଆଜମ, ସେ ମୋଟ ୮୦୧ ପଏଣ୍ଟ ପାଇଛନ୍ତି । ୪ର୍ଥ ସ୍ଥାନରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଆଇଡେନ ମାର୍କରାମ । ସେ ୭୭୭ ପଏଣ୍ଟ ପାଇଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ସୂର୍ଯ୍ୟକୁମାର ୨ଟି ଅର୍ଦ୍ଧଶତକ ସହ ମୋଟ ୧୧୯ ରନ କରିଥିଲେ । ଦକ୍ଷିଣଆଫ୍ରିକା ବିପକ୍ଷ ୩ୟ ଟି-୨୦ରେ ସେ ଯଦି ଭଲ ପ୍ରଦର୍ଶନ କରିଥାନ୍ତେ ତେବେ ରିଜଓ୍ବାନଙ୍କୁ ଟପିଯାଇଥାନ୍ତେ ।

ଅନ୍ୟପକ୍ଷରେ ରିଜଓ୍ବାନ ଇଂଲଣ୍ଡ ବିପକ୍ଷ ୭ ଟିକିଆ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରି ମୋଟ ୩୧୬ ରନ କରିଥିଲେ । ତେବେ ଇଂଲଣ୍ଡ ବିପକ୍ଷ ୬ଷ୍ଠ ମ୍ୟାଚରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା ଓ ୭ମ ମ୍ୟାଚରେ ସେ ମାତ୍ର ୧ ରନ କରିଆଉଟ ହୋଇଥିଲେ ।

 

ସମ୍ବନ୍ଧିତ ଖବର