ଆଇସିସି ଟି-୨୦ ମାନ୍ୟତା : ଶ୍ରେଷ୍ଠ ୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରାହୁଲ, କୋହଲି

ନୂଆଦିଲ୍ଲୀ : ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଓ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟି-୨୦ ମାନ୍ୟତାର ପ୍ରଥମ ୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ରାହୁଲ ୩ୟ ସ୍ଥାନରେ ଥିବା ବେଳେ କୋହଲି ଗୋଟିଏ ପାହାଚ ଉପରକୁ ଉଠି ୭ମ ସ୍ଥାନରେ ଅଛନ୍ତି । ମାନ୍ୟତା ତାଲିକାର ପ୍ରଥମ ସ୍ଥାନରେ ଇଂଲାଣ୍ଡର ଡେଓ୍ବିଡ ମଲାନ ଓ ୨ୟରେ ପାକିସ୍ତାନର ବାବର ଆଜମ ଅଛନ୍ତି ।

ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜକୁ ଭାରତ ୨-୧ ରେ ଜିତିନେଇଥିଲା । ଏହି ସିରିଜରେ କୋହଲି ୩ଟି ଇନିଂସରେ ୧୩୪ ଓ ରାହୁଲ ୩ଟି ଇନିଂସରେ ୮୧ ରନ କରିଥିଲେ।
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ଓପନର ଟିମ ସେଇଫର୍ଟ ଓ ବୋଲର ଟିମ ସାଉଦି ଆଇସିସି ଟି-୨୦ ମାନ୍ୟତାରେ ଦ୍ରୁତ ଗତିରେ ଉନ୍ନତି ଲାଭ କରିଛନ୍ତି । ସେଇଫର୍ଟ ଏକାଥରକେ ୨୪ଟି ପାହାଚ ଉପରକୁ ଉଠି ୯ମ ସ୍ଥାନରେ ପହଞ୍ଚିଛନ୍ତି । ପାକିସ୍ତାନ ବିପକ୍ଷ ସିରିଜରେ ସେଉଫର୍ଟ ୧୭୬ ରନ କରିଥିଲେ । ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷ ସିରିଜରେ ୬ଟି ଓ୍ବିକେଟ ନେଇ ସାଉଦି ଆଇସିସି ଟି-୨୦ ମାନ୍ୟତାର ୧୩ତମ ସ୍ଥାନରୁ ୭ମ ସ୍ଥାନରେ ପହଞ୍ଚିଛନ୍ତି । ଉଭୟ ଖେଳାଳିଙ୍କ କ୍ୟାରିୟରରେ ଏହା ହେଉଛି ଶ୍ରେଷ୍ଟ ଆଇସିସି ମାନ୍ୟତା । ବୋଲିଂ ତାଲିକାରେ ଆଫଗାନିସ୍ଥାନର ରସିଦ ଖାଁ ପ୍ରଥମ ସ୍ଥାନରେ ଅଛନ୍ତି । ତେବେ ବୋଲିଂ ତାଲିକାର ପ୍ରଥମ ୧୦ଟି ସ୍ଥାନରେ କୌଣସି ଭାରତୀୟ ବୋଲର ନାହାନ୍ତି ।

ସମ୍ବନ୍ଧିତ ଖବର