ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍: ଭାରତ-ଦକ୍ଷିଣ ଆଫ୍ରିକା ଭେଟ ଆଜି
ପର୍ଥ: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ରବିବାର ହେବ ଆଉ ଏକ ସୁପର୍ ସନ୍ଡେ। ଗତ ରବିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରିଥିବା ଭାରତ ଆସନ୍ତାକାଲି ଦକ୍ଷିଣ ଆଫ୍ରିକାକୁ ଭେଟିବ। ଭାରତ-ଦକ୍ଷିଣ ଆଫ୍ରିକା ହାଇ ଭୋଲ୍ଟେଜ୍ ମୁକାବିଲା ସହିତ ମୋଟ ୩ ମ୍ୟାଚ୍ ଖେଳାଯିବ। ଗ୍ରୁପ୍-୨ର ଏହି ୩ଟି ଯାକ ମୁକାବିଲା ହେବ। ସକାଳ ୮.୩୦ ମିନିଟ୍ରେ ବ୍ରିସ୍ବନ୍ରେ ଜିମ୍ବାୱେ-ବାଂଲାଦେଶ ଖେଳିବା ପରେ ପର୍ଥରେ ଅପରାହଣ୍ ୧୨.୩୦ରେ ପାକିସ୍ତାନ-ନେଦରଲାଣ୍ଡ୍ସ ଏବଂ ଅପରାହଣ ୪.୩୦ରେ ଭାରତ-ଦକ୍ଷିଣ ଅଫ୍ରିକା ଭିଡାଭିଡି ହେବେ। ଭାରତ ଓ ଦକ୍ଷିଣ ଆଫ୍ରିକା ମୁକାବିଲା ଉପରେ ସମସ୍ତଙ୍କ ନଜର। ଏହି ଦୁଇ ଦଳ ମଧ୍ୟରୁ ରବିବାର ଯିଏ ଜିତିବ ସେମିଫାଇନାଲ୍ ଦ୍ବାରରେ ପହଞ୍ଚିଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ପରାଜୟ କୌଣସି ଦଳକୁ ବିଶେଷ ବିବ୍ରତ କରିବ ନାହିଁ। ଉଭୟ ୨ଟି ଲେଖାଏଁ ମ୍ୟାଚ୍ ଖେଳିଥିଲେ ମଧ୍ୟ ଭାରତ ୪ ଓ ଦକ୍ଷିଣ ଆଫ୍ରିକା ୩ ପଏଣ୍ଟ ପାଇ ଟେବୁଲ୍ର ପ୍ରଥମ ୨ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା-ଜିମ୍ବାୱେ ମ୍ୟାଚ୍ ବର୍ଷା ଧୋଇ ନେଇଥିବାରୁ ପଏଣ୍ଟ ବାଣ୍ଟିଥିଲେ। ପ୍ରତିଯୋଗିତାରେ ଭାରତ ଏକମାତ୍ର ଦଳ ଭାବେ ପରାଜୟ ବରଣ କରିନାହିଁ କି ବର୍ଷାରେ ପ୍ରଭାବିତ ହୋଇନାହିଁ। ବିଶ୍ବକପ୍ ଆରମ୍ଭ ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ପରସ୍ପର ସହ ସୀମିତ ଓଭର ଶୃଙ୍ଖଳାରେ ବ୍ୟସ୍ତ ଥିବାରୁ ଏହି ଲଢ଼େଇ ପୁଣି କିଛି ରୋମାଞ୍ଚ ଭରିବ ବୋଲି ଆଶା କରାଯାଉଛି। ୨୫ ଦିନ ତଳେ ଭାରତରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଥିଲା। ଦୁଇ ଦେଶ ମଧ୍ୟରେ ୨୦୨୨ରେ ଦୁଇ ଥର ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯାଇଛି। ପ୍ରଥମ ଥର କିନ୍ତୁ ଚଳିତ ବର୍ଷ ଭାରତ ବାହାରେ ଖେଳିବେ। ଏହି ଦୁଇ ଦେଶ ବିଶ୍ବକପ୍ ପୂର୍ବରୁ ଦାବିଦାର ଭାବେ ଅଷ୍ଟ୍ରେଲିଆ ଆସିଥିବାରୁ ରବିବାରର ରାତି ମ୍ୟାଚ୍କୁ ସମସ୍ତଙ୍କ ଅପେକ୍ଷା ରହିଛି।
ଭାରତ ପାଇଁ ରବିବାର ମ୍ୟାଚ୍ରେ କେବଳ କେଏଲ୍ ରାହୁଲ ଖେଳିବେ କି ନା ମୁଖ୍ୟ ଚିନ୍ତାର କାରଣ ହୋଇଛି। ଆହତ ସମସ୍ୟା ପରେ ଦଳକୁ ଫେରିବା ଦିନଠୁ ରାହୁଲ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ଫଳରେ ରୋହିତ ଶର୍ମାଙ୍କ ସହ ପାୱାର ପ୍ଲେ’ରୁ ଭଲ ଆରମ୍ଭ ମିଳିପାରୁନାହିଁ। ବିଶ୍ବକପ୍ର ପ୍ରଥମ ଦୁଇ ମ୍ୟାଚ୍ରେ ସେ ୪ ଓ ୯ ରନ୍ କରିଛନ୍ତି। ଏପରିକି ରାହୁଲଙ୍କୁ ବସାଇ ବାମହାତୀ ଋଷଭ ପନ୍ତଙ୍କୁ ଓପନିଂ କରାଇବା ଲାଗି ଦାବି ଉଠିଛି। ଭାରତ ନିଜ ଚୂଡାନ୍ତ ଏକାଦଶଷର କିନ୍ତୁ ପରିବର୍ତନ କରିବା ସପକ୍ଷରେ ନାହିଁ। ରୋହିତ ଫର୍ମକୁ ଫେରିବା ପରେ ଲୟରେ ଥିବା ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଭାରତ ସୁବିଧା ସ୍ଥିତିରେ ରହିଛି। ପର୍ଥର ଅପ୍ଟସ୍ ଷ୍ଟାଡିୟମ୍ରୁ ଶାଣିତ ବାଉଁସ ମିଳିବାକୁ ଥିବାରୁ ଅର୍ଶଦୀପ ସିଂହ, ମହମ୍ମଦ ସାମି, ହାର୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ବର କୁମାର ଏହାର ଫାଇଦା ନେଇପାରିବେ। କିନ୍ତୁ ଦକ୍ଷିଣ ଆଫ୍ରିକା ନିକଟରେ ମଧ୍ୟ ଭଲ ପେସ୍ ବାହିନୀ ଥିବାରୁ ଯେଉଁ ଦଳ ଏଠାରେ ଭଲ ବ୍ୟାଟିଂ କରିବ ସେ ହିଁ
ଫାଇଦାରେ ରହିବ। ଦୁଇ ଦେଶ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ୫ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୪-୧ରେ ଆଗୁଆ ରହିଛି। ମୋଟ ଟ୍ବେଣ୍ଟି-୨୦ରେ ଭାରତ ମଧ୍ୟ ୧୩-୯ରେ ପ୍ରଧାନ୍ୟ ବିସ୍ତାର କରିଛି। ତେଣୁ ଭାରତକୁ ରବିବାର ମନସ୍ତାତ୍ତ୍ବିକ ଫାଇଦା ମଧ୍ୟ ମିଳିବ। ଏହି ମ୍ୟାଚ୍ରେ କିନ୍ତୁ ଭାରତୀୟ ଶୀର୍ଷକ୍ରମ ବ୍ୟାଟରଙ୍କୁ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ପରୀକ୍ଷାର ନିଶ୍ଚିତ ଆହ୍ବାନରେ ପକାଇବେ।
ପର୍ଥରେ ରବିବାର ସଂଧ୍ୟାରେ ଆକାଶ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲେ ମଧ୍ୟ ବର୍ଷାର ସମ୍ଭାବନା କମ୍ ରହିଛି ବୋଲି ପ୍ରକାଶ କରିଛି। ପର୍ଥରେ ୨୧ ମ୍ୟାଚ୍ରୁ ୧୩ଟି ପ୍ରଥମେ ବ୍ୟାଟିଂ ଦଳ ଜିତିଛି। ପ୍ରଥମ ପାଳିର ହାରାହାରି ସ୍କୋର ରହିଛି ୧୩୩। ବିରାଟ କୋହଲି ରବିବାର ମାତ୍ର ୨୮ ରନ୍ କରିପାରିଲେ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଅଗ୍ରଣୀ ରନ୍ ସ୍କୋରର ହୋଇଯିବେ। ମାହେଲା ଜୟବର୍ଦ୍ଧନେ ଏବେ ଶୀର୍ଷରେ ରହିଛନ୍ତି।
ଭାରତ ସମ୍ଭାବ୍ୟ ୧୧: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ (ୱିକେଟରକ୍ଷକ), ଅକ୍ଷର ପଟେଲ୍, ରବିଚନ୍ଦ୍ରନ ଅଶ୍ବିନ, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ।
ଦକ୍ଷିଣ ଆଫ୍ରିକା ୧୧: କ୍ବିଣ୍ଟନ୍ ଡି’କକ୍ (ୱିକେଟରକ୍ଷକ), ତେମ୍ବା ବଭୂମା (ଅଧିନାୟକ), ରିଲି ରୋସୋୟୁ, ଐଦେନ ମାରକ୍ରମ, ତ୍ରିସ୍ତନ ଷ୍ଟବ୍ସ, ଡେଭିଡ୍ ମିଲର୍, ୱେନ ପାର୍ଣ୍ଣେଲ୍, କେଶବ ମହାରାଜ, କାଗିସୋ ରବାଦା, ଅନରିକ୍ ନର୍ଖିୟା, ତାବ୍ରାଇଜ୍ ସାମସି/ଲୁଙ୍ଗି ଏନ୍ଗିଡି/ମାର୍କୋ ଜାନସେନ୍।