ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌: ନ୍ୟୁଜିଲାଣ୍ଡ୍‌-ପାକିସ୍ତାନ ସେମିଫାଇନାଲ୍ ଆଜି

ସିଡନି: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ୍‌ରେ ବୁଧବାର ନ୍ୟୁଜିଲାଣ୍ଡ୍ ଭେଟିବ ପାକିସ୍ତାନକୁ। ଦୁଇ ଦଳ ଭିନ୍ନ ପଥ ଦେଇ ସେମିଫାଇନାଲ୍ ଆସିଛନ୍ତି। ନ୍ୟୁଜିଲାଣ୍ଡ୍‌ ଗ୍ରୁପ୍‌-୧ର ବିଜେତା ହୋଇ ଆସିଛି। ପାକିସ୍ତାନ ଘରକୁ ଯିବା ଯୋଜନା କରୁଥିବା ବେଳେ ନେଦରଲାଣ୍ଡ୍ସର ପରୋକ୍ଷ ବରଦାନରେ ଆଗକୁ ବଢ଼ିଛି। ସୁପର୍‌-୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ବିଜେତା ଅଷ୍ଟ୍ରେଲିଆକୁ ନ୍ୟୁଜିଲାଣ୍ଡ୍ ବଡ଼ ବ୍ୟବଧାନରେ ହରାଇବା ପରେ ଶ୍ରୀଲଙ୍କା ଓ ଆୟର୍ଲାଣ୍ଡ୍‌କୁ ମାତ୍ ଦେଇଥିଲା। ଦଳକୁ କିନ୍ତୁ ଏକମାତ୍ର ପରାଜୟ ବରଣ କରିବାକୁ ପଡ଼ିଥିଲା ଇଂଲଣ୍ଡ ନିକଟରୁ। ପାକିସ୍ତାନ କିନ୍ତୁ ଉତ୍‌ଥାନ ଓ ପତନ ପଥ ଦେଇ ଗତି କରିଥିଲା। ଭାରତ ଓ ଜିମ୍ବାୱେ ନିକଟରୁ ହାରିଯିବା ପରେ ଚାପରେ ପଡ଼ିଥିବା ଏହି ୨୦୦୯ ବିଜେତା ପରବର୍ତୀ ୩ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ଲଗାତାର ଭାବେ ପରାସ୍ତ କରିଥିଲା। ତଥାପି ଲିଗ୍ ପର୍ଯ୍ୟାୟର ଶେଷ ଦିନ ପର୍ଯ୍ୟନ୍ତ ବାବର ଆଜମଙ୍କ ଦଳ ଆଶଙ୍କା ଭିତରେ ଥିଲା। ନେଦରଲାଣ୍ଡ୍ସ ନିକଟରୁ ଦକ୍ଷିଣ ଆଫ୍ରିକାର ଅପ୍ରତ୍ୟାଶିତ ପରାଜୟ ପାକିସ୍ତାନକୁ ସେମିଫାଇନାଲ୍ ଯିବାର ନୂଆ ଜୀବନ ଦେଇଥିଲା।

କାଗଜ କଲମରେ ନ୍ୟୁଜିଲାଣ୍ଡ ଶକ୍ତିଶାଳୀ ଲାଗୁଥିଲେ ମଧ୍ୟ ଇତିହାସ ପାକିସ୍ତାନ ସପକ୍ଷରେ ରହିଛି। ଆଇସିସି ବିଶ୍ବକପ୍‌ ଇତିହାସରେ ୩ ଥର ଉଭୟ ଦେଶ ସେମିଫାଇନାଲ୍‌ରେ ମୁହାଁମୁହିଁ ହୋଇଥିବାବେଳେ ପ୍ରତିଥର ପାକିସ୍ତାନ ବାଜି ମାରିଛି। ପାକିସ୍ତାନ ୧୯୯୨ ଦିନିକିଆ ବିଶ୍ବକପ୍‌ର ସେମିଫାଇନାଲ୍‌କୁ ଅପ୍ରତ୍ୟାଶିତ ଭାବେ ଆସି ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିଥିଲା। ସେଥର ଇମ୍ରାନ୍ ଖାନ୍‌ଙ୍କ ଦଳ ବିଜେତା ମଧ୍ୟ ହୋଇଥିଲା। ବାବର ଆଜମଙ୍କ ଦଳ ପାଇଁ ଏବେ ସେଭଳି ସୁଯୋଗ ରହିଛି। ଏହା ଛଡ଼ା ୧୯୯୯ ଦିନିକିଆ ବିଶ୍ବକପ୍‌ ଏବଂ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ମଧ୍ୟ ନ୍ୟୁଜିଲାଣ୍ଡ୍‌କୁ ହରାଇ ପାକିସ୍ତାନ ଆଗକୁ ବଢ଼ିଥିଲା। ଧଳାବଲ୍‌ କ୍ରିକେଟ୍‌ର ବଡ଼ ମ୍ୟାଚ୍‌ ବେଳକୁ ନ୍ୟୁଜିଲାଣ୍ଡ୍‌ର ପରାଜୟ ମଧ୍ୟ କାହାରିକୁ ଅଛପା ନାହିଁ। ବିଗତ ୪ଟି ସଂସ୍କରଣ ବିଶ୍ବକପ୍‌ର ସେମିଫାଇନାଲ୍ ଉଠିଥିଲେ ମଧ୍ୟ କେବେ ଟ୍ରଫି ଜିତିପାରିନାହିଁ ବ୍ଲାକ କ୍ୟାପ୍‌ ଦଳ। ବିଗତ ୭ ବର୍ଷ ଭିତରେ ତିନିଟି ବିଶ୍ବକପ୍‌ ଫାଇନାଲ୍‌ (୨୦୧୫ ଓ ୨୦୧୯ ଦିନିକିଆ ଏବଂ ୨୦୨୧ ଟ୍ବେଣ୍ଟି-୨୦)ରେ ହାରିଛି ଏହି ଦେଶ।

ସିଡନି ଗ୍ରାଉଣ୍ଡ କିନ୍ତୁ ନ୍ୟୁଜିଲାଣ୍ଡ୍‌ ଖେଳାଳିଙ୍କୁ ଅଧିକ ସୁହାଇବ ବୋଲି କୁହାଯାଉଛି। ପାକିସ୍ତାନର ବ୍ୟାଟିଂ ଲାଇନ୍‌କୁ କେନ୍‌ ୱିଲିୟମସନ୍‌ଙ୍କ ଦଳ ପ୍ରଥମରୁ ବିଗାଡ଼ି ପାରିଲେ ଫାଇଦାରେ ରହିବେ। ରନ୍‌ ପାଇଁ ବାବର ଆଜମଙ୍କ ସଂଘର୍ଷ ଜାରି ରହିଥିବା ବେଳେ ମହମ୍ମଦ ରିଜୱାନ ଏବେ ତାଙ୍କ ଶ୍ରେଷ୍ଠ ସମୟରେ ନାହାନ୍ତି। ବାଂଲାଦେଶ ବିପକ୍ଷରେ ୧୨୮ ରନ୍‌ ପିଛା କରୁଥିବା ବେଳେ ବି ଉଭୟ ଚାପରେ ଖେଳିଥିଲେ। ଯେଉଁ ସିଡନି ପଡିଆରେ ଟ୍ରେଣ୍ଟ୍ ବୋଲ୍ଟ ଓ ଟିମ୍ ସାଉଦି ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାର ଶୀର୍ଷକ୍ରମକୁ ହରକତ କରି ନ୍ୟୁଜିଲାଣ୍ଡ୍‌କୁ ସହଜ ବିଜୟ ଦେଇଥିଲେ ଏବେ ଦୋହରାଇବାକୁ ଚାହିଁ‌ବେ। ଡାରିଲ୍ ମିଚେଲ୍‌, କେନ୍‌ ୱିଲିୟମସନ୍, ଗ୍ଲେନ୍ ଫିଲିପ୍ସଙ୍କୁ ଅଧିକ ଦାୟିତ୍ବର ସହ ଖେଳିବାକୁ ପଡ଼ିବ। ଅନ୍ୟପକ୍ଷରେ ବାବର ଆଜମଙ୍କ ଦଳକୁ ଭାଗ୍ୟ ବଳରେ ସେମିଫାଇନାଲ୍ ଆସିନଥିବା ପ୍ରମାଣିତ କରିବାକୁ ‌ପଡ଼ିବ। ସାହିନ ସାହା ଆଫ୍ରିଦି, ହାରିସ୍ ରୌଫଙ୍କ ସହିତ ଅଲରାଉଣ୍ଡର୍‌ ସଦାବ ଖାନ୍‌ ପାକିସ୍ତାନ ପାଇଁ ନିର୍ଣ୍ଣାୟକ ହୋଇପାରନ୍ତି।

ପିଚ୍ ରିପୋର୍ଟ: ଚଳିତ ବିଶ୍ବକପ୍‌ର ଶୀର୍ଷ ୧୦ ମୋଟ ସ୍କୋର୍‌ ଓ ଚୌକା ଏସ୍‌ସିଜିରେ ଦେଖିବାକୁ ମିଳିଛି। ଅନ୍ୟ ଭେନ୍ୟୁ ତୁଳନାରେ ଏଠି ଅଧିକ ରନ୍‌ ହୋଇଛି। ବୋଲରଙ୍କୁ ମଧ୍ୟ ଏଠାରେ ଭଳ ସହାୟତା ମିଳୁଛି। ଆଉ ଏକ ବଡ଼ କଥା ହେଉଛି ଏହି ପଡ଼ିଆରେ ଚଳିତ ସଂସ୍କରଣରେ ଉଭୟ ଦେଶ ହାରିନାହାନ୍ତି। ଅଷ୍ଟ୍ରେଲିଆ, ଶ୍ରୀଲଙ୍କାକୁ ଏଠାରେ ନ୍ୟୁଜିଲାଣ୍ଡ୍‌ ପରାସ୍ତ କରିଥିଲା। ସେହିଭଳି ଦକ୍ଷିଣ ଆଫ୍ରିକାକୁ ଏଠାରେ ହରାଇ ପାକିସ୍ତାନ ମଧ୍ୟ ଆଶା ଉଜ୍ଜୀବିତ ରଖିଥିଲା।
ଅଜଣା ତଥ୍ୟ: ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦ ଇତିହାସରେ ନ୍ୟୁଜିଲାଣ୍ଡ୍‌ ୮ ଥର ସେମିଫାଇନାଲ୍ ଖେଳି ୩ ଥର ଜିତିଛି। ପାକିସ୍ତାନ କିନ୍ତୁ ୪ ଥର ଜିତି ୮ ଥର ହାରିଛି। ଉଭୟ ଫର୍ମାଟ ଫାଇନାଲ୍ ବେଳକୁ ନ୍ୟୁଜିଲାଣ୍ଡ୍‌ ସମସ୍ତ ୩ ଥର ହାରିଥିବା ବେଳ ପାକିସ୍ତାନ ୨ ଥର ଜିତି ୨ ଥର ହାରିଛି। ‌ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଦୁଇ ଦେଶ ୨୮ ଥର ପରସ୍ପରକୁ ଭେଟିଛନ୍ତି। ପାକିସ୍ତାନ ୧୭ ଜିତିଛି। ଗତବର୍ଷର ବିଶ୍ବକପ୍‌ ପରଠାରୁ ଶେଷ ୬ ମୁକାବିଲାରୁ ପାକିସ୍ତାନ ୪ ଜିତିଛି।
ନ୍ୟୁଜିଲାଣ୍ଡ୍‌ ସମ୍ଭାବ୍ୟ ୧୧: ଫିନ୍ ଆଲେନ୍‌, ଡେଭନ୍ କନୱେ, କେନ୍‌ ୱିଲିୟମସନ୍‌ (ଅଧିନାୟକ), ଗ୍ଲେନ୍ ଫିଲିପ୍ସ, ଡାରିଲ୍ ମିଚେଲ୍‌, ‌ଜେମ୍ସ ନିସାମ, ମିଚେଲ୍ ସାଣ୍ଟନର୍, ଟିମ୍ ସାଉଦି, ଈଶ ସୋଢ଼ି, ଲୋକି ଫର୍ଗୁସନ୍‌, ଟ୍ରେଣ୍ଟ୍ ବୋଲ୍ଟ।

ପାକିସ୍ତାନ ସମ୍ଭାବ୍ୟ ୧୧: ମହମ୍ମଦ ରିଜୱାନ, ବାବର ଆଜମ (ଅଧିନାୟକ), ମହମ୍ମଦ ନୱାଜ, ମହମ୍ମଦ ହାରିସ୍‌, ଶାନ୍‌ ମାସୁଦ୍, ଇଫତିକାର ଅହମ୍ମଦ, ସଦାବ ଖାନ୍‌, ମହମ୍ମଦ ୱାସିମ୍‌, ନସିମ୍ ସାହା, ହାରିସ୍‌ ରୌଫ, ସାହିନ ସାହ ଆଫ୍ରିଦି।

ସମ୍ବନ୍ଧିତ ଖବର