ଆଇସିସି ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ : ଭାରତର ପ୍ରଥମ ବିଜୟ

ରାହାଣେଙ୍କ ଶତକ, ‌ବୁମ୍‌ରାଙ୍କ ଘାତକ ବୋଲିଂ, ୱେଷ୍ଟଇଣ୍ଡିଜ୍‌ ୩୧୮ ରନ୍‌ରେ ହାରିଲା

ଆଣ୍ଟିଗୁଆ : ୱେଷ୍ଟଇଣ୍ଡିଜ୍‌କୁ ୩୧୮ ରନ୍‌ରେ ହରାଇ ଭାରତ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀଙ୍କ ଚମତ୍କାର‌ ବ୍ୟାଟିଂ ପରେ ଯଶପ୍ରୀତ୍ ବୁମରାଙ୍କ ୫ ୱିକେଟ୍‌ ସଫଳତା ଭାରତକୁ ଚତୁର୍ଥ ଦିବସରେ ହିଁ ୱେଷ୍ଟଇଣ୍ଡିଜକୁ ହରାଇବାରେ ସହାୟକ ହୋଇଛି। ଘରୋଇ ଦଳ ସମ୍ମୁଖରେ ପ୍ରଥମ ଟେଷ୍ଟ ଜିତିବା ଲାଗି ଭାରତ ୪୧୯ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଭାରତୀୟ ଦ୍ରୁତ ବୋଲରଙ୍କ ଆକ୍ରମଣରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୦୦ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଉଭୟ ପାଳିରେ ଚମତ୍କାର ବ୍ୟାଟିଂ କରିଥିବା ଅଜିଙ୍କ୍ୟ ରାହାଣେ (୮୧ ଏବଂ ୧୦୨) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦ୍ବିତୀୟ ପାଳିରେ ବୁମରା (୮-୪-୭-୫) ଘାତକ ବୋଲିଂ କରି ଦିନକ ପୂର୍ବରୁ ଭାରତର ବିଜୟକୁ ନିଶ୍ଚିତ କରି ଦେଇଥିଲେ।

ଘରେଇ ୱେଷ୍ଟଇଣ୍ଡିଜ ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବାରେ କୌଣସି ଉଦ୍ଦେଶ୍ୟ ଦେଖାଇ ନଥିଲା। ଯଶପ୍ରୀତ୍ ବୁମରା ଏବଂ ଈଶାନ୍ତ ଶର୍ମା ଘାତକ ବୋଲିଂ କରି ପ୍ରଥମରୁ ହିଁ ଇଣ୍ଡିଜ୍‌ ଅଣ୍ଟା ଭାଙ୍ଗି ଦେଇଥିଲେ। ପ୍ରାରମ୍ଭିକ ଯୋଡ଼ି କ୍ରେଗ୍ ବ୍ରାଥ୍‌ୱେଟ, ଜନ୍ କ୍ୟାମ୍ପ୍‌ବେଲ୍‌ଙ୍କ ସହିତ ଡାରେନ୍ ବ୍ରାଭୋ, ସାଏ ହୋପ, ଜାସନ୍ ହୋଲଡରଙ୍କୁ ଯଶପ୍ରୀତ୍ ବୁମରା (୫/୭) ପ୍ୟାଭିଲିଅନ୍ ‌ପଠାଇ ଦେଇଥିଲେ। ନିଜ ଖେଳ ଜୀବନର ଚତୁର୍ଥ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ସବୁଗୁଡ଼ିକ ବିଦେଶ ମାଟିରେ ମିଳିଛି ବୁମରାଙ୍କୁ। ବୁମରାଙ୍କ ସହ ତାଳ ଦେଇ ଦୁଇ ସାଥୀ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଏବଂ ମହମ୍ମଦ ସାମି ମଧ୍ୟ ୨ ଲେଖାଏଁ ୱିକେଟ୍ ବାହାର କରି ନେଇଥିଲେ। ସାମରା ବ୍ରୁକ୍ସ ଏବଂ ସିମରନ୍ ହେଟମେୟରଙ୍କ ୱିକେଟ୍ ଈଶାନ୍ତ ଶର୍ମା (୨/୧୬) ନେଇଥିଲେ। ରସ୍ତନ ଚେଜ୍‌ ଏବଂ ସାନନ୍ ଗାବ୍ରିଏଲଙ୍କୁ ସାମି ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। କେମାର ରୋଚ୍‌ କିନ୍ତୁ କିଛି ସମୟ ଆକର୍ଷଣୀୟ ବ୍ୟାଟିଂ କରି କେବଳ ଦୀପ ଲିଭିବା ବେଳକୁ ଜଳିଉଠିବା ଭଳି ସାନ୍ତ୍ବନା ଆଣିଥିଲେ।

ରବିବାର ଚତୁର୍ଥ ଦିନ ୧୮୫/୩ରୁ ଖେଳିଥିବା ଭାରତ ଦ୍ବିତୀୟ ଓଭରରେ ଅଧିନାୟକ ବିରାଟ କୋହଲି (୫୧)ଙ୍କୁ ହରାଇଥିଲା। ପୂର୍ବଦିନର ସ୍କୋରରେ କୌଣସି ରନ୍ ‌ଯୋଡ଼ିବା ପୂର୍ବରୁ କୋହଲିଙ୍କୁ ସ୍ପିନର୍ ରସ୍ତନ୍ ଚେଜ୍‌ ଏକ୍ସଟ୍ରା କଭରରେ କ୍ୟାମ୍ପ୍‌ବେଲଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ପୂର୍ବଦିନ ଏହି ସ୍ଥାନରେ ହିଁ କୋହଲିଙ୍କ କ୍ୟାଚ୍‌ ଛାଡ଼ିଥିଲେ କ୍ୟାମ୍ପବେଲ। ରାହାଣେଙ୍କ ସହିତ କୋହଲି ଶତକୀୟ ଭାଗୀଦାରି (୧୦୬ ରନ୍‌) କରିଥିଲେ। ଭାରତ ୮୧ ରନ୍‌ରେ ୩ ୱିକେଟ୍ ହରାଇ ଦେବା ପରେ ଏହି ଅଧିନାୟକ-ଉପ ଅଧିନାୟକ ଯୋଡ଼ି ଭାରତର ବଡ଼ ସ୍କୋର୍ ଲାଗି ମୂଳଦୁଆ ପକାଇଥିଲେ। ରବିବାର କୋହଲିଙ୍କ ଆଉଟ୍ ପରେ କିନ୍ତୁ ହାଇଦ୍ରାବାଦୀ ବ୍ୟାଟସମ୍ୟାନ୍‌ ହନୁମା ବିହାରୀଙ୍କୁ ସାଥୀ କରି ରାହାଣେ ଆଉ ଏକ ଶତକୀୟ ଭାଗୀଦାରି (୧୩୭) କରିନେଇଥିଲେ। ଦୀର୍ଘ ୨ ବର୍ଷ ପରେ ରାହାଣେଙ୍କ ବ୍ୟାଟରୁ ଶତକ ମିଳିଥିଲା। ଏହା ଥିଲା ତାଙ୍କ ଖେଳ ଜୀବନର ଦଶମ ଟେଷ୍ଟ ଶତକ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ମାଟିରେ ଦ୍ବିତୀୟ। ୧୦ରୁ ୭ ଶତକ ସେ ବିଦେଶ ମାଟିରେ ହାସଲ କରିଛନ୍ତି। ମଧ୍ୟାହ୍ନ ଭୋଜନ ପରେ ରାହାଣେ (୧୦୨, ୨୪୨ ବଲ, ୫‌ ଚୌକା)ଙ୍କୁ ସାନନ୍ ଗାବ୍ରିଏଲ୍ ଆଉଟ୍ କରିଥିଲେ। ଋଷବ ପନ୍ତ୍‌ (୭)ଙ୍କୁ ରସ୍ତନ ଚେଜ୍‌ ନିଜ ଚତୁର୍ଥ ଶିକାର କରିଥିଲେ। ସେହିପରି ବିହାରୀ (୯୩, ୧୨୮ ବଲ, ୧୦ ଚୌକା, ୧ ଛକା)ଙ୍କୁ ପ୍ରଥମ ଟେଷ୍ଟ୍‌ ଶତକରୁ ବଞ୍ଚିତ ରଖିଥିଲେ ଜାସନ୍ ହୋଲଡର। ବିହାରୀଙ୍କ ୱିକେଟର ପତନ ସହିତ କୋହଲି ୩୪୩/୭ରେ ପାଳି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର