ଆଇସିସି ଟେଷ୍ଟ୍‌ ମାନ୍ୟତା ଶୀର୍ଷରେ କୋହଲି ଦୃଢ଼

ବୁମ୍‌ରା ଓ ପନ୍ତ୍‌ଙ୍କୁ ସର୍ବଶ୍ରେଷ୍ଠ ମାନ୍ୟତା

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ତାଲିକାରେ ନିଜ ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟ୍‌ର ପ୍ରଥମ ପାଳିରେ ଶତକ ଜମାଇଥିବା କୋହଲି ୧୪ ପଏଣ୍ଟ୍‌ ଅଧିକ ଅର୍ଜନ କରି ତାଙ୍କ ସଂଖ୍ୟାକୁ ମୋଟ ୯୩୪ରେ ପହଞ୍ଚାଇ ଦେଇଛନ୍ତି। ଏଥି ସହିତ କୋହଲି ମଧ୍ୟ ତାଙ୍କ ନିକଟତମ ତଥା ଦ୍ବିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ଙ୍କ ପଏଣ୍ଟ୍‌ ସଂଖ୍ୟାଠୁ ୧୯ ଅଧିକ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ ପରେ କୋହଲି ଓ ୱିଲିୟମ୍‌ସନ୍‌ଙ୍କ ମଧ୍ୟରେ ୭ ପଏଣ୍ଟ୍‌ର ଫରକ୍‌ ରହିଥିଲା।
ଅନ୍ୟପକ୍ଷରେ ଦୁଇ ଭାରତୀୟ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଓ ଯୁବ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଋଷଭ ପନ୍ତ୍‌ ନିଜ ନିଜ କ୍ରିକେଟ୍‌ ଜୀବନର ସର୍ବଶ୍ରେଷ୍ଠ ମାନ୍ୟତାରେ ପହଞ୍ଚି ଯାଇଛନ୍ତି। ବୁମ୍‌ରା ବୋଲରଙ୍କ ତାଲିକାରେ ୨୮କୁ ଉଠିଥିଲା ବେଳେ ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ସାମି ୨ ସ୍ଥାନ ଲମ୍ଫ ଦେଇ ୨୪ରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ପନ୍ତ୍‌ ୧୧ ସ୍ଥାନ ଲମ୍ଫ ଦେଇ ୪୮ତମ ସ୍ଥାନ ପାଇଥିଲା ବେଳେ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ୨ ସ୍ଥାନ ଉଠି ଶୀର୍ଷ-୧୫ ମଧ୍ୟରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର