ଆଇସିସି ଟେଷ୍ଟ୍‌ ମାନ୍ୟତା: କୋହଲି ଦ୍ବିତୀୟକୁ ଉଠିଲେ

ପୂଜାରା, ରାହାଣେ ଏବଂ ବୁମ୍‌ରା, ଅଶ୍ବିନ୍‌ ଶୀର୍ଷ-୧୦ରେ

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ଦ୍ବାରା ଘୋଷିତ ସଦ୍ୟ ଟେଷ୍ଟ୍‌ ମାନ୍ୟତାରେ ଦ୍ବିତୀୟ ସ୍ଥାନକୁ ଲମ୍ଫ ଦେଇଛନ୍ତି। କୋହଲି ୮୮୬ ରେଟିଂ ପଏଣ୍ଟ୍‌ ସହ ଅଗ୍ରଣୀ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ର ମାନ୍ୟତା ପାଇଥିଲା ବେଳେ ଚେତେଶ୍ବର ପୂଜାରା (୭୬୬) ଏବଂ ଉପଅଧିନାୟକ ଆଜିଙ୍କ୍ୟ ରହାଣେ (୭୨୬) ଶୀର୍ଷ-୧୦ରେ ରହିଛନ୍ତି। ପୂଜାରା ସପ୍ତମ ଏବଂ ରାହାଣେ ଦଶମ ସ୍ଥାନ ପାଇଛନ୍ତି। ଆଇସିସି ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ (୯୧୧) ଶୀର୍ଷ ସ୍ଥାନରେ ଅଛନ୍ତି। ତେବେ ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ (୮୭୭) ଗୋଟିଏ ସ୍ଥାନ ଖସି ତୃତୀୟରେ ପହଞ୍ଚିଥିଲା ବେଳେ ଯୁବ ଅଷ୍ଟ୍ରେଲୀୟ ତାରକା ମାର୍ନସ ଲବୁସାନେ (୮୨୭) ଚତୁର୍ଥ, ପାକିସ୍ତାନର ବାବର ଆଜମ୍‌ (୭୯୭) ପଞ୍ଚମ ଓ ଅଷ୍ଟ୍ରେଲିଆର ଡେଭିଡ୍‌ ୱର୍ନର (୭୯୩) ଷଷ୍ଠରେ ରହିଛନ୍ତି। ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ (୭୬୦) ଏବଂ ଜୋ ରୁଟ୍‌ (୭୩୮) ଯଥାକ୍ରମେ ଅଷ୍ଟମ ଓ ନବମ ସ୍ଥାନ ପାଇଛନ୍ତି।

ବୋଲରଙ୍କ ମାନ୍ୟତାରେ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା (୭୭୯) ଏବଂ ପୁରୁଖା ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ (୭୫୬) ଦୁଇ ଭାରତୀୟ ଭାବେ ଶୀର୍ଷ-୧୦ରେ ସ୍ଥାନ ଅକ୍ତିଆର କରିଛନ୍ତି। ବୁମ୍‌ରା ଅଷ୍ଟମ ଏବଂ ଅଶ୍ବିନ୍‌ ଦଶମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସ (୯୦୪) ଶୀର୍ଷରେ ଥିଲା ବେଳେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ (୮୪୫) ଏବଂ ନ୍ୟୁଜିଲାଣ୍ଡ୍‌ର ନିଲ୍‌ ୱାଗ୍‌ନର (୮୪୦) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି। ଅନ୍ୟପକ୍ଷରେ ଦୁଇ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଦେଜା ଓ ଅଶ୍ବିନ୍‌ ଟେଷ୍ଟ୍‌ ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ ଶୀର୍ଷ-୧୦ରେ ସ୍ଥାନ ଅକ୍ତିଆର କରିଛନ୍ତି। ଜାଦେଜା (୩୯୭) ତୃତୀୟ ଓ ଅଶ୍ବିନ୍‌ (୨୮୧) ଷଷ୍ଠ ସ୍ଥାନ ପାଇଛନ୍ତି। ବେନ୍‌ ଷ୍ଟୋକ୍ସ (୪୪୬) ଶୀର୍ଷରେ ରହିଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ର ଜାସନ୍‌ ହୋଲ୍‌ଡର (୪୨୩) ଦ୍ବିତୀୟରେ ଅଛନ୍ତି। ଆଇସିସିର ଦଳଗତ ମାନ୍ୟତାରେ ଭାରତ (୧୧୪) ଏବେ ତୃତୀୟରେ ରହିଥିଲା ବେଳେ ନ୍ୟୁଜିଲାଣ୍ଡ୍‌ (୧୧୬) ଦ୍ବିତୀୟକୁ ଲମ୍ଫ ଦେଇଛି। ତେବେ ଡେସିମଲ୍‌ ପଏଣ୍ଟ୍‌ ଭିତ୍ତିରେ ଅଷ୍ଟ୍ରେଲିଆ (୧୧୬) ଶୀର୍ଷରେ ଅପରିବର୍ତିତ ରହିଛି। ଇଂଲଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍‌, ବାଂଲାଦେଶ ଏବଂ ଜିମ୍ବାୱେ ଯଥାକ୍ରମେ ପଛକୁ ପଛ ଶୀର୍ଷ-୧୦ରେ ସୁରକ୍ଷିତ ରହିଛନ୍ତି।

ସମ୍ବନ୍ଧିତ ଖବର