ଆଇସିସି ଟେଷ୍ଟ୍‌ ମାନ୍ୟତା: ତୃତୀୟକୁ ଖସିଲା ଭାରତ, ଶୀର୍ଷକୁ ଲମ୍ଫ ମାରିଲା ଅଷ୍ଟ୍ରେଲିଆ

ଦୁବା‌ଇ: ଗୋଟିଏ ପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୨ରେ ପରାଜିତ ହେବା ଏବଂ ଅନ୍ୟପଟେ ୫ ମ୍ୟାଚ୍‌ ବିଶିଷ୍ଟ ଆସେସ୍‌ ଶୃଙ୍ଖଳାକୁ ୪-୦ରେ ଅଷ୍ଟ୍ରେଲିଆ ଜିତିବା ପରେ ଆଇସିସି ଦଳଗତ ମାନ୍ୟତାରେ ବଡ଼ ପରିବର୍ତନ ଦେଖାଯାଇଛି। ଏହି ତା‌ଲିକାର ଶୀର୍ଷ ସ୍ଥାନରେ ଥିବା ଭାରତକୁ ଗାଦିଚ୍ୟୁତ କରି ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନ ମାଡ଼ି ବସିଥିଲା ବେଳେ ଭାରତ କିନ୍ତୁ ତୃତୀୟ ସ୍ଥାନକୁ ଖସିଯାଇଛି। ଅଷ୍ଟ୍ରେଲିଆ ୧୧୯ ପଏଣ୍ଟ୍‌ରେ ପହଞ୍ଚିଥିଲା ବେଳେ ଭାରତଠୁ ୩ ଉପରେ ରହିଛି। ଫଳରେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି)ର ପ୍ରଥମ ସଂସ୍କରଣ ବିଜେତା ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ସ୍ଥାନରେ ଅପରିବର୍ତିତ ରହିଛି। ଏହି ଦଳ ବାଂଲାଦେଶ ବିପକ୍ଷ ଘରୋଇ ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ ରଖିବା ଯୋଗୁ ହିଁ ମାନ୍ୟତାରେ ସ୍ଥିର ରହିପାରିଛି। ଅନ୍ୟପକ୍ଷରେ ଭାରତକୁ ୨-୧ରେ ପରାସ୍ତ କରିବା ପରେ ଦକ୍ଷିଣ ଆଫ୍ରିକା ଗୋଟିଏ ସ୍ଥାନ ଉଠି ପଞ୍ଚମରେ ପହଞ୍ଚି ଯାଇଥିଲା ବେଳେ ଆସେସ୍‌ ପରାଜୟ ଇଂଲଣ୍ଡକୁ ଚତୁର୍ଥ ସ୍ଥାନରେ ରହିବାକୁ ବାଧ୍ୟ କରିଛି। ପାକିସ୍ତାନ ଗୋଟିଏ ସ୍ଥାନ ହରାଇ ଷଷ୍ଠରେ ପହଞ୍ଚିଥିଲା ବେଳେ ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍‌, ବାଂଲାଦେଶ, ଜିମ୍ବାୱେ, ଆଫ୍‌ଗାନିସ୍ତାନ ଏବଂ ଆୟର୍ଲାଣ୍ଡ୍‌ ଯଥାକ୍ରମେ ସପ୍ତମରୁ ଦ୍ବାଦଶ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର