ଦୁବାଇ : ବୁଧବାର ନୂଆ ବର୍ଷ ୨୦୨୦ରେ ପ୍ରଥମ ଥର ପ୍ରକାଶିତ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ଟେଷ୍ଟ୍‌ ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବ୍ୟାଟ୍‌ସମ୍ୟାନ୍‌ଙ୍କ ତାଲିକାର ଶୀର୍ଷ ସ୍ଥାନରେ ଅବିଚଳିତ ରହିଛନ୍ତି। ହେଲେ ଚେତେଶ୍ବର ପୂଜାରା ଓ ଆଜିଙ୍କ୍ୟ ରହାଣେ ନିମ୍ନଗାମୀ ହୋଇଛନ୍ତି। କୋହଲି ସର୍ବାଧିକ ୯୨୮ ପଏଣ୍ଟ୍‌ ସହ ଶୀର୍ଷରେ ସ୍ଥିର ରହିଥିଲା ବେଳେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ (୯୧୧) ଦ୍ବିତୀୟ ସ୍ଥାନରେ ଅଛନ୍ତି। କିନ୍ତୁ ପୂଜାରା (୭୯୧) ଗୋଟିଏ ସ୍ଥାନ ଖସି ଷଷ୍ଠରେ ପହଞ୍ଚିଥିଲା ବେଳେ ରହାଣେ (୭୫୯) ଦୁଇଟି ସ୍ଥାନ ହରାଇ ନବମକୁ ଖସି ଯାଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆର ମାର୍ନସ ଲବୁସାନ୍‌ ଜୀବନର ଶ୍ରେଷ୍ଠ ମାନ୍ୟତା ଭାବେ ତୃତୀୟ ସ୍ଥାନକୁ ଲମ୍ଫ ମାରିଥିଲା ବେଳେ ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍‌ସ ଦ୍ବିତୀୟ ଥର ପାଇଁ ବ୍ୟାଟ୍‌ସମ୍ୟାନ୍‌ଙ୍କ ତାଲିକାରେ ଶୀର୍ଷ-୧୦କୁ ଫେରିଛନ୍ତି।

Advertisment

ବୋଲରଙ୍କ ମାନ୍ୟତା ତାଲିକାରେ ଆହତ ପରେ ପ୍ରତ୍ୟାବର୍ତନ କରିଥିବା ଭାରତୀୟ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା (୭୯୪ ପଏଣ୍ଟ୍‌) ଷଷ୍ଠ ସ୍ଥାନରେ ଅପରିବର୍ତିତ ରହିଥିଲା ବେଳେ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ (୭୭୨) ଏବଂ ଦ୍ରୁତ ବୋଲର ମହମ୍ମଦ ସାମି (୭୭୧) ଯଥାକ୍ରମେ ନବମ ଓ ଦଶମରେ ରହି ଶୀର୍ଷ-୧୦ରେ ଭାରତୀୟଙ୍କ ଆଧିପତ୍ୟ ଦର୍ଶାଇଛନ୍ତି। ବୋଲରଙ୍କ ମାନ୍ୟତାରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସ (୯୦୪) ଶୀର୍ଷରେ ରହିଥିଲା ବେଳେ ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର ନିଲ୍‌ ୱାଗ୍‌ନର (୮୫୨) ଏବଂ ୱେଷ୍ଟଇଣ୍ଡିଜ୍‌ ଦ୍ରୁତ ବୋଲର ଜାସନ୍‌ ହୋଲ୍‌ଡର (୮୩୦) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ତାଙ୍କ ଜୀବନର ପୂର୍ବ ଶ୍ରେଷ୍ଠ ମାନ୍ୟତା (୨୦୧୮ରେ ପଞ୍ଚମ ସ୍ଥାନ)ର ସମକକ୍ଷ ହୋଇଛନ୍ତି। ସ୍ପିନର ନାଥନ୍‌ ଲାୟନ୍‌ ୫ ସ୍ଥାନ ଲମ୍ଫ ମାରି ଯୁଗ୍ମ ୧୪ରେ ପହଞ୍ଚିଛନ୍ତି।