ଆଇସିସି ଟେଷ୍ଟ ର‍୍ୟାକିଂ: ଓ୍ଵାର୍ଣ୍ଣରଙ୍କୁ ପଛରେ ପକାଇ ୫ମ ସ୍ଥାନରେ କୋହଲି

ଗୋଟିଏ ପାଦ ଖସିଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦ୍ୱାରା ଜାରି ହୋଇଥିବା ତାଜା ର‍୍ୟାଙ୍କିରେ ୫ମ ସ୍ଥାନ ହାସଲ କରିଛନ୍ତି। ସେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡାଭିଡ଼ ଓ୍ଵାର୍ଣ୍ଣରଙ୍କ ସ୍ଥାନ ନେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ବୋଲର ରବୀନ୍ଦ୍ର ଜାଡ଼େଜା ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସି ୩ୟ ସ୍ଥାନରେ ପହଞ୍ଚିଛନ୍ତି।

କୋହଲି ଶ୍ରୀଲଙ୍କା ବିପକ୍ଷରେ କୋଲକାତା ଟେଷ୍ଟରେ ଭାରତର ୨ୟ ପାଳିରେ ଶତକ ହାସଲ କରିଥିଲେ। ଏଥି ସହିତ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୫୦ତମ ଶତକ ହାସଲ କରିଛନ୍ତି। ଏହାରି ପ୍ରଭାବ ଓ୍ଵାର୍ଣ୍ଣରଙ୍କ ଉପରେ ପଡ଼ିଛି।

ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟରେ ବିଶ୍ୱର ଏକ ନମ୍ବର ଖେଳାଳି କୋହଲି ଅମିମଂଶିତ ଖେଳ ଶେଷ ହୋଇଥିବା କୋଲକାତା ଟେଷ୍ଟରେ ଅପରାଜିତ ୧୦୪ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଓପନର ଶିଖର ଧାଓ୍ଵନ ୨୮ତମ ସ୍ଥାନରେ ରହିଛନ୍ତି। ଚେତେଶ୍ୱର ପୂଜାରା ପୂର୍ବଭଳି ୪ର୍ଥ ସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ଲୋକେଶ ରାହୁଲ ୮ମ ସ୍ଥାନରେ ଥିବା ବେଳେ ଆଜିଙ୍କ୍ୟ ରାହାଣେ ୪ ପାଦ ତଳକୁ ଖସି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି।

ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୮ପାଦ ଡେଇଁ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ୨୯ତମ ସ୍ଥାନରେ ପହଞ୍ଚିଥିବା ବେଳେ ସାଥୀ ବୋଲର ମହମ୍ମଦ ସାମି ଗୋଟିଏ ପାଦରେ ସୁଧାର ଆଣି ୧୮ତମ ସ୍ଥାନରେ ପହଞ୍ଚିଛନ୍ତି।

ରବୀନ୍ଦ୍ର ଜେଡେଜାଙ୍କ ପାଖରେ ଶ୍ରୀଲଙ୍କା ବିପକ୍ଷରେ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଉଭୟ ବୋଲିଂ ଓ ବ୍ୟାଟିଂ ର‍୍ୟାକିଂ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିବାର ସୁଯୋଗ ଥିଲା କିନ୍ତୁ କୋଲକାତା ଟେଷ୍ଟରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳି ନଥିଲା। ଏହି କାରଣରୁ ଜାଡ଼େଜାଙ୍କୁ କ୍ଷତି ପହଞ୍ଚାଇଛି। ଏହା ବ୍ୟତୀତ ସେ ଅଲରାଉଣ୍ଡ ର‍୍ୟାକିଂରେ ତଳକୁ ଖସିଛନ୍ତି। ଜାଡେଜାଙ୍କ ସାଥୀ ବୋଲର ରବିଚନ୍ଦ୍ରନ ଅଶ୍ୱିନ ପୂର୍ବ ଭଳି ୪ର୍ଥ ସ୍ଥାନରେ ଅଛନ୍ତି।

ଶ୍ରୀଲଙ୍କା ଖେଳାଳି ନିରୋଶନ ଡିକଭେଲା ବ୍ୟାଟିଂ ର‍୍ୟାକିଂରେ ୩ ପାଦ ଉପରକୁ ଉଠିବା ସହିତ ୩୭ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିଭଳି ସ୍ପିନର ଦିଲରୁଓ୍ଵାନ ପରେରା ୨୨ତମ ସ୍ଥାନରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର