ଦୁବାଇ: ଇଂଲଣ୍ଡ ବିପକ୍ଷ ଅସମାପ୍ତ ଟେଷ୍ଟ୍ ଶୃଙ୍ଖଳାର ସମାପ୍ତି ପରେ ଆଇସିସି ମାନ୍ୟତାରେ ଭାରତୀୟ ଖେଳାଳିଙ୍କୁ ମିଶ୍ର ଫଳ ମିଳିଛି। ଭାରତର ତାରକା ୱିକେଟ୍ରକ୍ଷକ ବ୍ୟାଟର୍ ଋଷଭ ପନ୍ତ୍ ନିଜ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା ପାଇଥିଲା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ନିମ୍ନଗାମୀ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍ର ପ୍ରଥମ ପାଳିରେ ୧୪୬ ଏବଂ ଦ୍ବିତୀୟ ପାଳିରେ ୫୭ ରନ୍ କରିଥିବା ପନ୍ତ୍ ବୁଧବାର ପ୍ରକାଶିତ ବ୍ୟାଟର୍ଙ୍କ ମାନ୍ୟତାରେ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛନ୍ତି। ପନ୍ତ୍ ତାଙ୍କର ଶେଷ ୬ ଟେଷ୍ଟ୍ ପାଳିରେ ୨ ଶତକ ଓ ୩ ଅର୍ଦ୍ଧଶତକ ଜମାଇବାର ପୁରସ୍କାର ପାଇଯାଇଛନ୍ତି। ଅନ୍ୟପକ୍ଷରେ ଫର୍ମ ସହ ସଂଘର୍ଷ କରୁଥିବା କୋହଲି କିନ୍ତୁ ପ୍ରାୟ ୬ ବର୍ଷ ତଥା ୨୦୫୩ ଦିନ ପରେ ପ୍ରଥମ ଥର ଲାଗି ଶୀର୍ଷ-୧୦ ମାନ୍ୟତା ବାହାରକୁ ଚାଲିଯାଇଛନ୍ତି। ସେ ପୂର୍ବ ମାନ୍ୟତାର ୪ ସ୍ଥାନ ହରାଇ ଏବେ ତ୍ରୟୋଦଶ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି କୋଭିଡ୍ ପାଇଁ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍ ଖେଳିପାରିନଥିବା ଅଧିନାୟକ ରୋହିତ ଶର୍ମା ଗୋଟିଏ ସ୍ଥାନ ଖସି ଯାଇଛନ୍ତି। ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ସେ ନବମ ସ୍ଥାନ ପାଇଥିଲା ବେଳେ ପନ୍ତ୍ଙ୍କ ସହ କେବଳ ଦୁଇ ଭାରତୀୟ ଭାବେ ଶୀର୍ଷ-୧୦ ମଣ୍ଡନ କରିଛନ୍ତି।
ଦୁଇ ଜଣ ବ୍ୟାଟର୍ଙ୍କ ଭଳି ଦୁଇ ଜଣ ଭାରତୀୟ ବୋଲର ମଧ୍ୟ ଶୀର୍ଷ-୧୦ରେ ସ୍ଥାନ ମାଡ଼ି ବସିଛନ୍ତି। ରବିଚନ୍ଦ୍ରନ୍ ଅଶ୍ବିନ୍ ଏବଂ ଯଶ୍ପ୍ରୀତ୍ ବୁମ୍ରା ଯଥାକ୍ରମେ ବୋଲରଙ୍କ ମାନ୍ୟତାର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଅଲ୍ରାଉଣ୍ଡରଙ୍କ ମାନ୍ୟତାରେ ମଧ୍ୟ ଭାରତର ଦୁଇ ଜଣ ରହିଛନ୍ତି। ତେବେ ଭାରତ ଏହି ତାଲିକାର ଶୀର୍ଷ ଦୁଇ ସ୍ଥାନ ଅକ୍ତିଆର କରିଛି। ରବୀନ୍ଦ୍ର ଜାଦେଜା ଏବଂ ଅଶ୍ବିନ୍ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟରେ ରହିଛନ୍ତି।