ଆଇସିସି ଟେଷ୍ଟ୍‌ ମାନ୍ୟତା, ତୃତୀୟକୁ ଉଠିଲେ ବ୍ରଡ୍‌

ହୃଦୟ ଜିତଲା ସଚିନ୍‌ଙ୍କ ଟ୍ବିଟ୍‌, ୬ ଛକା କଥା ଉଠାଅନି: ଯୁବି

ଦୁବାଇ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ଟେଷ୍ଟ୍‌ରେ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ ଦେଇଥିବା ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ସଦ୍ୟ ପ୍ରକାଶିତ ଆଇସିସି ମାନ୍ୟତାର ୭ଟି ସ୍ଥାନ ଉପରକୁ ଉଠି ତୃତୀୟରେ ପହଞ୍ଚିଛନ୍ତି। ସେ ଏହି ମ୍ୟାଚ୍‌ରେ ୧୦ ୱିକେଟ୍‌ ଅକ୍ତିଆର କରିବା ସହ ୫୦୦ ୱିକେଟ୍‌ କ୍ଲବ୍‌ରେ ସାମିଲ ହୋଇଥିଲେ। ସେହିପରି ଶେଷ ଟେଷ୍ଟ୍‌ର ପ୍ରଥମ ପାଳିରେ ଧୁଆଁଧାର ଅର୍ଧଶତକ ହାସଲ କରିଥିବା ବ୍ରଡ୍‌ (୬୨ ରନ୍‌, ୪୫ ବଲ୍‌) ଅଲ୍‌ରାଉଣ୍ଡର ମାନ୍ୟତାରେ ମଧ୍ୟ ୩ ସ୍ଥାନ ଲମ୍ଫ ଦେଇ ଏକାଦଶରେ ରହିଛନ୍ତି।

ବ୍ୟାଟ୍ସମ୍ୟାନ୍‌ ତାଲିକାରେ ଶୀର୍ଷରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ରହିଥିଲା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଦ୍ବିତୀୟରେ ରହିଛନ୍ତି। ‌ଅନ୍ୟ ଭାରତୀୟଙ୍କ ମଧ୍ୟରେ ଚେତେଶ୍ବର ପୂଜାରା (ସପ୍ତମ) ଓ ଆଜଙ୍କ୍ୟ ରାହାଣେ (ନବମ) ଶୀର୍ଷ‌ ୧୦ରେ ରହିଛନ୍ତି। ଅଲ୍‌ରାଉଣ୍ଡର୍‌ ତାଲିକାରେ ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍‌ ଅଶ୍ବିନ ଯଥାକ୍ରମେ ତୃତୀୟ ଓ ପଞ୍ଚମରେ ଅଛନ୍ତି। ବୋଲର ମାନ୍ୟତାରେ ଯଶପ୍ରୀତ ବୁମ୍‌ରା ଅଷ୍ଟମରେ ରହିଛନ୍ତି। ମାଞ୍ଚେଷ୍ଟର ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ୫ ୱିକେଟ୍‌ ନେଇଥିବା ଇଂଲଣ୍ଡ ଦ୍ରୁତ ବୋଲର କ୍ରିସ୍‌ ୱକ୍ସ ବିଂଶତମ ସ୍ଥାନରେ ରହିଛନ୍ତି। ଓଲ୍ଡ ଟ୍ରାଫୋର୍ଡରେ ୫୭ ଓ ୯୦ ରନ୍‌ କରିଥିବା ଇଂଲଣ୍ଡ ଓପନର୍‌ ରୋରି ବର୍ନ୍ସ (ସପ୍ତଦଶ) ୧୩ଟି ସ୍ଥାନ ଉପରକୁ ଉଠି ପ୍ରଥମ ଥର ଲାଗି ଶୀର୍ଷରେ ୨୦ରେ ପହଞ୍ଚିଛନ୍ତି। ଓଲି ପୋପ୍‌ (୪୬) ଓ ଜସ୍‌ ବଟଲର୍‌ (୪୪)ରେ ରହିଛନ୍ତି। ୱେଷ୍ଟ୍‌ଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ ସାଇ ହୋପ ଦୁଇଟି ସ୍ଥାନ ଉପରକୁ ଉଠି ୬୮ ଏବଂ ବୋଲର କେମାର ରୋଚ ପଞ୍ଚଦଶ ସ୍ଥାନରେ ରହିଛନ୍ତି।

ଦିନିକିଆ: ଶୀର୍ଷରେ କୋହଲି ସ୍ଥିର
ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍‌ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। କୋହଲି (୮୭୧ ପଏଣ୍ଟ୍‌)ଙ୍କ ପଛକୁ ତାଙ୍କ ଦଳୀୟ ସାଥୀ ରେହିତ ଶର୍ମା (୮୫୫) ଦ୍ବିତୀୟ ଓ ପାକିସ୍ତାନର ବାବର ଆଜମ (୮୨୯) ତୃତୀୟରେ ରହିଛନ୍ତି। ଶୀର୍ଷ ୧୦ ଭିତରେ କୋହଲି ଓ ରୋହିତଙ୍କ ଛଡ଼ା ଅନ୍ୟ କୌଣସି ଭାରତୀୟ ନାହାନ୍ତି। ବୋଲର ମାନ୍ୟତାରେ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ୍‌ ବୋଲ୍ଟ (ପ୍ରଥମ)ଙ୍କ ପଛକୁ ଭାରତୀୟ ତାରକା ଯଶପ୍ରୀତ ବୁମ୍‌ରା ଦ୍ବିତୀୟରେ ରହିଛନ୍ତି। ଅଲ୍‌ରାଉଣ୍ଡର ତାଲିକାର ଶୀର୍ଷ ୧୦ରେ ଏକମାତ୍ର ଭାରତୀୟ ଭାବେ ରବୀନ୍ଦ୍ର ଜାଦେଜା ରହିଛନ୍ତି।

ହୃଦୟ ଜିତଲା ସଚିନ୍‌ଙ୍କ ଟ୍ବିଟ୍‌

ନୂଆଦିଲ୍ଲୀ: ୫୦୦ ୱିକେଟ୍‌ ମାଇଲ୍‌ଖୁଣ୍ଟ ପାଇଁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ଏହି ଦ୍ରୁତ ବୋଲର ତାଙ୍କ ମିସନ୍‌ରେ ପୂରା ସଫଳ ହୋଇଛନ୍ତି ଏବଂ ସଂଘର୍ଷପୂର୍ଣ୍ଣ ଶୃଙ୍ଖଳା ବିଜୟ ପାଇଁ ଇଂଲଣ୍ଡ ଦଳକୁ ଟ୍ବିଟର୍‌ରେ ଅଭିନନ୍ଦନ ଜଣାଇଛନ୍ତି ସଚିନ। ମୋର ପୂର୍ବାନୁମାନ ସତ ହେଲା। ବ୍ରଡ୍‌ ସଫଳ ହେଲେ। ସେ ମଧ୍ୟ ୫୦୦ ୱିକେଟ୍‌ ଅକ୍ତିଆର କରିବାରେ ଜେମ୍‌ସ ଆଣ୍ଡରସନ୍‌ଙ୍କ ପଛକୁ ଦ୍ବିତୀୟ ଇଂଲିସ୍‌ ବୋଲର ହେଲେ। ସେଥିପାଇଁ ତାଙ୍କୁ ମୋର ବିଶେଷ ଅଭିନନ୍ଦନ ବୋଲି ସଚିନ ଟ୍ବିଟ୍‌ କରିଛନ୍ତି। ବ୍ରଡ୍‌ଙ୍କ ୫୦୦ ୱିକେଟ୍‌ ଉପରେ ସଚିନ୍‌ଙ୍କ ଏହି ଟ୍ବିଟ୍‌ କ୍ରିକେଟର୍‌ଙ୍କ ହୃଦୟ ଜିତିନେଇଛି।

୬ ଛକା କଥା ଉଠାଅନି: ଯୁବି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହ ୫୦୦ ଟେଷ୍ଟ୍‌ ୱିକେଟ୍‌ କ୍ଲବ୍‌ରେ ସାମିଲ ହୋଇଥିବା ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ପ୍ରଶଂସ‌ା କରିଛନ୍ତି। ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୬ ବଲ୍‌ ୬ଛକା ସହ ନଯୋଡ଼ି, ୫୦୦ ୱିକେଟ୍ ସଫଳତା ଲାଗି ବ୍ରଡ୍‌ଙ୍କୁ ପ୍ରଶଂସା କରିବାକୁ ସେ ନିଜ ପ୍ରଶଂସକଙ୍କୁ ଆହ୍ବାନ କରିଛନ୍ତି। ବ୍ରଡ୍‌ଙ୍କୁ ଅଭିନନ୍ଦନ ଜଣାଇବାକୁ ଯାଇ ଯୁବି ତାଙ୍କ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି ‘ମୁଁ ଯେତେବେଳେ ବ୍ରଡ୍‌ଙ୍କ ବିଷୟରେ କିଛି ଲେଖେ। ଲୋକମାନେ ୬ ବଲ୍‌ ୬ ଛକାକୁ ଯୋଡ଼ିଥାନ୍ତି! ଆଜି ମୋର ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ, ତାଙ୍କର ୫୦୦ ୱିକେଟ୍‌ ସଫଳତାକୁ ପ୍ରଶଂସା କରନ୍ତୁ। ଏହା ସାଧାରଣ ନୁହେଁ, ଏଥିପାଇଁ କଠିନ ପରିଶ୍ରମ, ଉତ୍ସର୍ଗୀକୃତ ଏବଂ ନିଷ୍ଠା ଆବଶ୍ୟକ। ବ୍ରଡ୍‌ ତୁମେ ମହାନ! ନତମସ୍ତକ’’। ସୂଚନାଯୋଗ୍ୟ ଯେ ଯୁବି ୨୦୦୭ ଟି-୨୦ ବିଶ୍ବକପ୍‌ର ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବ୍ରଡ୍‌ଙ୍କ ଗୋଟିଏ ଓଭରରୁ ୬ ଛକା ଅମଳ କରି ଚହଳ ସୃଷ୍ଟି କରିଥିଲେ। ଡର୍ବାନର ସେହି ଦୁଃଖଦ ରାତି ପରେ କିନ୍ତୁ ବ୍ରଡ୍ ୧୪୦ ଟେଷ୍ଟ୍‌, ୧୨୧ ଦିନିକିଆ ଓ ୫୬ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୭୪୪ ୱିକେଟ୍‌ ଅକ୍ତିଆର କରିଛନ୍ତି। ଇଂଲଣ୍ଡର ଅନ୍ୟତମ ସଫଳତ ବୋଲର ଭାବେ ନିଜକୁ ଗଢ଼ି ତୋଳିଛନ୍ତି।

ସମ୍ବନ୍ଧିତ ଖବର