ଆଇସିସି ଟେଷ୍ଟ୍‌ ମାନ୍ୟତା: କୋହଲି ସ୍ଥିର, ରହାଣେ ଖସିଲେ

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍‌ ମାନ୍ୟତାର ବ୍ୟାଟ୍‌ସମ୍ୟାନ୍‌ଙ୍କ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ଆଜିଙ୍କ୍ୟ ରହାଣେ କିନ୍ତୁ ଖସି ଯାଇଛନ୍ତି। ଏହି ତାଲିକାରେ କୋହଲିଙ୍କ ପଛକୁ ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌, ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌, ଭାରତର ଚେତେଶ୍ବର ପୂଜାରା, ଅଷ୍ଟ୍ରେଲିଆର ମାର୍ନସ୍‌ ଲବୁସାନ୍‌ ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ରହିଥିଲା ବେଳେ ତିନି ସ୍ଥାନ ଲମ୍ଫ ମାରି ପାକିସ୍ତାନର ବାବର ଆଜମ୍‌ ଷଷ୍ଠକୁ ଉଠିଛନ୍ତି। ହେଲେ ଭାରତର ଉପଅଧିନାୟକ ରହାଣେ ଷଷ୍ଠରୁ ସପ୍ତମକୁ ଖସିଯାଇଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ଡେଭିଡ୍‌ ୱର୍ନର, ଇଂଲଣ୍ଡର ଜୋ ରୁଟ୍‌ ଏବଂ ନ୍ୟୁଜିଲାଣ୍ଡ୍‌ର ରସ୍‌ ଟେଲର ଶୀର୍ଷ-୧୦ରେ ସ୍ଥାନ ଅକ୍ତିଆର କରିଛନ୍ତି। ତେବେ ଅନ୍ୟ ଦୁଇ ଭାରତୀୟ ମୟଙ୍କ ଅଗ୍ରୱାଲ (୧୨) ଓ ରୋହିତ ଶର୍ମା (୧୫) ଶୀର୍ଷ-୨୦ରେ ରହିଛନ୍ତି।

ଅନ୍ୟପକ୍ଷରେ ବୋଲରଙ୍କ ମାନ୍ୟତାରେ ଆହତ ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରୁ ଏପର୍ଯ୍ୟନ୍ତ ଖେଳିନଥିବା ଭାରତୀୟ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଷଷ୍ଠ ସ୍ଥାନରେ ଅପରିବର୍ତିତ ରହିଥିଲା ବେଳେ ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ ସ୍ପିନର ରବୀନ୍ଦ୍ର ଜାଦେଜା ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି। ଦଳଗତ ମାନ୍ୟତାରେ ଭାରତ ଶୀର୍ଷରେ ବର୍ଷ ଶେଷ କରିଥିଲା ବେଳେ ଅଷ୍ଟ୍ରେଲିଆ ଦ୍ବିତୀୟରେ ରହିଛି।

ସମ୍ବନ୍ଧିତ ଖବର