ନୂଆଦିଲ୍ଲୀ: ବିଶାଖାପାଟଣା ଟେଷ୍ଟ୍‌ରେ ଭାରତକୁ ବିଜୟୀ କରାଇଥିବା ଯଶପ୍ରୀତ୍‌ ବୁମ୍‌ରା ଆଇସିସି ଟେଷ୍ଟ୍‌ ମାନ୍ୟତାରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏଥିସହିତ ସେ ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ଏହି ସ୍ଥାନରେ ପହଞ୍ଚିଛନ୍ତି। ବୁମ୍‌ରା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭାରତର ଦ୍ରୁତତମ ବୋଲର ଭାବେ ୧୫୦ ୱିକେଟ୍‌ ଅତିକ୍ରମ କରିଥିଲେ। ମ୍ୟାଚ୍‌ରେ ୯ ୱିକେଟ୍‌ (୩/୪୬, ୬/୪୫) ନେଇ ଭାରତକୁ ଜିତାଇଥିବାରୁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଏହି ସଫଳତା ପରେ ବୋଲର ମାନ୍ୟତାରେ ସେ ୩ସ୍ଥାନ ଉପରକୁ ଉଠି ୧ ନମ୍ବରରେ ପହଞ୍ଚିଥିଲେ ଏବଂ ସାଥୀ ଖେଳାଳି ରବିଚନ୍ଦ୍ରନ ଅଶ୍ବିନଙ୍କଠୁ ଶୀର୍ଷ ସ୍ଥାନ ଛଡ଼ାଇ ଆଣିଥିଲେ। ପୂର୍ବରୁ ୩୦ ବର୍ଷିୟ ବୁମ୍‌ରା ଶ୍ରେଷ୍ଠ ତୃତୀୟ ସ୍ଥାନ ପର୍ଯ୍ୟନ୍ତ ଆସିପାରିଥିଲେ। ୩୪ ଟେଷ୍ଟ୍‌ରେ ସେ ୧୦ ଥର ୫ ୱିକେଟ୍‌ ସଫଳତା ପାଇଛନ୍ତି। ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା (୬/୬୧) ଓ ଇଂଲଣ୍ଡ (୬/୪୫) ବିପକ୍ଷରେ ସେ ଏହି ସଫଳତା ପାଇସାରିଛନ୍ତି। ଅନ୍ୟପକ୍ଷରେ ଗତବର୍ଷ ମାର୍ଚ୍ଚ ମାସରୁ ଶୀର୍ଷ ସ୍ଥାନ ବଜାୟ ରଖିଆସୁଥିବା ଅଶ୍ବିନ ଦ୍ବିତୀୟ ଟେଷ୍ଟରେ ମାତ୍ର ୩ ୱିକେଟ୍‌ ନେଇଥିବାରୁ ଦୁଇଟି ସ୍ଥାନ ତଳକୁ ଖସିଆସିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡ଼ା ଦ୍ବିତୀୟ ସ୍ଥାନରେ ଅଛନ୍ତି। ଅଲରାଉଣ୍ଡର୍‌ଙ୍କ ମଧ୍ୟରେ ଅକ୍ଷର ପଟେଲ୍‌ ଗୋଟିଏ ସ୍ଥାନ ଚଢ଼ି ପଞ୍ଚମରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଟେଷ୍ଟ୍ କ୍ରିକେଟ୍‌ରେ ଅନ୍ୟୂନ ଦେଢ଼ ଶହ ୱିକେଟ୍ ନେଇଥିବା ବୋଲରଙ୍କ ବୋଲିଂ ହାର ତାଲିକାରେ ବୁମ୍‌ରା ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେ କେବଳ ଇଂଲଣ୍ଡର ମହାନ ଦ୍ରୁତ ବୋଲର ସିଡ୍‌ନି ବାର୍ନସଙ୍କଠାରୁ ପଛରେ ରହିଛନ୍ତି। ବର୍ନସଙ୍କ ବୋଲିଂ ହାର ୧୬.୪୩ ଥିଲା ବେଳେ ବୁମ୍‌ରାଙ୍କ ବୋଲିଂ ହାର ରହିଛି ୨୦.୨୯।

Advertisment

publive-image

ତୃତୀୟ ଓ ଚତୁର୍ଥ ଟେଷ୍ଟ୍‌ରେ ଖେଳି ନପାରନ୍ତି କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ଛୁଟି ନେଇଥିବା ଭାରତୀୟ ତାରକା ବ୍ୟାଟର୍‌ ବିରାଟ କୋହଲି ଏବେ ତୃତୀୟ ଓ ଚତୁର୍ଥ ଟେଷ୍ଟରେ ମଧ୍ୟ ଉପଲବ୍ଧ ହୋଇ ନପାରନ୍ତି। ଏକ ରିପୋର୍ଟ ଅନୁସାରେ କୋହଲି ତାଙ୍କ ଦ୍ବିତୀୟ ସନ୍ତାନ ଅପେକ୍ଷାରେ ଥିବାରୁ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ଏପରିକି ପଞ୍ଚମ ଟେଷ୍ଟରେ ମଧ୍ୟ ସେ ଖେଳି ନପାରିବା ଆକଳନ କରାଯାଉଛି। ତୃତୀୟ ଟେଷ୍ଟ ମ୍ୟାଚ୍‌ ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌ରେ ୧୫ ତାରିଖରୁ ଆରମ୍ଭ ହେବ। ଚତୁର୍ଥ ଟେଷ୍ଟ ରାଞ୍ଚିରେ ୨୩ ତାରିଖରୁ ଏବଂ ପଞ୍ଚମ ଟେଷ୍ଟ ଧର୍ମଶାଳାରେ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବ। ତେବେ ଚୟନକର୍ତ୍ତାମାନେ କୋହଲିଙ୍କ ସହ ଆଲୋଚନା କରିବା ପରେ ଦଳ ଘୋଷଣା କରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆହତ ଯୋଗୁଁ ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିଥିବା କେଏଲ୍‌ ରାହୁଲ ଓ ରବୀନ୍ଦ୍ର ଜାଡ଼େଜା ତୃତୀୟ ଟେଷ୍ଟକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି।