ଦୁବାଇ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପୁଣି ଥରେ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ)ର ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ଙ୍କ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନକୁ ଫେରିଛନ୍ତି। ଏ କ୍ଷେତ୍ରରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ଙ୍କୁ ଶୀର୍ଷରୁ ଗାଦିଚ୍ୟୁତ କରିଦେଇଛନ୍ତି। ସଦ୍ୟ ପ୍ରକାଶିତ ମାନ୍ୟତା କାଲିକାରେ ସ୍ମିଥ୍ ଗୋଟିଏ ସ୍ଥାନ ଖସି ଦ୍ବିତୀୟରେ ପହଞ୍ଚିଥିଲା ବେଳେ ବାଂଲାଦେଶ ବିପକ୍ଷ କୋଲ୍କାତା ଦିବା-ରାତ୍ର ଟେଷ୍ଟ୍ରେ ୧୩୬ ରନ୍ କରିଥିବା କୋହଲି ଦ୍ବିତୀୟରୁ ଶୀର୍ଷକୁ ଉଠିଛନ୍ତି। କୋହଲିଙ୍କ ପଏଣ୍ଟ୍ ୯୨୮ରେ ପହଞ୍ଚିଥିଲା ବେଳେ ସ୍ମିଥ୍ (୯୨୩)ଙ୍କଠାରୁ ୫ ଅଧିକ ରହିଛି। ପାକିସ୍ତାନ ବିପକ୍ଷ ଆଡିଲେଡ୍ ଟେଷ୍ଟ୍ରେ ମାତ୍ର ୩୬ ରନ୍ କରିଥିବାରୁ ସ୍ମିଥ୍ଙ୍କ ପଏଣ୍ଟ୍ ୯୩୧ରୁ ୯୨୩କୁ ଖସିଯାଇଛି। ବ୍ୟାଟ୍ସମ୍ୟାନ୍ଙ୍କ ମାନ୍ୟତା ତାଲିକାରେ ଭାରତୀୟ ମଧ୍ୟକ୍ରମ ଖେଳାଳି ଚେତେଶ୍ବର ପୂଜାରା ଚତୁର୍ଥ ସ୍ଥାନରେ ଅପରିବର୍ତିତ ରହିଥିଲା ବେଳେ ଆଜିଙ୍କ୍ୟ ରହାଣେ ଗୋଟିଏ ସ୍ଥାନ ଖସି ଷଷ୍ଠରେ ପହଞ୍ଚିଛନ୍ତି। ଆଡିଲେଡ୍ ଟେଷ୍ଟ୍ରେ ଅପରାଜିତ ୩୩୫ ରନ୍ର ପାଳି ଖେଳିଥିବା ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱର୍ନର ୧୨ ସ୍ଥାନ ଲମ୍ଫ ମାରି ପଞ୍ଚମରେ ପହଞ୍ଚି ଯାଇଛନ୍ତି।
ଅନ୍ୟପକ୍ଷରେ ବୋଲରଙ୍କ ମାନ୍ୟତାରେ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଭାରତୀୟ ଭାବେ ପଞ୍ଚମ ସ୍ଥାନ ପାଇଛନ୍ତି। ତେବେ ବରିଷ୍ଠ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ବିନ୍ ନବମ ସ୍ଥାନରେ ସ୍ଥିର ରହିଛନ୍ତି। କିନ୍ତୁ ଅନ୍ୟତମ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ବୋଲରଙ୍କ ମାନ୍ୟତାର ଶୀର୍ଷ-୧୦ ମଧ୍ୟକୁ ଧସେଇ ପସିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧୩ ଏବଂ ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୯ ୱିକେଟ୍ ଦଖଲ କରିବା ପରେ ସାମି ଦଶମ ସ୍ଥାନ ପାଇଛନ୍ତି।
ଟେଷ୍ଟ୍ ଅଲ୍ରାଉଣ୍ଡର ମାନ୍ୟତା ତାଲିକାରେ ଦୁଇ ଜଣ ଭାରତୀୟ ଶୀର୍ଷ-୧୦ରେ ରହିଛନ୍ତି। ଏହି ଦୁଇ ଜଣ ହେଲେ ରବୀନ୍ଦ୍ର ଜାଦେଜା (ଦ୍ବିତୀୟ) ଏବଂ ରବିଚନ୍ଦ୍ରନ୍ ଅଶ୍ବିନ୍ (ପଞ୍ଚମ)।