ଦୁବାଇ: ଭାରତୀୟ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ଆଇସିସି ଟେଷ୍ଟ୍ ମାନ୍ୟତାର ଶୀର୍ଷ ସ୍ଥାନକୁ ଲମ୍ଫ ମାରିଛନ୍ତି। ବୁଧବାର ପ୍ରକାଶିତ ମାନ୍ୟତା ତାଲିକାରେ ସେ ସର୍ବଶ୍ରେଷ୍ଠ ଅଲ୍ରାଉଣ୍ଡର ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ମୋହାଲି ଟେଷ୍ଟ୍ରେ ତାଙ୍କ ପ୍ରଦର୍ଶନ ହିଁ ଜାଦେଜାଙ୍କୁ ବିଶ୍ବର ଏକ ନମ୍ବର ଅଲ୍ରାଉଣ୍ଡରର ମାନ୍ୟତା ପ୍ରଦାନ କରିଛି ବୋଲି ଆଇସିସି ତା’ର ଇସ୍ତାହାରରେ ପ୍ରକାଶ କରିଛି। ଜାଦେଜା ଶ୍ରୀଲଙ୍କା ବିପକ୍ଷ ମୋହାଲି ଟେଷ୍ଟ୍ରେ ଭାରତର ପ୍ରଥମ ପାଳିରେ ଅପରାଜିତ ୧୭୫ ରନ୍ କରି କିଂବଦନ୍ତି କପିଳ ଦେବଙ୍କ କୀର୍ତ୍ତିମାନକୁ ଟପିଯାଇଥିଲେ। ପୁଣି ବୋଲିଂରେ ପ୍ରଥମ ପାଳିରେ ୫ ୱିକେଟ୍ ନେବା ପରେ ଦ୍ବିତୀୟ ପାଳିରେ ୪ ୱିକେଟ୍ ଦଖଲ କରିଥିଲେ। ତାଙ୍କ ଅଲ୍ରାଉଣ୍ଡ୍ ବଳରେ ଭାରତ ସେହି ଟେଷ୍ଟ୍କୁ ଏକ ପାଳି ଓ ୨୨୨ ରନ୍ରେ ଜିତି ନେଇଥିଲା। ଏହି ଟେଷ୍ଟ୍ରେ ଜାଦେଜା ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ହାତେଇଥିଲେ।
ଶ୍ରୀଲଙ୍କା ବିପକ୍ଷ ପ୍ରଦର୍ଶନ ଜାଦେଜାଙ୍କୁ ବ୍ୟାଟ୍ସମ୍ୟାନ୍ଙ୍କ ତାଲିକାରେ ୧୭ ଏବଂ ବୋଲରଙ୍କ ତାଲିକାରେ ୧୭ ସ୍ଥାନ ଉପରକୁ ଉଠିବାର ଫାଇଦା ଦେଇଥିଲା। ଫଳରେ ବ୍ୟାଟର୍ଙ୍କ ମାନ୍ୟତା ତାଲିକାରେ ସେ ୫୪ରୁ ୩୭କୁ ଲମ୍ଫ ମାରିଥିଲା ବେଳେ ବୋଲରଙ୍କ ମାନ୍ୟତାରେ ସପ୍ତଦଶ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତେବେ ଅଲ୍ରାଉଣ୍ଡର ମାନ୍ୟତା ତାଲିକାରେ ସେ ସିଧାସଳଖ ଶୀର୍ଷ ସ୍ଥାନକୁ ଉନ୍ନୀତ ହାଇଛନ୍ତି। ଫଳରେ ୨୦୨୧ ଫେବ୍ରୁଆରିରୁ ଶୀର୍ଷ ସ୍ଥାନ ବଜାୟ ରଖିଥିବା ୱେଷ୍ଟଇଣ୍ଡିଜ୍ ଅଲ୍ରାଉଣ୍ଡର ଜାସନ୍ ହୋଲ୍ଡରଙ୍କୁ ଗାଦିଚ୍ୟୁତ କରି ଜାଦେଜା ଏକ ନମ୍ବର ମାନ୍ୟତାକୁ ୫ ବର୍ଷ ପରେ ପୁଣି ଥରେ ଫେରିଛନ୍ତି। ଶେଷ ଥର ପାଇଁ ଜାଦେଜା ୨୦୧୭ ଅଗଷ୍ଟରେ ହିଁ ଏକ ନମ୍ବର ଅଲ୍ରାଉଣ୍ଡର ମାନ୍ୟତା ପାଇଥିଲେ। ସେତେବେଳେ ଅବଶ୍ୟ ଜାଦେଜା ମାତ୍ର ଗୋଟିଏ ସପ୍ତାହ ପାଇଁ ଶୀର୍ଷ ସ୍ଥାନରେ ବସିଥିଲେ। ଏବେ ଜାଦେଜା ବିଶ୍ବର ଏକ ନମ୍ବର ଟେଷ୍ଟ୍ ଅଲ୍ରାଉଣ୍ଡର ହୋଇଥିଲା ବେଳେ ଏହି ତାଲିକାରେ ତାଙ୍କ ସାଥୀ ସ୍ପିନ୍ ଅଲ୍ରାଉଣ୍ଡର ରବିଚନ୍ଦ୍ରନ୍ ଅଶ୍ବିନ ଗୋଟିଏ ସ୍ଥାନ ଖସି ହୋଲ୍ଡରଙ୍କ ପଛକୁ ତୃତୀୟରେ ପହଞ୍ଚିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଆହତ ଯୋଗୁଁ ମୋହାଲି ଟେଷ୍ଟ୍ ଖେଳିପାରିନଥିବା ଅକ୍ଷର ପଟେଲ ଦୁଇଟି ସ୍ଥାନ ଖସି ଚତୁର୍ଦ୍ଦଶରେ ପହଞ୍ଚିଛନ୍ତି।
ଅନ୍ୟପକ୍ଷରେ ବ୍ୟାଟର୍ଙ୍କ ମାନ୍ୟତାରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଦୁଇଟି ସ୍ଥାନ ଲମ୍ଫ ମାରି ପଞ୍ଚମରେ ପହଞ୍ଚିଥିଲା ବେଳେ ଅଧିନାୟକ ରୋହିତ ଶର୍ମା ଷଷ୍ଠରେ ରହିଛନ୍ତି। ମୋହାଲି ଟେଷ୍ଟ୍ରେ ଆକର୍ଷଣୀୟ ୯୬ ରନ୍ର ପାଳି ଖେଳିଥିବା ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍ ଗୋଟିଏ ସ୍ଥାନ ଉଠି ଦଶମରେ ପହଞ୍ଚିଛନ୍ତି। କିନ୍ତୁ ବୋଲରଙ୍କ ମାନ୍ୟତାରେ ଅଶ୍ବିନ୍ ଦ୍ବିତୀୟ ସ୍ଥାନ ବଜାୟ ରଖିଥିଲା ବେଳେ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ମଧ୍ୟ ଦଶମ ସ୍ଥାନରେ ଅପରିବର୍ତିତ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/jadeja.jpg)