ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା: ଭାରତ ଓ ସୂର୍ଯ୍ୟକୁମାର ଶୀର୍ଷରେ ସ୍ଥିର

ଦୁବାଇ: ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରେ ହାରି ବିଦାୟ ନେଇଯିବା ସତ୍ତ୍ବେ ଆଇସିସି ଟ୍ବେଣ୍ଟି-୨୦ ଦଳଗତ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ଏହାର ମଧ୍ୟକ୍ରମ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଶୀର୍ଷରେ ଅପରିବର୍ତିତ ରହିଛନ୍ତି। ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଯାଇଥିବା ବିଶ୍ବକପ୍‌ରେ ଦମ୍‌ଦାର ପ୍ରଦର୍ଶନ ଜରିଆରେ ୫ ପାଳିରୁ ୩ ଅର୍ଦ୍ଧଶତକ ଜମାଇଥିବା ସୂର୍ଯ୍ୟକୁମାର ବୁଧବାର ପ୍ରକାଶିତ ମାନ୍ୟତା ତାଲିକାରେ ଏକ ନମ୍ବରରେ ସ୍ଥିର ରହିଛନ୍ତି। ତାଙ୍କ ପ୍ରଦର୍ଶନ ବଳରେ ସେ କ୍ୟାରିୟର ଶ୍ରେଷ୍ଠ ୮୬୯ ପଏଣ୍ଟ ଅର୍ଜନ କରିଥିଲେ। ହେଲେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ୧୪ ରନ୍‌ରେ ଆଉଟ୍‌ ହେବା ପରେ ତାଙ୍କ ରେଟିଂ ୮୫୯କୁ ହ୍ରାସ ପାଇଥିଲା।

ଏହା‌ସତ୍ତ୍ବେ ସେ ଶୀର୍ଷ ମାନ୍ୟତାପ୍ରାପ୍ତ ବ୍ୟାଟର୍‌ ରହିଛନ୍ତି। ଗତ ବିଶ୍ବକପ୍‌ରେ ସୂର୍ଯ୍ୟକୁମାର ୫୯.୭୫ ହାର ଏବଂ ୧୮୯.୬୮ ଷ୍ଟ୍ରାଇକ୍‌ ରେଟ୍‌ରେ ମୋଟ ୨୩୯ ରନ୍‌ କରିବା ସହିତ ପ୍ରତିଯୋଗିତାର ତୃତୀୟ ସର୍ବାଧିକ ସ୍କୋରର୍‌ ରହିଥିଲେ। ଅନ୍ୟପକ୍ଷରେ ଇଂଲଣ୍ଡ ନିକଟରୁ ଫାଇନାଲ୍‌ରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିବା ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ଗୋଟିଏ ସ୍ଥାନ ଉଠି ତୃତୀୟରେ ପହଞ୍ଚିଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ପାକିସ୍ତାନ ଓପ୍‌ନର ମହମ୍ମଦ ରିଜ୍‌ୱାନ, ନ୍ୟୁଜିଲାଣ୍ଡର ଡେଭନ୍‌ କନ୍‌ୱେ ଏବଂ ଦକ୍ଷିଣ ଆଫ୍ରିକାର ଐଦେନ ମାର୍‌କ୍ରମ ଶୀର୍ଷ-୫ ମଧ୍ୟରେ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଉଭୟ ରିଜ୍‌ୱାନ ଓ ମାର୍‌କ୍ରମ ଯଥାକ୍ରମେ ଦ୍ବିତୀୟ ଓ ପଞ୍ଚମ ସ୍ଥାନରେ ସ୍ଥିର ରହିଥିଲା ବେଳେ କନ୍‌ୱେ ଗୋଟିଏ ସ୍ଥାନ ଖସି ଚତୁର୍ଥରେ ପହଞ୍ଚିଛନ୍ତି। ବୋଲରଙ୍କ ମାନ୍ୟତାରେ କୌଣସି ଭାରତୀୟ ଶୀର୍ଷ-୧୦ରେ ନଥିଲା ବେଳେ ଅଲ୍‌ରାଉଣ୍ଡର ମାନ୍ୟତାରେ ହାର୍ଦିକ୍‌ ପାଣ୍ଡ୍ୟା ତୃତୀୟ ସ୍ଥାନରେ ରହିଛନ୍ତି।

ଦଳଗତ ମାନ୍ୟତାରେ ସର୍ବାଧିକ ୨୬୮ ରେଟିଂ ପଏଣ୍ଟ ସହ ଭାରତ ଶୀର୍ଷରେ ରହିଥିଲା ବେଳେ ବିଶ୍ବକପ୍‌ ବିଜେତା ଇଂଲଣ୍ଡ (୨୬୫) ଏବଂ ଉପବିଜେତା ପାକିସ୍ତାନ (୨୫୮) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି। ତେବେ ଦକ୍ଷିଣ ଆଫ୍ରିକା (୨୫୬), ନ୍ୟୁଜିଲାଣ୍ଡ୍‌ (୨୫୩) ଓ ଆ‌ୟୋଜକ ଅଷ୍ଟ୍ରେଲିଆ (୨୫୨) ଚତୁର୍ଥରୁ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଛନ୍ତି।

ସମ୍ବନ୍ଧିତ ଖବର