ଦୁବାଇ: ଭାରତୀୟ ଯୁବ ଓପନର୍ ଅଭିଷେକ ଶର୍ମା ନୂଆ ୧ନଂ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ବ୍ୟାଟର୍ ହୋଇଛନ୍ତି। ବୁଧବାର ପ୍ରକାଶିତ ଆଇସିସି ମାନ୍ୟତାରେ ୨୪ ବର୍ଷୀୟ ଅଭିଷେକ (୮୨୯ ପଏଣ୍ଟ୍) ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ଙ୍କୁ ପଛରେ ପକାଇ ଏହି ସ୍ଥାନ ଅଧିକାର କରିଛନ୍ତି। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଶୀର୍ଷ ସ୍ଥାନ ଦଖଲ କରିବାରେ ସେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ୟାଦବଙ୍କ ପରେ ତୃତୀୟ ଭାରତୀୟ ହୋଇଛନ୍ତି। ହେଡ୍ (୮୧୪ ପଏଣ୍ଟ୍) ଦ୍ବିତୀୟକୁ ଖସିଯାଇଛନ୍ତି।
ଆଇସିସି ଟେଷ୍ଟ୍ ମାନ୍ୟତାରେ କିନ୍ତୁ ରବୀନ୍ଦ୍ର ଜାଡ଼େଜା ୧ନଂ ଅଲ୍ରାଉଣ୍ଡର୍ ସ୍ଥାନକୁ ବଜାୟ ରଖିଛନ୍ତି। ମାଞ୍ଜେଷ୍ଟର ଟେଷ୍ଟ୍ରେ ୪ ୱିକେଟ୍ ସହ ୧୦୭* ରନ୍ର ଅପରାଜିତ ପାଳି ତାଙ୍କୁ ୧୩ ପଏଣ୍ଟ ଦେଇଛି। ଫଳରେ ତାଙ୍କ ପଏଣ୍ଟ ସଂଖ୍ୟା ୪୨୨ରେ ପହଞ୍ଚିବା ସହ ଦ୍ବିତୀୟରେ ଥିବା ବାଂଲାଦେଶର ମେହିଦି ହାସନ ମିରାଜଙ୍କଠୁ ୧୧୭ ପଏଣ୍ଟ ଆଗରେ ରହି ଏହି ସ୍ଥାନକୁ ଆହୁରି ଦୃଢ଼ କରିଛନ୍ତି। ଟେଷ୍ଟ୍ ବ୍ୟାଟିଂରେ ଜାଡ଼େଜା ୨୯ ଓ ବୋଲିଂରେ ୧୪ତମ ସ୍ଥାନକୁ ମଧ୍ୟ ଉଠିଛନ୍ତି। ଜାଡ଼େଜାଙ୍କ ସହ ୨୦୩* ରନ୍ ଭାଗୀଦାରି ଗଢ଼ିବା ସହ ପ୍ରଥମ ଶତକ ହାସଲ କରିଥିବା ୱାସିଂଟନ୍ ସୁନ୍ଦର ବ୍ୟାଟିଂ ମାନ୍ୟତାରେ ୮ ସ୍ଥାନ ଲମ୍ଫ ଦେଇ ୬୫ରେ ପହଞ୍ଚିଛନ୍ତି। ଅଲ୍ରାଉଣ୍ଡର୍ ତାଲିକାରେ ସେ ଯୁଗ୍ମ ୧୩ତମ ସ୍ଥାନରେ ଅଛନ୍ତି। ଶତକୀୟ ପାଳି ଖେଳିଥିବା ଇଂଲଣ୍ଡର ଜୋ ରୁଟ୍ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ବେନ୍ ଷ୍ଟୋକ୍ସ ଅଲ୍ରାଉଣ୍ଡର ମାନ୍ୟତାରେ ତୃତୀୟରେ ରହିଛନ୍ତି।