ଆଇସିସି ମହିଳା ଚାମ୍ପିଅନ୍‌ସିପ୍‌: ଅଷ୍ଟ୍ରେଲିଆଠୁ ପୁଣି ହାରିଲା ଭାରତ

ଭଦୋଦରା: ଆଇସିସି ମହିଳା କ୍ରିକେଟ୍‌ ପ୍ରତିଯୋଗିତା ଅନ୍ତର୍ଗତ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଭାରତୀୟ ଦଳ ପୁଣି ଥରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ନିକଟରୁ ହାରିଯାଇଛି। ସୋମବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ୮ ଓ୍ଵିକେଟ୍‌ରେ ପରାସ୍ତ ହୋଇଥିବା ଭାରତ ଗୁରୁବାର ଦ୍ୱିତୀୟ ମୁକାବିଲାକୁ ୬୦ ରନ୍‌ରେ ହାରିଯାଇଛି। ପ୍ରଥମ ମ୍ୟାଚ୍‌ରେ ଅପରାଜିତ ଶତକ ହାସଲ କରି ଅଷ୍ଟ୍ରେଲିଆକୁ ସହଜ ବିଜୟ ଭେଟିଦେଇଥିବା ପ୍ରାରମ୍ଭିକ ବ୍ୟାଟର୍‌ ନିକୋଲା ବୋଲଟନ ପୁଣି ଏକ ଦମ୍‌ଦାର ପାଳି ଖେଳି ବିଜୟର ନାୟିକା ବନି ଯାଇଛନ୍ତି। ସେ ମଧ୍ୟ କ୍ରମାଗତ ଦ୍ୱିତୀୟ ଥର ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଟସ୍‌ ଜିତି ଭାରତ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ହେଲେ ବୋଲ୍‌ଟନ୍‌ (୮୪ ରନ୍‌, ୮୮ ବଲ୍‌, ୧୨ ଚୌକା), ଏଲିସ୍‌ ପେରି (ଅପରାଜିତ ୭୦ ରନ୍‌, ୭୦ ବଲ୍‌, ୬ ଚୌକା, ୨ ଛକା) ଏବଂ ବିଏଲ୍‌ ମୁନି (୫୬ ରନ୍‌, ୪୦ ବଲ୍‌, ୯ ଚୌକା)ଙ୍କ ଧୂଆଁଧାର ଅର୍ଧଶତକ ବଳରେ ଅଷ୍ଟ୍ରେଲିଆ ନିର୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍‌ ବିନିମୟରେ ୨୮୭ ରନ୍‌ କରିନେଇଥିଲା। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଶିଖା ପାଣ୍ଡେ ୬୧ ରନ୍‌ରେ ୩, ପୂନମ୍‌ ଯାଦବ ୫୨ ରନ୍‌ରେ ୨ ଓ୍ଵିକେଟ୍‌ ପାଇଥିଲେ। ଏକ୍‌ତା ବିସ୍ତ ଓ ହର୍‌ମନ୍‌ପ୍ରୀତ୍‌ କୌର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ସ୍ମୃତି ମାନ୍ଧାନା (୬୭ ରନ୍‌, ୫୩ ବଲ୍‌, ୧୨ ଚୌକା ଓ ୧ ଛକା)ଙ୍କ ଦ୍ରୁତ ପାଳି ସତ୍ତ୍ୱେ ନିୟମିତ ଅନ୍ତରାଳରେ ଓ୍ଵିକେଟ୍‌ ପତନ ଧାରା ଲାଗି ରହିବାରୁ ଭାରତ ୪୯.୨ ଓଭରରେ ୨୨୭ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପୂନମ ରାଉତ (୨୭), ଦୀପ୍ତି ଶର୍ମା (୨୬), ଅଧିନାୟିକା ମିତାଲି ରାଜ (୧୫), ହର୍‌ମନ୍‌ପ୍ରୀତ୍‌ କୌର (୧୭), ଶିଖା ପାଣ୍ଡେ (୧୫) ଏବଂ ପୂଜା ଭସ୍ତ୍ରକାର (୩୦) ଦୁଇ ଅଙ୍କ ବିଶିଷ୍ଟ ଯୋଗଦାନ ରଖିଥିଲେ ମଧ୍ୟ ଦଳ ବିଜୟଠୁ ବହୁ ଦୂରରେ ରହିଗଲା।

ସମ୍ବନ୍ଧିତ ଖବର