ଦୁବାଇ: ସଦ୍ୟ ସମାପ୍ତ ଦିନିକିଆ ମହିଳା ବିଶ୍ବକପ୍‌ର ପ୍ରଦର୍ଶନକୁ ନେଇ ଆଇସିସି ସୋମବାର ସବୁଠୁ ମୂଲ୍ୟବାନ ଦଳ (ଏମ୍‌ଭିଟି) ତାଲିକା ଘୋଷଣା କରିଛି। ଏହି ଦଳରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିବା ମିତାଲି ରାଜଙ୍କ ନେତୃତ୍ବାଧୀନ ଭାରତୀୟ ଦଳରୁ କେହି ସ୍ଥାନ ପାଇ ନାହାନ୍ତି। ହେଲେ ବିଜେତା ଅଷ୍ଟ୍ରେଲିଆରୁ ଏଥିରେ ୪ ଜଣ ସ୍ଥାନ ପାଇଛନ୍ତି। ନେତୃତ୍ବଭାର ଅଷ୍ଟ୍ରେଲିଆ ଅଧିନାୟିକା ମେଗ ଲାନିଙ୍ଗଙ୍କୁ ମିଳିଥିବା‌ ବେଳେ ତାଙ୍କ ସହଯୋଗୀ ରାଚେଲ ହେନ୍ସ, ବେଥ୍‌ ମୁନି ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଆଲିସା ହିଲି ରହିଛନ୍ତି। ହିଲି (୫୦୯)ଙ୍କ ପରେ ବିଶ୍ବକପ୍‌ ଦ୍ବିତୀୟ ସର୍ବାଧିକ ସ୍କୋରର୍‌ ହେଉଛନ୍ତି ହେନ୍ସ (୪୯୭)। ଦକ୍ଷିଣ ଆଫ୍ରିକାର ୩ ଜଣ ଲୌରା ଓଲଭାର୍ତ, ମାରିଜାନ୍‌ କାପ, ସବନିମ ଇସ୍‌ମାଇଲ ରହିଥିଲା ବେଳେ ଇଂଲଣ୍ଡର ୨ ଜଣ ସୋଫି ଏସେଲଷ୍ଟୋନ ଓ ନାଟ ସିଭରଙ୍କୁ ସ୍ଥାନ ମିଳିଛି। ୱେଷ୍ଟଇଣ୍ଡିଜ୍‌ର ହେଲ ମାଥ୍ୟୁସ ଓ ବାଂଲାଦେଶର ସଲମା ଖାତୁନ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି। ଇଂଲଣ୍ଡର ଚାର୍ଲି ଡିନ୍‌ ଦ୍ବାଦଶ ଖେଳାଳି ଭାବେ ଦଳରେ ସ୍ଥାନ ପାଇଛନ୍ତି।