ବିଶ୍ବକପ୍ ଉଦ୍‌ଘାଟିତ

ଲଣ୍ଡନ : ଅବଗଣନା ଶେଷ ହୋଇଛି। ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି। ଆଉ ମାତ୍ର କିଛି ଘଣ୍ଟା ପରେ ବିଶ୍ବକପ୍‌ର ଦ୍ବାଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। କ୍ରିକେଟ୍ ମହାକୁମ୍ଭ ପାଇଁ ରଣଭୂମି ପ୍ରସ୍ତୁତ ଥିଲା ବେଳେ ୧୦ ଅଂଶ ଗ୍ରହଣକାରୀ ଦଳ ମଇଦାନକୁ ଓହ୍ଲାଇବାକୁ ବ୍ୟଗ୍ର। ୪୬ ଦିନରେ ୪୮ ମ୍ୟାଚ୍ ଖେଳାଯିବାକୁ ଥିବା ମହାଲଢ଼େଇର ପ୍ରଥମ ମୁକାବିଲା ଗୁରୁବାର (ଭାରତୀୟ ସମୟ ଅପରାହ୍ନ ୩ଟା) ଖେଳାଯିବ। ଆୟୋଜକ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଏଥିରେ ମୁହାଁମୁହିଁ ହେବେ। ଅନ୍ୟତମ ଦାବିଦାର ତଥା ସବୁଠାରୁ ଲୋକପ୍ରିୟ ଦଳ ଭାରତ ଜୁନ୍ ୫ ତାରିଖରୁ ଅଭିଯାନ ଆରମ୍ଭ କରିବ। ବିଶ୍ବକପ୍ ଇଂଲଣ୍ଡର ବଛା ବଛା ୧୧ ଷ୍ଟାଡିୟମରେ ଖେଳାଯିବ। ମେଗା ଫାଇନାଲ୍ ଜୁଲାଇ ୧୪ରେ ଅନୁଷ୍ଠିତ ହେବ। ପ୍ରତିଦ୍ବନ୍ଦ୍ବିତା ପର୍ବ ଆରମ୍ଭ ହେବାର ଦିନକ ପୂର୍ବରୁ ଅର୍ଥାତ୍ ବୁଧବାର ରାତିରେ କିନ୍ତୁ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଯାଇଛି।

ବ୍ରିଟେନ ରାଜପ୍ରସାଦ ‘ବକିଂହାମ ପ୍ୟାଲେସ’ର ସମ୍ମୁଖରେ ଥିବା ଐତିହାସିକ ‘ଲଣ୍ଡନ ମଲ୍‌’ରେ ମନମୁଗ୍ଧକର ପରିବେଶରେ ପ୍ରତୀକ୍ଷିତ ଉଦ୍‌ଘାଟନୀ ଉତ୍ସବ ସମାପନ ହୋଇଛି। ଟ୍ରଫି ଉନ୍ମୋଚନ ସହ ଖେଳାଳି ଓ ପ୍ରଶ˚ସକଙ୍କୁ ସ୍ବାଗତ ସମ୍ବର୍ଧନାର ପରମ୍ପରା ଶେଷ ହୋଇଛି। ବିଶ୍ବକପ୍ ଦୀର୍ଘ ଦୁଇ ଦଶନ୍ଧି ପରେ ଇଂଲଣ୍ଡକୁ ଫେରିଥିବାରୁ ଉଦ୍‌ଘାଟନୀ ଉତ୍ସବକୁ ସ୍ମରଣୀୟ ଏବଂ ସ୍ବତନ୍ତ୍ର କରିବାକୁ ଆୟୋଜକ ଅଣ୍ଟା ଭିଡ଼ିଥିଲେ। ଯାହାର ଝଲକ ଏକ ଘଣ୍ଟା ଧରି ଚାଲିଥିବା ଉତ୍ସବରେ ଦେଖିବାକୁ ମିଳିଥିଲା। ଏଥିରେ କ୍ରିକେଟ୍‌ ସହ କଳାର ମିଳନକୁ ନିଖୁଣ ଭାବେ ଦର୍ଶା ଯାଇଥିଲା। ସଂଗୀତ, ନୃତ୍ୟ ଓ କ୍ରୀଡ଼ା ଉଦ୍‌ଘାଟନୀ ଉତ୍ସବର ମୂଳ ଆଧାର ଥିଲା। ଏଥିଲାଗି ଦି ମଲ୍ ଭିତରେ ଓ ବାହାରେ ହଜାର ହଜାର କ୍ରିକେଟ୍ ପ୍ରେମୀଙ୍କ ଭିଡ଼ ଜମିଥିଲା। ଆଜିର ଉଦ୍‌ଘାଟନୀ ଉତ୍ସବରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ, ହାସ୍ୟ ଅଭିନେତା ପ୍ୟାଡି ମ୍ୟାକଗିନିସ୍ ଓ ଭାରତର ଶିବାନୀ ଦାଣ୍ଡେକର ଉପସ୍ଥାପକ ଭୂମିକା ତୁଲାଇଥିଲେ। ଉତ୍ସା‌ହିତ ଦର୍ଶକଙ୍କ କରତାଳି ଏବଂ ବିଭିନ୍ନ ପ୍ରକାର ସ୍ଲୋଗାନ ଭିତରେ ଫ୍ଲିଣ୍ଟଫ୍ ଉତ୍ସବ ଆରମ୍ଭର ଘୋଷଣା କରିଥିଲେ। ଏହା ପରେ ଅଂଶ ଗ୍ରହଣକାରୀ ଦଳର ଅଧିନାୟକ ଜଣକ ପରେ ଜଣେ ମଞ୍ଚ ଉପରକୁ ଆସିଥିଲେ। ଆଫଗାନିସ୍ତାନ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍, ବାଂଲାଦେଶ, ପାକିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପରେ ଶେଷରେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଆସିଥିଲେ। ମୋର୍ଗାନ ପଡ଼ିଆକୁ ଯିବା‌କୁ ବ୍ୟଗ୍ର ଥିବା କହିଥିଲା ବେଳେ କୋହଲି ଭାରତୀୟ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଥିଲେ। ସାଂସ୍କୃତିକ ପରିବେଷଣର ଆଦ୍ୟ ପର୍ବରେ ସ୍ଥାନୀୟ କଳାକାର ଗୀତ ଗାଇଥିଲେ। ଏହା ପରେ କିମ୍ବଦନ୍ତୀ ତାରକା ଭିଭିଆନ୍ ରିଚାର୍ଡସ, ଜାମାଇକା ଧାବକ ଯୋହାନ ବ୍ଲାକଙ୍କ ଉପସ୍ଥିତିରେ ୬୦ ସେକେଣ୍ଡ ଚ୍ୟାଲେଞ୍ଜ ଆରମ୍ଭ ହୋଇଥିଲା। ଏଥିରେ ଅନୀଲ କୁମ୍ବଲେ ଓ ଫରହାନ ଅଖ୍‌ତାର ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ବ ନେଇଥିଲେ। ଭାରତ ମାତ୍ର ୧୯ ରନ୍ କରିଥିଲା ବେଳେ ଆୟୋଜକ ଇଂଲଣ୍ଡ ୭୪ ରନ୍ କରି ବିଜୟୀ ଘୋଷିତ ହୋଇଥିଲା। ନୋ‌ବେଲ୍ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜାଇ ନିଜ ଭାଷଣରେ ମହିଳା କ୍ରିକେଟରଙ୍କୁ ପ୍ରଶଂସା କରିଥିଲେ। ଏହା ପରେ ପରେ ଦର୍ଶକଙ୍କ ପାଇଁ ଟ୍ରଫି ଉନ୍ମୋଚନ ପର୍ବ ଶେଷ ହୋଇଥି‌ଲା। କାନାଡାର ପ୍ରସିଦ୍ଧ ଗାୟିକା ଲୋରିନ୍ ବିଶ୍ବକପ୍ ଥିମ୍ ସଙ୍ଗ ‘ଷ୍ଟାଣ୍ଡ ବାଏ’ ଗାଇବା ସହ ଉଦ୍‌ଘାଟନୀ ଉତ୍ସବର ସମାପନ ହୋଇଥିଲା।

ସମ୍ବନ୍ଧିତ ଖବର