ବିଶ୍ୱକପ: ୧୬ ବର୍ଷ ତଳର ଭୁଲ ନ ଦୋହରାଇବାକୁ ବିରାଟ ବାହିନୀ ପ୍ରସ୍ତୁତ, ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌

ନୂଆଦିଲ୍ଳୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ରିକେଟ ବିଶ୍ୱକପ୍‌ରେ ରବିବାର ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହିତ ହେବ। ବିଗତ ୨୦-୨୫ ବର୍ଷରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ବାର ରୋମାଂଚକ ମୁକାବିଲା ଦେଖିବାକୁ ମିଳିଛି। ନିକଟରେ  ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସି ଆୟୋଜକ ଠାରୁ ୩-୨ରେ ଦିନିକିଆ ଶୃଙ୍ଖଳା ଜିତିଥିଲା। ଏଥରର ବିଶ୍ୱକପରେ ମଧ୍ୟ ଅଷ୍ଟ୍ରେଲିଆ ଯେଭଳି ଭାବରେ ଖେଳୁଛି, ଏହାକୁ ଦୃଷ୍ଟିରେ ରଖି ଲାଗୁଛି ଯେ, ଟିମ୍‌ ପୁଣି ଥରେ ବିଜୟୀ ହୋଇପାରେ।

ବିଶ୍ୱକପ-୨୦୧୯ରେ ବିଶ୍ୱର ୧୦ ବଡ଼ ଟିମ୍‌ ଅଂଶଗ୍ରହଣ କରିଛନ୍ତି କିନ୍ତୁ ଭାରତ ପାଇଁ ସବୁଠାରୁ ଅଧିକ ବିପଦ ଟିମ ଭାବେ ଅଷ୍ଟ୍ରେଲିଆ ଉଭା ହୋଇଛି। ବର୍ଷ ୨୦୦୩ରେ ଭାରତ ନିକଟରେ ବିଶ୍ୱକପ ବିଜୟୀ ହେବାର ସୁଯୋଗ ଥିଲା କିନ୍ତୁ ଅଷ୍ଟ୍ରେଲିଆ ହିଁ କେବଳ ଏକମାତ୍ର ଟିମ ଥିଲା, ଯାହାଙ୍କ ସମ୍ମୁଖରେ ଭାରତୀୟ ଟିମ୍‌ ଆତ୍ମସମର୍ପଣ କରିଥିଲେ। ଦକ୍ଷିଣ ଆଫ୍ରିକାରେ ହୋଇଥିବା ଏହି ମୁକାବିଲାରେ ଭାରତ ପୂରା ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆକୁ ଛାଡ଼ି କୌଣସି ଟିମ୍‌ ଠାରୁ ପରାସ୍ତ ହୋଇ ନଥିଲା। ଫାଇନାଲ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା।

ଚଳିତ ବିଶ୍ୱକପରେ ଭାରତ ନିଜର ବିଜୟରୁ ଅଭିଜାନ ଆରମ୍ଭ କରିଛି। ଜୁନ ୫ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏବେ ଦ୍ୱିତୀୟ ବିଜୟ ଅପେକ୍ଷାରେ ରହିଛି ବିରାଟଙ୍କ ବାହିନୀ।

୨୦୦୩ ଫେବ୍ରୁଆରି ୧୫: ସେଞ୍ଚୁରିଅନ୍‌ ଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ସୌରଭ ଗାଙ୍ଗୁଲି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଖେଳାଳିମାନେ ପଡ଼ିଆ ସହିତ ଭଲ ଭାବରେ ପରିଚିତ ନ ଥିଲେ। ପଡ଼ିଆରେ ବହୁତ ଘାସ ଥିଲା। ଅଷ୍ଟ୍ରେଲିଆର ବୋଲର ମାଇଗ୍ରା, ବ୍ରେଟ୍‌ ଲି ଏବଂ ଜେସନ ଗିଲସ୍ପି ଘାତକ ବୋଲିଂ କରିଥିଲେ। ଭାରତୀୟ ଟିମ୍‌ ୧୨୫ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌କୁ ୯ ଓ୍ଵିକେଟରେ ଜିତିଥିଲା।

୨୦୦୩ ମାର୍ଚ୍ଚ ୨୩:  ଜୋହନସବର୍ଗରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୨୦୦୩ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯାଇଥିଲା। ସୌରଭ ଗାଙ୍ଗୁଲି ପୁଣି ଥରେ ଟସ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ବୋଲର ମାନେ ଫ୍ଲପ ହୋଇଥିଲେ। ଭାରତୀୟ ବୋଲରମାନେ ୧୯ ବାଏ ରନ୍‌ ଓ ୯ ନୋ ବଲ ଦେଇଥିଲେ। ଭାରତକୁ ବିଜୟ ପାଇଁ ୩୬୦ ରନ୍‌ ଟାର୍ଗେଟ ମିଳିଥିବା ବେଳ ଟିମ୍‌ ୨୩୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର