ବିଶ୍ୱକପ୍‌ ଫାଇନାଲ୍‌: ଜିମୀ ନୀଶମଙ୍କ ଭାରତୀୟ ପ୍ରଶଂସକଙ୍କୁ ଅପିଲ, ନିଜର ଫାଇନାଲ୍‌ ଟିକେଟ୍‌ ବିକି ଦିଅନ୍ତୁ

ଲଣ୍ଡନ: ଭାରତୀୟ ଟିମ୍‌ ଆଇସିସି ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ ଟ୍ରଫିର ଅଧିକାରୀ ବୋଲି କୁହାଯାଉଥିଲା। ବିଗତ ଦିନର ପ୍ରଦର୍ଶନ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଉତ୍ସାହ ଆଣି ଦେଇଥିଲା। ଫଳରେ ବହୁ ସଂଖ୍ୟାରେ ଭାରତୀୟ ପ୍ରଶଂସକମାନେ ବିଶ୍ୱକପ୍‌ ଫାଇନାଲ ପାଇଁ ଟିକେଟ୍‌ ବୁକିଂ କରି ସାରିଥିଲେ। ମାତ୍ର ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନ୍‌ରେ ପରାସ୍ତ ହୋଇ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା। ଫାଇନାଲରେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପହଂଚିଛି। ଲଣ୍ଡନର ଲଡର୍ସରେ ଜୁଲାଇ ୧୪ରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ଏହି ଦୁଇ ଟିମ୍‌ର ପ୍ରଶଂସକମାନଙ୍କ ପାଖରେ ଫାଇନାଲ ଟିକେଟ୍‌ ନାହିଁ। ଭାରତୀୟ ପ୍ରଶଂସକଙ୍କ ନିକଟରେ ବହୁ ସଂଖ୍ୟାରେ ଟିକେଟ ରହିଯାଇଛି।

ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ପାଇଁ ଟିକେଟକୁ ନେଇ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଜେମ୍ସ ନୀଶମ ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କୁ ଅପିଲ କରିଛନ୍ତି। ସେ ଟୁଇଟ୍‌ କରିଛନ୍ତି, ପ୍ରିୟ ଭାରତୀୟ କ୍ରିକେଟ୍‌ପ୍ରେମୀ, ଯଦି ଆପଣମାନେ ଫାଇନାଲ ମ୍ୟାଚ୍‌ ଦେଖିବାକୁ ଆସୁନାହାନ୍ତି, ଦୟାକରି ନିଜର ଟିକେଟକୁ ବିକ୍ରି କରିଦିଅନ୍ତୁ। ମୁଁ ଭାବୁଛି ଯେ, ଏଭଳି କାମ କରିବା ଦ୍ୱାରା ଆପଣଙ୍କୁ ଲାଭ ହୋଇପାରିବ ନାହିଁ। ମାତ୍ର ଆପଣଙ୍କ ବହୁମୂଲ୍ୟର ଟିକେଟ୍‌ ସଠିକ୍‌ କ୍ରିକେଟ୍‌ପ୍ରେମୀଙ୍କୁ ଦେଇ ଦିଅନ୍ତୁ। କାରଣ ସେମାନେ ଫାଇନାଲ୍‌ର ମଜା ନେଇ ପାରିବେ। ଏଥିରେ ଆପଣଙ୍କୁ ସାମାନ୍ୟ କ୍ଷତି ସହ୍ୟ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର