ଆଜିଠୁ ବିଶ୍ୱକପ କ୍ରିକେଟ୍‌ : ଅପରାହ୍ନ ୩ଟାରେ ମୁହାଁମୁହିଁ ହେବେ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହେଉଛି ବିଶ୍ୱ କ୍ରିକେଟର ବଡ଼ ଲଢେଇ ବିଶ୍ୱକପ କ୍ରିକେଟ । ବିଗୁଲ ବାଜି ସାରିଥିବା ବେଳେ ବିଶ୍ୱର ଶ୍ରେଷ୍ଠ ୧୦ଟି ଦଳ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର । ଯେଉଁ ମୂହୁର୍ତ୍ତକୁ ସାରା ବିଶ୍ୱ ଅପେକ୍ଷା କରି ରହିଥିଲା, ସେହି ସମୟ ଆଜି ଆସିଯାଇଛି । ବିଶ୍ୱକପ ଟ୍ରଫି ପାଇଁ ଆଜିଠୁ ମହା ଲଢେଇ ଆରମ୍ଭ ହେବ । ବିଶ୍ୱ ଦେଖିବ କ୍ରିକେଟ ମହାକୁମ୍ଭ ।

ବିଶ୍ୱକପ୍‌ ଆରମ୍ଭ ହେବା ଆଗରୁ ଗତକାଲି ଇଂଲଣ୍ଡର ବଂକିମହମ୍‌ ସିଟିରେ ଏହାର ଓପନିଂ ସେରେମନି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଇଂଲଣ୍ଡରେ ରଙ୍ଗାରଙ୍ଗ ଆତସବାଜୀ ସହିତ ନାଚଗୀତ ଦେଖିବାକୁ ମିଳିଥିଲା । ଇଂଲଣ୍ଡର ମହାରାଣୀ ଏଲିଜାବେଥଙ୍କ ଉପସ୍ଥିତିରେ ବିଶ୍ୱକପ୍‌ ଟ୍ରଫି ସହିତ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ସମସ୍ତ ଟିମର କ୍ୟାପଟେନ୍‌ । ଇଂଲଣ୍ଡ ମହାରାଣୀ ଓ ପ୍ରିନ୍‌ସ ହାରିଙ୍କ ସହ ଚଳିତ ବର୍ଷ କ୍ରିକେଟ ବିଶ୍ୱକପରେ ସାମିଲ ହୋଇଥିବା ୧୦ଟିମର କ୍ୟାପଟେନ୍‌ ଫଟୋ ଉଠାଇଥିବା ଦେଖା ଯାଇଛି । ଏହି ସମୟରେ ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ବିରାଟ କୋହଲିଙ୍କ ସହ ବ୍ରିଟେନ୍‌ ମହାରାଣୀ ହାତ ମିଳାଇଥିବା ଦେଖା ଯାଇଥିଲା ।

London

ଆଜି ଠାରୁ ଦେଢମାସ ଧରି ଚାଲିବାକୁ ଥିବା ବିଶ୍ୱକପ୍‌ ମୁକାବିଲାରେ ଚଳିତ ବର୍ଷ କ୍ରିକେଟ ବିଶ୍ୱକପରେ ଓପନିଂ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । ଓଭାଲ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୩ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ । ଉଭୟ ଦଳ ଆଜିର ମ୍ୟାଚ ଜିତିବାକୁ ଚେଷ୍ଟା କରିବେ । ଉଭୟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବେଶ୍‌ ସନ୍ତୁଳିତ ଟିମ୍‌ ହୋଇଥିବା ବେଳେ ବିଶ୍ୱକପରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ୬ଥର ଭେଟିଥିବା ଜଣା ପଡ଼ିଛି । ଉଭୟ ୩ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ତେଣୁ ଆଜିର ମୁକାବିଲା ବେଶ୍‌ ପ୍ରତିଦ୍ୱନ୍ଦୀତାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

୨୦୧୫ବିଶ୍ୱକପରେ ପ୍ରଥମ ରାଉଣ୍ଡରୁ ହିଁ ଇଂଲଣ୍ଡ ବିଦାୟ ନେଇଥିଲା । ଏବେ ଘରୋଇ ପରିବେଶରେ ଇଂଲଣ୍ଡ ଜବରଦସ୍ତ କମବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି । ବିଶ୍ୱକପ ଇତିହାସରେ ଏହି ଦୁଇ ଟିମ୍‌ ଆଜିଯାଏଁ ଟ୍ରଫି ଜିତିନଥିବାରୁ ଚଳିତ ବିଶ୍ୱକପ୍‌ ଉପରେ ରହିଛି ଦୁଇ ଦଳର ନଜର । ଆସନ୍ତା ଜୁନ୍‌ ୫ତାରିଖରେ ଭାରତ ତାର ଅଭିଯାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ । ତେବେ ଏହାରି ଭିତରେ ସମସ୍ତଙ୍କ ଅପେକ୍ଷା ଆସନ୍ତା ଜୁନ୍‌ ୧୬ତାରିଖକୁ ରହିଛି । କାରଣ ଏହି ଦିନ ମୁହାଁମୁହିଁ ହେବେ ବିଶ୍ୱର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦଳ ଭାରତ ଏବଂ ପାକିସ୍ତାନ ।

ସମ୍ବନ୍ଧିତ ଖବର