ଗଲ୍ : ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଅନ୍ତର୍ଗତ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ୍ ଶୃଙ୍ଖଳା ବୁଧବାରଠୁ ଗଲ୍ ଇଣ୍ଟରନ୍ୟାସ୍ନାଲ୍ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି। ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ପ୍ରଥମ ଦିବସରେ ହିଁ ସିଂହଳୀ ବୋଲର ଅକିଲ ଧନଞ୍ଜୟ ୫ ୱିକେଟ୍ ସଫଳତା ନେଇ ଘରୋଇ ଦଳକୁ ଭଲ ସ୍ଥିତି ଦେଇଥିଲା ବେଳେ ଭ୍ରମଣକାରୀ ଦଳ ପକ୍ଷରୁ ଅଭିଜ୍ଞ ରସ୍ ଟେଲର (୮୬) ଅପରାଜିତ ଅର୍ଧଶତକ ହାସଲ କରିବା ଉଲ୍ଲେଖନୀୟ ରହିଛି। ପ୍ରଥମ ଦିବସ ବର୍ଷା ଯୋଗୁ ବାଧାପ୍ରାପ୍ତ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ୍ ୫ ୱିକେଟ୍ ବିନିମୟରେ ୨୦୩ ରନ୍ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଟସ୍ ଜିତି ନ୍ୟୁଜିଲାଣ୍ଡ୍ ଅଧିନାୟକ କେନ୍ ୱିଲିୟମ୍ସନ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜିତ୍ ରାଭାଲ ଓ ଟମ୍ ଲାଥାମ୍ ପ୍ରଥମ ୱିକେଟ୍ରେ ୬୪ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ହେଲେ ଏହିଠାରୁ ଧନଞ୍ଜୟ ତାଙ୍କ ସ୍ପିନ୍ କମାଲ୍ ଦେଖାଇଥିଲେ। ଦଳର ୨୭ତମ ଓଭରରର ତୃତୀୟ ବଲ୍ରେ ସେ ଲାଥାମ୍ (୩୦)ଙ୍କୁ ପ୍ରଥମ ଶିକାର କରିବା ପରେ ସେହି ଓଭରର ଶେଷ ବଲ୍ରେ ଅଧିନାୟକ କେନ୍ ୱିଲିୟମ୍ସନ୍ଙ୍କୁ ଖାତା ଖୋଲିବାକୁ ନଦେଇ ପାଭିଲିୟନ୍ ପଠାଇ ଦେଇଥିଲେ। ଏହାପରେ ରାଭାଲ (୩୩)ଙ୍କୁ ତୃତୀୟ ଶିକାର କରିଥିଲେ। ଫଳରେ ଏକଦା ୬୪ ରନ୍ରେ କୌଣସି ୱିକେଟ୍ ହରାଇନଥିବା ନ୍ୟୁଜିଲାଣ୍ଡ ୭ ରନ୍ ବ୍ୟବଧାନରେ ୩ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା। କିନ୍ତୁ ଟେଲରଙ୍କ ସହ ହେନ୍ରି ନିକୋଲ୍ସ ଧୈର୍ଯ୍ୟପୁର୍ଣ୍ଣ ପାଳି ଖେଳିଥିଲେ। ଉଭୟେ ଚତୁର୍ଥ ୱିକେଟ୍ରେ ୧୦୦ ରନ୍ ଯୋଡ଼ି ସ୍ଥିତି ସୁଧାରିବାର ପ୍ରୟାସ କରୁଥିଲା ବେଳେ ପୁଣି ଧନଞ୍ଜୟ ଚକ୍ମା ଦେଇଥିଲେ। ପ୍ରତ୍ୟାବର୍ତନ ଦଫାରେ ସେ ନିକୋଲ୍ସ (୪୨) ଓ ୱିକେଟ୍ରକ୍ଷକ ବିଜେ ୱାଟ୍ଲିଙ୍ଗ୍ (୧)ଙ୍କୁ ଲାଗ ଲାଗ ଦୁଇଟି ଓଭରରେ ପାଭିଲିୟନ୍ ପଠାଇ ଦେଇଥିଲେ। ଚା ପାନ ବିରତି ବେଳକୁ ନ୍ୟୁଜିଲାଣ୍ଡ୍ ୧୭୯ ରନ୍ରେ ୫ ୱିକେଟ୍ ହରାଇଥିଲା। ଏହାପରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା। ପୁଣି ୮ ଓଭର ଖେଳ ହେଲା ପରେ ପାଗ ଖରାପ ଏବଂ ପୁନର୍ବାର ବର୍ଷା ପ୍ରଥମ ଦିନକୁ ଆଗୁଆ ବନ୍ଦ ପାଇଁ ବାଧ୍ୟ କରିଥିଲା। ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଭ୍ରମଣକାରୀ ଦଳ ୬୮ ଓଭରରେ ୨୦୩/୫ କରିଥିଲା। ଟେଲର ୮୬ ରନ୍ରେ ଅପରାଜିତ ରହିଛନ୍ତି। ତାଙ୍କ ସହ ଅଲ୍ରାଉଣ୍ଡର ମିଚେଲ ସାଣ୍ଟନର୍ ୮ ରନ୍ରେ ବ୍ୟାଟିଂ କରୁଛନ୍ତି। ବାମହାତୀ ସ୍ପିନ୍ ବୋଲର ଧନଞ୍ଜୟ ୨୨-୨-୫୭-୫ର ବୋଲିଂ ଚିତ୍ର ପାଇଛନ୍ତି।