ଅଧିକ ରାଜସ୍ୱ ନେଇ ଆଇସିସିକୁ ବିସିସିଆଇର ଚେତାବନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ବିଭିନ୍ନ ପ୍ରତିଯୋଗିତା ବଢ଼ାଇବା ସାଙ୍ଗକୁ ଖର୍ଚ ମଧ୍ୟ ବଢ଼ିବାର ଆଶା ରଖିଛି। ଲୋଧା ସମିତି ସୁପାରିସ ମୁତାବକ ବିସିସିଆଇ ତା’ର ସଦସ୍ୟ ସଂଖ୍ୟାରେ ବୃଦ୍ଧି ଘଟାଇବ। ଇତି ମଧ୍ୟରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଏହାର ପୂର୍ଣ୍ଣକାଳୀନ ସଦସ୍ୟତା ହାସଲ କରିସାରିଲେଣି। ସେମାନଙ୍କୁ ବୋର୍ଡ ତରଫରୁ ପ୍ରାପ୍ୟ ଦେବାକୁ ପଡ଼ିବ। ପୁଣି ମହିଳା କ୍ରିକେଟ୍‌ର ବିକାଶ ପାଇଁ ଯୋଜନା ରହିଛି। ଏହାହେଲେ ଅଧିକ ଖର୍ଚାନ୍ତ ହେବାକୁ ପଡ଼ିବ। ଫଳରେ ବୋର୍ଡର ବଜେଟ୍‌ ବଢ଼ିଯିବ। ଏହି ପରିପ୍ରେକ୍ଷୀରେ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ)ଠୁ ରାଜସ୍ୱ ଅଂଶ ଅଧିକ ପାଇବାକୁ ମଧ୍ୟ ବିସିସିଆଇ ଲକ୍ଷ୍ୟ ରଖିଛି। ତେଣୁ ବୋର୍ଡର ରାଜସ୍ୱ ଭାଗରୁ କିଛି ବି କମ୍‌ ମିଳିଲେ ତାକୁ ବିସିସିଆଇ ଗ୍ରହଣ କରିବନି। ଆଇସିସି ଯଦି ଆମ ଅଂଶ ଧନ ହ୍ରାସ କରେ ତେବେ ଆମେ କୌଣସିମତେ ଗ୍ରହଣ କରିବୁନି ବୋଲି ବିସିସିଆଇ ପକ୍ଷରୁ ଆଇସିସିକୁ ଚେତାଇ ଦିଆଯାଇଛି। ଏନେଇ ସିଓଏ (ପ୍ରଶାସନିକ ସମିତି) ଏବଂ ବିସିସିଆଇ କ୍ରିକେଟ୍‌ର ବିକାଶ ଓ ଉନ୍ନତି ନେଇ ଗୁରୁତର ଆଲୋଚନା କରିଛନ୍ତି। ଫଳରେ ଆଇସିସି ଭାରତ ପ୍ରତି ତା’ର ଆଭିମୁଖ୍ୟରେ ପରିବର୍ତନ ଆଣିବାକୁ ପରାମର୍ଶ ଦିଆଯାଇଛି। ଚୂଡାନ୍ତ ଦସ୍ତାବିଜ୍‌ ପ୍ରସ୍ତୁତ ପୂର୍ବରୁ ବିସିସିଆଇକୁ ରିପୋର୍ଟ ପଠାଇବା ପରେ ସେଥିରେ ସଂଶୋଧନ କରାଯିବ ବୋଲି କୁହାଯାଇଛି। ଯଦି ଆଇସିସି ଏଥିରେ କିଛି ବି ଖେଳ ଖେଳିବ ତାହାଲେ ବିସିସିଆଇର ପ୍ରଭୂତ କ୍ଷତି ଘଟିବ ବୋଲି କୁହାଯାଇଛି। ତେବେ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ୍‌ ରିଚାର୍ଡସନ୍‌ଙ୍କ କହିବା କଥା ହେଲା ଭାରତର ରାଜସ୍ୱ ଅଂଶ ଆଦୌ କମ୍‌ ହେବନାହିଁ। ଯେହେତୁ ଭାରତୀୟ କ୍ରିକେଟ୍‌ ଆଇସିସି ରଣନୀତିର ଏକ ଅଂଶବିଶେଷ ସେଥିପାଇଁ ମୁଁ ବ୍ୟକ୍ତିଗତ ଭାବେ ରାଜସ୍ୱ ବଣ୍ଟନ ନେଇ ତଦାରଖ କରିବି ବୋଲି ରିଚାର୍ଡସନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର