ଆଇସିସି ମାନ୍ୟତା ଶୀର୍ଷରେ ଡିଭିଲିୟର୍ସ, ଅଲ୍ଲୀ ଓ ହାଫିଜ୍‌

ଦୁବାଇ: ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ, ପାକିସ୍ତାନର ହାସନ୍‌ ଅଲ୍ଲୀ ଓ ମହମ୍ମଦ ହାଫିଜ୍‌ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନ ଅକ୍ତିଆର କରିବାର ଗୌରବ ପାଇଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୧୭୬ ରନ୍‌ର ବିସ୍ଫୋରକ ପାଳି ଖେଳିଥିବା ଡିଭିଲିୟର୍ସ ଆଇସିସି ଦିନିକିଆ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାରେ ଶୀର୍ଷ ସ୍ଥାନକୁ ଫେରଛନ୍ତି। ଏଥି ସହିତ ଡିଭିଲିୟର୍ସ ମଧ୍ୟ ୧୪ଥର ପାଇଁ ଏହି ସ୍ଥାନ ଅକ୍ତିଆର କରିଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ଵର୍ନର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନକୁ ଖସି ଯାଇଥିଲା ବେଳେ ଶ୍ରୀଲଙ୍କା ବିପକ୍ଷରେ ଲଗାତାର ଦୁଇଟି ଶତକ ଜମାଇଥିବା ପାକିସ୍ତାନ ବ୍ୟାଟ୍‌ସମ୍ୟାନ୍‌ ବାବର ଆଜମ୍‌ ନିଜ ଜୀବନର ଶ୍ରେଷ୍ଠ ମାନ୍ୟତା ଭାବେ ଚତୁର୍ଥ ସ୍ଥାନକୁ ଲମ୍ଫ ଦେଇଛନ୍ତି। ହାସନ୍‌ ଅଲ୍ଲୀ ଆଇସିସି ବୋଲରଙ୍କ ମାନ୍ୟତାରେ ଶୀର୍ଷ ସ୍ଥାନ ପାଇଛନ୍ତି।

ହାସନ୍‌ ନିଜ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନ ମଧ୍ୟରେ ପ୍ରଥମ ଥର ଲାଗି ଆଇସିସିର ଶୀର୍ଷ ମାନ୍ୟତା ଲାଭ କରିଛନ୍ତି। ୨୦୧୭ର ସର୍ବାଧିକ ଓ୍ଵିକେଟ୍‌ ଦଖଲକାରୀ ବୋଲର ଭାବେ ପରିଗଣିତ ହାସନ୍‌ ଚାମ୍ପିଅନ୍‌ସ ଟ୍ରଫିରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେ ମଧ୍ୟ ପାକିସ୍ତାନୀ ବୋଲର ଭାବେ ଦ୍ରୁତତମ ୫୦ ଦିନିକିଆ ଓ୍ଵିକେଟ୍‌ ନେବାର କୀର୍ତିମାନ ପାଇଥିଲେ। ସେହିପରି ଅନ୍ୟତମ ପାକିସ୍ତାନୀ ହାଫିଜ୍‌ ଆଇସିସି ଅଲ୍‌ରାଉଣ୍ଡର ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି। ନିଜ ବୋଲିଂକୁ ନେଇ ସନ୍ଦେହ ଉପୁଜିବାର ଦିନକ ପରେ ହାଫିଜ୍‌ଙ୍କୁ ଏହି ଗୌରବ ମିଳିଛି। ସେ ବାଂଲାଦେଶର ସାକିବ୍‌ ଅଲ୍‌ ହାସନ୍‌ଙ୍କୁ ଗାଦିଚ୍ୟୁତ କରି ନବମ ଥର ପାଇଁ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର