ଭୁବନେଶ୍ବର: ଭାରତୀୟ ପୁରୁଷ ଆଇସ୍ ହକି ଦଳ ଚଳିତ ଶୀତକାଳୀନ ଏସୀୟ କ୍ରୀଡ଼ାରେ ଦୁଇ ମ୍ୟାଚ୍ ହାରିବା ପରେ ପ୍ରଥମ ବିଜୟ ପାଇଛି। ଏହି ଦଳ ୪-୨ ଗୋଲ୍ରେ ମାକାଓକୁ ହରାଇଛି। ଏହି ବିଜୟ ଏତେ ସହଜ ନଥିଲା। ଆଘାତ ବାଧା ସହ ଲଢ଼ି ଏହି ବିଜୟ ପାଇଛି ବୋଲି କହିଛନ୍ତି ଭାରତୀୟ ଆଇସ୍ ହକି ଦଳର ମୁଖ୍ୟ ଚିକିତ୍ସା ଅଧିକାରୀ ଥିବା ଓଡ଼ିଶା ଭିତ୍ତିକ କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ ଡାକ୍ତର ସାର୍ଥକ ପଟ୍ଟନାୟକ। ‘‘ଏହା ଏକ ଚମତ୍କାର ବିଜୟ ଥିଲା। ବହୁ ଆହ୍ବାନକୁ ପ୍ରତିହିତ କରି ଆମ ଦଳ ବିଜୟ ପାଇଛି।
ଶୀତକାଳୀନ ଏସୀୟ କ୍ରୀଡ଼ା
ସେମାନେ ଅନେକ ଆହତ ଜନିତ ସମସ୍ୟାରେ ପଡ଼ିଛନ୍ତି, କିନ୍ତୁ ହାର୍ ମାନିନାହାନ୍ତି। ଏମିତିକି ଆମ ଦଳ ଏକାଧିକ ବଦଳ ଖେଳାଳିଙ୍କୁ ନେଇ ଖେଳିନି। ଏତେ ଚାପ ମଧ୍ୟରେ ବିଜୟ ପାଇଥିବାରୁ ସେମାନଙ୍କୁ ଧନ୍ୟବାଦ’’ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘‘ପ୍ରତିଯୋଗିତା ବେଳେ ଖେଳାଳିମାନଙ୍କ ଆଘାତ ସମସ୍ୟାକୁ ଦୂର କରିବା ଲାଗି ମୁଁ ଓ ମୋର ସମସ୍ତ କର୍ମଚାରୀ ପୂରା ଧ୍ୟାନ ଦେଇଥିଲୁ। ପଦାର୍ପଣ କରିଥିବା ଭାରତୀୟ ଦଳକୁ ଶେଷ ପର୍ଯ୍ୟନ୍ତ ଉତ୍ସାହିତ ମଧ୍ୟ କରିଥିଲୁ। ଭାରତ ଗ୍ରୀଷ୍ମ ଦେଶ ହୋଇଥିବାରୁ, ଆଇସ୍ ହକି ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ। ତଥାପି ଚୀନ୍ରେ ଆମ ପିଲା ଦୃଢ଼ ମନୋବଳ ସହ ମୁକାବିଲା କରିଥିଲେ’’। ସୂଚନାଯୋଗ୍ୟ ଯେ ଗ୍ରୁପ୍-ସି’ରେ ଥିବା ଭାରତ ପ୍ରଥମ ଦୁଇ ମ୍ୟାଚ୍ରେ ୦-୩୦ରେ ହଂକଂ ଓ ୧-୧୯ରେ ତୁର୍କିମେନିସ୍ତାନଠୁ ହାରିଥିଲା।