ପୁଣି ବିବାଦରେ କୋହଲି…ଷ୍ଟମ୍ପ ମାଇକ୍ରୋଫୋନ ମାଧ୍ୟମରେ ଗାଳି ଦେଲେ

କେପଟାଉନ୍ : ପୁଣି ବିବାଦରେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ୩ୟ ଟେଷ୍ଟ ଚାଲିଥିବାବେଳେ ସେ ଏପରି କିଛି କାଣ୍ଡ କରିଛନ୍ତି, ଯଦ୍ବାରା ସେ ପୁଣି ଥରେ ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ୩ୟ ଦିନର ଖେଳ ଚାଲିଥିବାବେଳେ ଡିଆରଏସ ନିୟମକୁ ନେଇ ସେ ଖୋଲାଖୋଲି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଦକ୍ଷିଣ ଆଫ୍ରିକା ଅଧିନାୟକ ଡିନ ଏଲଗାରଙ୍କୁ ନେଇ ଏକ ଡିଆରଏସ ନିଷ୍ପତ୍ତିକୁ ନେଇ ଭାରତୀୟ ଦଳ ସନ୍ତୁଷ୍ଟ ନଥିଲା । କିନ୍ତୁ କୋହଲି ନିଜ ଉପରୁ ନିୟନ୍ତ୍ରଣ ହରାଇ ଷ୍ଟମ୍ପ ମାଇକ୍ରୋଫୋନ ନିକଟକୁ ଆସି ଗାଳି ଦେଇଥିଲେ ।

 

ବଲ ଟ୍ରାକିଂ ସିଷ୍ଟମରେ ଥିବା ଦୁର୍ବଳତାର ଫାଇଦା ନେଇ ଅମ୍ପାୟାର ଏଲଗାରଙ୍କୁ ନଟଆଉଟ ଘୋଷଣା କରିଥିଲେ । ଏହାକୁ କେବଳ କୋହଲି ନୁହେଁ, ଅଶ୍ବୀନ ଓ କେଏଲ ରାହୁଲ ବି ବିରୋଧ କରିଥିଲେ । କିନ୍ତୁ କୋହଲି ଆଉ ପାଦେ ଆଗେଇଯାଇ ଷ୍ଟମ ମାଇକ୍ରୋଫୋନ ଦ୍ବାରା ଗାଳିଦେଇଥିଲେ । ଏହାକୁ କ୍ରିକେଟ ଜଗତରେ ନାପସନ୍ଦ କରାଯାଉଛି ।

ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟ ଖେଳାଳି ଡାରିଲ କୁଲିନାନ କହିଛନ୍ତି ଏଥିପାଇଁ କୋହଲି ଦଣ୍ଡିତ ହେବା କଥା । କିନ୍ତୁ ସେ ବାରମ୍ବାର ଦୋଷ କରି ଖସିଯାଉଛନ୍ତି । କେତେକ ଭାରତୀୟ ଓ ଅନ୍ତର୍ଜାତୀୟ କ୍ରିକେଟର ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଂଜୟ ମଂଜରେକର ମଧ୍ୟ କୋହଲିଙ୍କ ଆଚରଣକୁ ନିନ୍ଦା କରିଛନ୍ତି ।

ସମ୍ବନ୍ଧିତ ଖବର