‘ଭାଇ ଦଳରେ ନ ଥିଲେ, କିଛି ହରାଇବା ଭଳି ଲାଗେ’

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟ୍‌ରେ ସଫଳ ଭାଇ-ଭାଇଙ୍କ ମଧ୍ୟରୁ ୱ’ ଭ୍ରାତା ଷ୍ଟିଭ୍ ଓ ମାର୍କ ନିଶ୍ଚିତ ଭାବେ ସବୁଠୁ ଅଧିକ ଲୋକପ୍ରିୟ। ଏହି ଯାଁଳା ଭ୍ରାତାଙ୍କ ମଧ୍ୟରୁ ମାତ୍ର ୪ ମିନିଟ୍‌ ବ୍ୟବଧାନରେ ଷ୍ଟିଭ୍ ୱ’ ବଡ଼। ଷ୍ଟିଭ୍‌ଙ୍କ ଅନ୍ତର୍ଜାତୀୟ ପଦାର୍ପଣର ୫ ବର୍ଷ ପରେ ମଧ୍ୟ ମାର୍କ‌ ଖେଳିଥିଲେ। ଷ୍ଟିଭ୍‌ ଶେଷକୁ ନବେ ଦଶକ ଓ ୨୦୦୦ ପ୍ରାରମ୍ଭ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସଫଳତମ ଅଧିନାୟକ ବି ପାଲଟିଯାଇଥିଲେ। ୧୯୯୯ରେ ତାଙ୍କ ନେତୃ୍ତ୍ବରେ ଅଷ୍ଟ୍ରେଲିଆ ମଧ୍ୟ ବିଶ୍ବକପ୍‌ ଜିତିଥିଲା, ମାର୍କ ୱ’ ମଧ୍ୟ ଦିନିକିଆ ଫର୍ମାଟର ଆଭ୍ୟନ୍ତରୀଣ ଅଙ୍ଗ ହୋଇ ରହିଥିଲେ। ଉଭୟଙ୍କ ମଧ୍ୟରେ ରହିଥିବା ଅଜବ ସମ୍ପର୍କକୁ ନେଇ ମଧ୍ୟ ଷ୍ଟିଭ୍ ୱ’ ଶୁକ୍ରବାର ମାଇକ୍ ଆଥରଟନ୍‌ଙ୍କ ସହ ଆଲୋଚନା ବେଳେ ବହୁ କଥା କହିଥିଲେ। ‘ଆମ ସମ୍ପର୍କ ସିଧାସିଧା ନ ଥିଲା, ଆମେ ଗୋଟିଏ ଦଳରେ ଥିଲୁ, ଗୋଟିଏ ଶ୍ରେଣୀରେ ପଢ଼ିଥିଲୁ, ୧୬ ବର୍ଷ ଧରି‌‌ ଗୋଟିଏ ସେଜରେ ବି ଶୋଇଥିଲୁ, ସମାନ କପଡ଼ା ମଧ୍ୟ ପରିଧାନ କରିଥିଲୁ। ପରସ୍ପର ପାଇଁ ଆମେ ନିରଂତର ପହଞ୍ଚରେ ରହିଥିଲୁ। ପରସ୍ପରର ପକେଟରେ ବଞ୍ଚିବା ଭଳି, ସବୁଠି ଆମେ ଏକାଠି ରହୁଥିଲୁ, ତେଣୁ ତୁଳନା ଅପରିହାର୍ଯ୍ୟ’ ବୋଲି ଷ୍ଟିଭ୍ ୱ ପ୍ରକାଶ କରିଛନ୍ତି।

ଖେଳରେ ଅମେ ଭଲ କରିଥିଲୁ, ସମ୍ଭବତଃ କିଏ ଶ୍ରେଷ୍ଠ ୱ’ ବୋଲି ତୁଳନା ବି ହେଉଥିଲା। ସ୍କୁଲରେ ବି ପ୍ରତିଦ୍ବନ୍ଦ୍ବିତା କରୁଥିଲୁ, ଭଲ ମାର୍କ ବି ରଖୁଥିଲୁ। କିଏ ପ୍ରଥମ ହେଲା ତ କିଏ ଅଧିକ ଖାଇଲା ଏଭଳି ଅନେକ କିଛି ଘଟୁଥିଲା। କିନ୍ତୁ ୧୯ ବ‌ର୍ଷ ହେବା ବେଳକୁ ନ୍ୟୁ ସାଉଥ୍ ୱେଲ୍‌ସ ପାଇଁ ଖେଳିଥିଲୁ। ଆମେ ଚେତନ କି ଅବଚେତନ ମନରେ ହେଉ କ୍ରମେ ଅଲଗା ଦିଶାରେ ଯାଇଥିଲୁ, କ୍ରମେ ନିଜସ୍ବ ମଣିଷ ପାଲଟିଯାଇଥିଲୁ। ଆମ ବ୍ୟାଟ୍‌ ପ୍ରା‌‌ୟୋଜକ ବି ଅଲଗା ହୋଇଥିଲା। କୌଣସି ବିଜ୍ଞାପନକୁ ବି ଆମେ ଏକାଠି କରିନଥିଲୁ। ନିଜ ନିଜ ପସନ୍ଦ ବି ଅଲଗା ହୋଇଯାଇଥିଲା। ବିଭିନ୍ନ ଗସ୍ତ ବେଳେ ମୁଁ ପ୍ରଶଂସକଙ୍କ ସହ ଫଟୋ ଉଠାଉଥିଲି,‌ ସେ କିନ୍ତୁ ହୋଟେଲ୍ ରୁମ୍‌ରେ ଅଟକି ରହୁଥିଲେ। ତଥାପି ଆମେ ପରସ୍ପରକୁ ସମ୍ମାନ ଦେଉଥିଲୁ। ମୁଁ ସବୁବେଳେ ଚାହୁଁଥିଲି ମାର୍କ ଭଲ ଖେଳୁ, ସେ ଯେତେବେଳେ ଟେଷ୍ଟ୍ ଦଳରେ ନ ଥାଏ ମୋତେ କିଛି ହରାଇବା ଭଳି ଲାଗେ। ଆମେ କିନ୍ତୁ ପରସ୍ପର ସହ ବିଶେଷ ଟେଲିଫୋନ୍ ବାର୍ତ୍ତାଳାପ କରିନଥାଉ, କିନ୍ତୁ ପରସ୍ପରକୁ ଭେଟିବା ବେଳେ ଖୁସି ଲାଗିଥାଏ। ଆମେ ଦୁଇ ଘଣ୍ଟାର ବ୍ୟବଧାନରେ ରହୁଛୁ। ମୁଁ ମୋ ୩ ପିଲାଙ୍କ ସହ ସମୟ କାଟୁଛି, ସେ ଘୋଡ଼ା ଚଢ଼ା ଓ ଅନ୍ୟ କିଛି ପସନ୍ଦ ରଖିଛି। ଜୀବନ ଏଭଳି ଅଲଗା ଅଲଗା ଦିଗରେ ଗଢ଼ିଚାଲିଛି, ଯାହା ସାଧାରଣତଃ ସମସ୍ତଙ୍କ କ୍ଷେତ୍ରରେ ହୋଇଥାଏ ବୋଲି ଷ୍ଟିଭ୍ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ପାଇଁ ଷ୍ଟିଭ୍ ୱ’ ୧୬୮ ଟେଷ୍ଟ୍‌ ଓ ୩୨୫ ଦିନିକିଆ ଖେଳିଥିଲେ। ମାର୍କ ୱ’ ୧୨୮ ଟେଷ୍ଟ୍‌ ଓ ୨୪୪ ଦିନିକିଆ ଖେଳିଥିଲେ।

ସମ୍ବନ୍ଧିତ ଖବର