ଫୁଟ୍‌ବଲ୍‌ ଅନ୍ତୁଡ଼ିଶାଳକୁ ଉପେକ୍ଷା, ଏକାଡେମି ପ୍ରତିଷ୍ଠା ଧୂଆଁବାଣ

ଜିଲ୍ଲାରୁ ୨ ଜଣ କ୍ରୀଡ଼ାମନ୍ତ୍ରୀ ଥିଲେ, କାଣିଚାଏ ବି ଆଗେଇଲାନି ପ୍ରକଳ୍ପ

ବାରିପଦା (ରାଜକିଶୋର ଦାଶ): ସୁନ୍ଦରଗଡ଼ ଜିଲ୍ଲାକୁ ଯଦି ହକିର ଅନ୍ତୁଡିଶାଳ କୁହାଯାଏ ତେବେ ଫୁଟ୍‌ବଲ୍‌ ହେଉଛି ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଜୀବନ। ଜିଲ୍ଲାର ପୁରପଲ୍ଲୀଠାରୁ ଆରମ୍ଭ କରି ସହର ଯାଏ, ସବୁଠି ଫୁଟ୍‌ବଲ୍‌ ଖେଳର ଆଦର କାହିଁରେ କ’ଣ। ରାଜାରାଜୁଡ଼ା ଶାସନ ଅମଳରୁ ମୟୂରଭଞ୍ଜରେ ଫୁଟ୍‌ବଲ୍ ଏକ ଲୋକପ୍ରିୟ ଖେଳ ଭାବେ ଆଦୃତ ହୋଇଆସୁଛି। ଏବେବି ଏହି ଧାରା ଜାରି ରହିଥିବା ବେଳେ ବର୍ଷତମାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫୁଟ୍‌ବଲ୍ ପ୍ରତିଯୋଗିତା ଆୟୋଜିତ ହେଉଛି। ଅତୀତରେ ଏହି ଜିଲ୍ଲାରୁ ପରେଶ ଦାସ, ବିନୟ ବାନାର୍ଜୀ, ଜଗନ୍ନାଥ ମିଶ୍ର, ରବିନାରାୟଣ ଦାସଙ୍କ ଭଳି ବହୁ ପ୍ରତିଭାବାନ୍ ଫୁଟ୍‌ବଲ୍ ଖେଳାଳି ରାଜ୍ୟ ଓ ଜାତୀୟସ୍ତରରେ ସୁନାମ ଅର୍ଜନ କରି ଆସିଛନ୍ତି। ଖୁଣ୍ଟା ବ୍ଲକର ଭୋଳଗଡ଼ିଆଠାରେ ଅକ୍ଟୋବର ମାସରେ ଆୟୋଜିତ ହେଉଥିବା ଫୁଟ୍‌ବଲ୍ ପ୍ରତିଯୋଗିତାରେ ପ୍ରାୟ ୩୫ରୁ ୪୦ ହଜାର ଫୁଟ୍‌ବଲ୍‌ପ୍ରେମୀଙ୍କ ସମାଗମ ହୋଇଥାଏ। ଏଥିରୁ ଫୁଟ୍‌ବଲ୍ ଖେଳ ପ୍ରତି ଜିଲ୍ଲାବାସୀଙ୍କ ଆକର୍ଷଣ ଓ ଭଲ ପାଇବା ସହଜରେ ବାରିହୁଏ।

ଜିଲ୍ଲାରେ ଫୁଟ୍‌ବଲ୍ ଖେଳର ଆଦରକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜରେ ଏକ ଫୁଟ୍‌ବଲ୍ ଏକାଡେମି ପ୍ରତିଷ୍ଠା କରିବେ ବୋଲି ତତ୍କାଳୀନ କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବାରିପଦା ଛଉ ପଡ଼ିଆଠାରେ ଆୟୋଜିତ ଏକ ସମାବେଶରେ ଘୋଷଣା କରିଥିଲେ। ପରେ ରାଜ୍ୟ କ୍ରୀଡ଼ା ବିଭାଗ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି (ପତ୍ର ନଂ.୯୦୮୬/୧୦.୧୦.୧୨) ଫୁଟ୍‌ବଲ୍ ଏକାଡେମି ପାଇଁ ଆନୁସଙ୍ଗିକ ସୁବିଧାସୁଯୋଗ ଯୋଗାଇବାକୁ କହିବା ପରେ ଲକ୍ଷ୍ମୀପୋଷି ନିକଟରେ ୨୨ ଏକର ସରକାରୀ ଜମି ଚିହ୍ନଟ କରିଥିଲା ଜିଲ୍ଲା ପ୍ରଶାସନ। ସେହିପରି ୨୦୧୩ ମେ ୫ରେ ବାରିପଦା ଷ୍ଟାଡିୟମ୍‌ରେ ଆନ୍ତଃଜିଲ୍ଲା ଫୁଟ୍‌ବଲ୍ ପ୍ରତିଯୋଗିତା ଫାଇନାଲରେ ତତ୍କାଳୀନ କ୍ରୀଡ଼ା ମନ୍ତ୍ରୀ ରମେଶ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେବା ଅବସରରେ ଭଞ୍ଜସେନାର ଏକ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରି ଜିଲ୍ଲାରେ ଫୁଟ୍‌ବଲ୍ ଏକାଡେମି ପ୍ରତିଷ୍ଠା ଦାବିକୁ ଦୋହରାଇବା ସହ ଏକ ସ୍ମାରକପତ୍ର ଦେଇଥିଲେ। ମନ୍ତ୍ରୀଙ୍କଠାରୁ ଏନେଇ ନିର୍ଭର ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେଠାରେ ଏକ ସୁଇମିଂପୁଲ୍‌ ନିର୍ମାଣ ହେଲା। ଯେଉଁଥିରେ ଏବେ ତାଲା ଝୁଲୁଛି। ସବୁଠୁ ବଡ଼କଥା ହେଲା, ୨୦୧୪ ନିର୍ବାଚନ ପରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି। ଜିଲ୍ଲାରେ ଫୁଟ୍‌ବଲ୍ ଏକାଡେମି ପାଇଁ ଜମି ଚିହ୍ନଟ ସରିଥିବା ବେଳେ ପର୍ଯ୍ୟାପ୍ତ ଭିତ୍ତିଭୂମି ସୁବିଧା ଏବଂ ମୟୂରଭଞ୍ଜ ମାଟିର ପୁଅ କ୍ରୀଡ଼ା ବିଭାଗର ମନ୍ତ୍ରୀ ଥାଇ ମଧ୍ୟ ଫୁଟ୍‌ବଲ୍ ଏକାଡେମି ପ୍ରତିଷ୍ଠା ଦିଗରେ କାଣିଚାଏ ବି ଅଗ୍ରଗତି ହୋଇ ପାରିଲାନି। ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଫୁଟ୍‌ବଲ୍‌ପ୍ରେମୀ।

ଜିଲ୍ଲାରେ ଫୁଟ୍‌ବଲ୍ ଏକାଡେମି ପ୍ରତିଷ୍ଠା ହୋଇଥିଲେ ବହୁ ଦକ୍ଷ ଓ ପ୍ରତିଭାବାନ ଖେଳାଳି ରାଜ୍ୟ ତଥା ଜାତୀୟସ୍ତରରେ ଜିଲ୍ଲା ତଥା ରାଜ୍ୟର ଟେକ ରଖିିପାରିଥା’ନ୍ତେ। ଯଦିଓ ଜିଲ୍ଲାରେ ଯୁବକମାନଙ୍କ ମଧ୍ୟରେ କ୍ରୀଡ଼ାଦକ୍ଷତା ଭରପୁର ରହିଛି, ମାତ୍ର ଆଧୁନିକ ଫୁଟ୍‌ବଲ୍ ଖେଳ ପାଇଁ ଉପଯୁକ୍ତ ତାଲିମ ଅଭାବରୁ ସେମାନଙ୍କ ପ୍ରତିଭା ବଣ ମଲ୍ଲୀ ପରି ବଣରେ ମଉଳିଯାଉଛି। ଭିତ୍ତିଭୂମି ସୁବିଧା ଉପଲବ୍ଧ ଥାଇ ଏହା କାର୍ଯ୍ୟକାରୀ ହୋଇ ନପାରିବା ସରକାର ଓ ଜନ ପ୍ରତିନିଧିଙ୍କ ଅପାରଗତା ଛଡ଼ା ଆଉ କିଛି ନୁହେଁ ବୋଲି ଭଞ୍ଜସେନା ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ କ୍ଷୋଭ ପ୍ରକାଶ କରିଛନ୍ତି। ଫୁଟ୍‌ବଲ୍‌ର ଅନ୍ତୁଡ଼ିଶାଳ ତଥା ଏହାକୁ ଭଲ ପାଉଥିବା ମୟୂରଭଞ୍ଜ ଜିଲ୍ଲାର ଅଗଣିତ କ୍ରୀଡ଼ାପ୍ରେମୀଙ୍କ ପ୍ରତି ଏହା ଚରମ ଉପହାସ ବୋଲି କହିଛନ୍ତି ଫୁଟ୍‌ବଲ୍ ଖେଳାଳି ଅନିରୁଦ୍ଧ ବେହେରା।

ସମ୍ବନ୍ଧିତ ଖବର