ଟୋକିଓ ଅଲିମ୍ପିକ୍ସ ଅବଗଣନା: ଆଉ ୨୯ ଦିନ, ଶ୍ରେଷ୍ଠ ପ୍ରଦର୍ଶନର ସମକକ୍ଷ ହୋଇପାରିବୁ କ୍ବାର୍ଟର ଫାଇନାଲ୍ ବାସ୍ତବିକ ଲକ୍ଷ୍ୟ

ଟୋକିଓ ଯିବା ପୂର୍ବରୁ ଭାରତୀୟ ମହିଳା ହକି ଦଳର ଭର୍ଚୁଆଲ ସମ୍ମିଳନୀ

ଭୁବନେଶ୍ବର: ‘‘ଭାରତରେ ଆଶା ଆକାଶଛୁଆଁ ରହିଛି। ହେଲେ ଆମକୁ ବାସ୍ତବିକ ସ୍ଥିତିକୁ ବୁଝିବାକୁ ହେବ। ସମ୍ଭବତଃ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଥିବା କେବଳ ଦୁଇଟି ଦେଶ ଜାପାନ ଓ ଦକ୍ଷିଣ ଆଫ୍ରିକା ଆମଠାରୁ ବିଶ୍ବ ମାନ୍ୟତାର ତଳେ ଅଛନ୍ତି। ଏଣୁ ମୁଁ ବୁଝିପାରୁନି ଏ ଉଚ୍ଚାଭିଳାଷ କେଉଁଠାରୁ ଆସୁଛି। ଏହାର କାରଣ ଗତ ଚାରିବର୍ଷ ଭିତରେ ଆମେ କରି ଆସୁଥିବା ଭଲ ପ୍ରଦର୍ଶନ ହୋଇପାରେ। ହେଲେ ଆମକୁ ସତକୁ ସାମ୍ନା କରିବାକୁ ହେବ। ଆମେ ଏବେ କ୍ବାର୍ଟର ଫାଇନାଲ୍ ପହଞ୍ଚିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛୁ, ଆଉ ସେଠାରୁ କିଛି ବି ହୋଇପାରେ’’। ଟୋକିଓ ଅଲିମ୍ପିକ୍ସ ଯିବା ପୂର୍ବରୁ ଗୁରୁବାର ଆୟୋଜିତ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏଡ୍ ମାରିନ୍ ଏଭଳି ମନ୍ତବ୍ୟ ଦେଇଛନ୍ତି। ତା ସହ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ଭାରତୀୟ ମହିଳା ହକି ଦଳ ଉପରେ ଅହେତୁକ ଆଶା ଆକାଂକ୍ଷାର ବୋଝ ନଲଦିବାକୁ ପ୍ରଶଂସକଙ୍କୁ ଆହ୍ବାନ କରିଛନ୍ତି।

ସମ୍ମିଳନୀରେ ଉପସ୍ଥିତ ଥିବା ଅଧିନାୟିକା ରାଣୀ ରାମପାଲ ଏବଂ ଦୁଇ ଉପଅଧିନାୟିକା ଓଡ଼ିଆ ଝିଅ ଦୀପଗ୍ରେସ୍ ଏକ୍କା ଓ ସବିତା ମଧ୍ୟ ତାଙ୍କ ସହ ଆପାତତଃ ଏକମତ ହୋଇଥିଲେ। ତେବେ ଅଲିମ୍ପିକ୍ସରେ ନିଜର ଶତପ୍ରତିଶତ ଦେବାକୁ ଆପ୍ରାଣ ଉଦ୍ୟମ କରିବେ ବୋଲି ପ୍ରଶଂସକଙ୍କୁ ପ୍ରତିଶ୍ରୁତିି ଦେଇଥିଲେ। କ‌ରୋନା ମହାମାରୀର କଠିନ ସମୟ ଭିତରେ ଖେଳାଳିମାନେ କରିଥିବା ତ୍ୟାଗ ଓ ବଳିଦାନକୁ ସଲାମ କରି ଯଦି ଆମେ କ୍ବାର୍ଟର ଫାଇନାଲ୍‌ ଖେଳି ନପାରୁ ତାହାଲେ ଦଳଗତ ଭାବେ ଏହା ଆମ ପାଇଁ ଏକ ଶକ୍ତ ଧକ୍କା ହେବ ବୋଲି ଆହୁରି କରିବା ସହ ଦଳର ସମସ୍ତ ୧୬ ଜଣ ଖେଳାଳିଙ୍କ ଶରୀରିକ ଓ ମାନସିକ ସୁସ୍ଥତା ନେଇ ସନ୍ତୋଷ ଜାହିର କରିଥିଲେ ନେଦରଲାଣ୍ଡର ମୂଳ ବାସିନ୍ଦା ମାରିନ। ସେହିଭଳି ଦଳ ତା’ ଦକ୍ଷତା ମୂଳକ ଖେଳ ଖେଳିବ ବୋଲି ଦୃଢ଼ତା ପ୍ରକାଶ କରିଥିଲେ। ଭାରତୀୟ ଦଳରେ ଦୁଇ ଜଣ ଉପଅଧିନାୟିକା ରହିବାର ରହସ୍ୟ ଉଠାଇବାକୁ ଯାଇ ସେ ମତ ପ୍ରକାଶ କରିଥିଲେ ଯେ ଆମ ଦଳରେ ବରିଷ୍ଠ ଖେଳାଳିଙ୍କୁ ନେଇ ଏକ ଦକ୍ଷ ନେତୃତ୍ବ ଗୋଷ୍ଠୀ ରହିଛି। ସେମାନଙ୍କର କେବଳ ନେତୃତ୍ବ ନେବାର ଦକ୍ଷତା ନାହିଁ। ଅଭିଜ୍ଞତାକୁ ବାଣ୍ଟି ଅନ୍ୟମାନଙ୍କୁ ଅନୁପ୍ରେରିତ ମଧ୍ୟ କରୁଛନ୍ତି। ଗତ କିଛି ବର୍ଷ ହେବ ସବିତା ଓ ଦୀପଗ୍ରେସ୍ ବହୁତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ସେମାନଙ୍କର ରିଓ ଅଲିମ୍ପିକ୍ସ ଖେଳିବାର ‌ଅଭିଜ୍ଞତା ଅଛି। ସେଥିପାଇଁ ଟୋକିଓରେ ସେମାନେ ରାଣୀଙ୍କ ସହ ମିଶି ଅନ୍ୟ ଖେଳାଳିଙ୍କର ଉଚିତ ମାର୍ଗଦର୍ଶନ କରି ପାରିବେ ବୋଲି ଭାବୁଛି।

କଠିନ ଗ୍ରୁପ୍‌ରେ ଭାରତ
ଟୋକିଓ ଅଲିମ୍ପିକ୍ସରେ ଭାରତ (୯) କଠିନ ଗ୍ରୁପ୍‌ରେ ରହିଛି। ଗ୍ରୁପ୍-ଏ’ରେ ସ୍ଥାନ ପାଇଥିଲା ବେଳେ ଏହି ଗ୍ରୁପ୍‌ରେ ଜର୍ମାନୀ (୪), ଗ୍ରେଟ୍ ବ୍ରିଟେନ୍ (୫), ଆୟର୍ଲାଣ୍ଡ (୮), ନେଦରଲାଣ୍ଡ୍ସ (୧) ଓ ଦକ୍ଷିଣ ଆଫ୍ରିକା (୧୬) ଦଳ ରହିଛନ୍ତି। ଏଣୁ କ୍ବାର୍ଟର ଫାଇନାଲ୍ ଖେଳିବାକୁ ହେଲେ ଲିଗ୍ ପର୍ଯ୍ୟାୟର ୫ଟି ମ୍ୟାଚ୍‌ରୁ ରାଣୀ ରାମପାଲଙ୍କ ଦଳକୁ ଅତି କମ୍‌ରେ ତିନିଟି ଜିତିବାକୁ ହେବ। ଯାହା ଆଦୌ ସହଜ ମନେ ହେଉନି। କାରଣ ଦକ୍ଷିଣ ଆଫ୍ରିକାକୁ ଛାଡ଼ି ଅନ୍ୟ ସମସ୍ତ ଦଳ ବିଶ୍ବ ମାନ୍ୟତାରେ ଭାରତଠାରୁ ଢେର ଉଚ୍ଚରେ ରହିଛନ୍ତି।

ସମ୍ବନ୍ଧିତ ଖବର