ବେଙ୍ଗାଲୁରୁ : ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବେଳେ ଭାରତୀୟ ଫୁଟବଲ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ‌ଇଗୋର ଷ୍ଟିମାକ୍‌ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିଲେ। ଯେଉଁଥି ପାଇଁ ରେଫରି ତାଙ୍କୁ ନାଲି କାର୍ଡ ଦେଇଥିଲେ ଏବଂ ସେ ‌ପରବର୍ତ୍ତୀ ମ୍ୟାଚ୍‌ରେ ଡଗଆଉଟ୍‌ରୁ ବାହାରକୁ ଆସିପାରିବେନି ବୋଲି ଘୋଷଣା ହୋଇଥିଲା। ତେଣୁ ଶନିବାର ନେପାଳ ବିପକ୍ଷ ମ୍ୟାଚ୍‌ ସମୟରେ ଭାରତ ବିନା ପ୍ରଶିକ୍ଷକରେ ଖେଳିବାକୁ ଥିବାବେଳେ ମଙ୍ଗଳବାର କୁଏତ୍‌ ବିପକ୍ଷ ମ୍ୟାଚ୍‌ରେ ଷ୍ଟିମାକ୍‌ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଦକ୍ଷିଣ ଏସୀୟ ଫୁଟବଲ୍‌ ମହାସଂଘ (ସାଫ୍‌) ସାଧାରଣ ସମ୍ପାଦକ ଅନୱରୁଲ୍‌ ହକ୍‌ ସୂଚନା ଦେଇଛନ୍ତି।

Advertisment

ଷ୍ଟିମାକ୍‌ ଯେଉଁ ଧରଣର ବିଶୃଙ୍ଖଳିତ ହୋଇଥିଲେ, ସେଥିପାଇଁ ତାଙ୍କୁ ମାତ୍ର ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯିବା ଯଥେଷ୍ଟ ନୁହେଁ ବୋଲି ଅନୱରୁଲ୍‌ କହିଛନ୍ତି। ରେଫରି ଓ ମ୍ୟାଚ୍‌ କମିସନରଙ୍କ ରିପୋର୍ଟ ଅନୁଯାୟୀ, ମ୍ୟାଚ୍‌ ସମୟରେ ଷ୍ଟିମାକ୍‌ ସୀମାରେଖାଠୁ ବାହାରକୁ ଆସି ଖେଳାଳିଙ୍କ ସହିତ ଝଗଡ଼ା କରିଥିଲେ। ତଥାପି ଏହି ମାମଲାକୁ ସାଫ୍‌ ଶୃଙ୍ଖଳା ସମିତି ପାଖକୁ ପଠାଯିବ ନାହିଁ ବୋଲି ଅନୱରୁଲ୍‌ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ‌ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ସମୟରେ ଭ୍ରମଣକାରୀ ଦଳର ଖେଳାଳି ଅବଦୁଲ୍ଲା ଇକବାଲ୍‌ ବଲ୍‌ ଥ୍ରୋ କରିବାକୁ ଯାଉଥିବା ସମୟରେ ଷ୍ଟିମାକ୍‌ ପଛପଟରୁ ଯାଇ ବଲ୍‌ ଛଡ଼ାଇ ଆଣିଥିଲେ। ଏଥିସହ ଆକ୍ରୋଶମୂଳକ ଇଙ୍ଗିତ ମଧ୍ୟ କରିଥିଲେ। ରେଫରି ପ୍ରଜ୍ବଲ ଛେତ୍ରୀ ଓ ଅନ୍ୟ ଜଣେ ରେଫରି ଏଥିରେ ହସ୍ତକ୍ଷେପ କରିବା ସହ ଷ୍ଟିମାକ୍‌ଙ୍କୁ ନାଲି କାର୍ଡ ଦେଇଥିଲେ। ଯାହାଫଳରେ ମ୍ୟାଚ୍‌ର ଅବଶିଷ୍ଟ ସମୟଗୁଡ଼ିକରେ ସେ ପଡ଼ିଆ ପାଖରେ ରହିପାରିନଥିଲେ।