ଭୁବନେଶ୍ୱର: ଆସନ୍ତା ବର୍ଷ ନଭେମ୍ବରରେ ହକି ବିଶ୍ୱକପ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବାକୁ ଯାଉଛି। ଏହା ପୂର୍ବରୁ ଆୟୋଜକ ସହର ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ରାକୁ ନେଇ ଆୟର୍ଲାଣ୍ଡ ହକି ଦଳ ପ୍ରଶ୍ନ ଉଠାଇଛି। ବିଶ୍ୱକପ୍ ଆୟୋଜିତ ସହରରେ ପ୍ରଦୂଷଣ ମାତ୍ରା କିପରି ଅଛି ବୋଲି ହକି ଇଣ୍ଡିଆଠାରୁ ଆୟର୍ଲାଣ୍ଡ ସୂଚନା ମାଗିଛି। ଏହି ସୂଚନା ଦେବାକୁ ହକି ଇଣ୍ଡିଆର ସିଇଓ ଏଲିନା ନର୍ମାନ୍ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବଙ୍କୁ ଚିଠି ଲେଖିଛନ୍ତି। ବିସ୍ତତ ବିବରଣୀ ପାଇଁ ସଚିବ ବିଶାଲ ଦେବ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍ପିସିବି)ର ସଚିବ ଦେବୀଦତ୍ତ ବିଶ୍ୱାଳଙ୍କ ନିକଟକୁ ମଙ୍ଗଳବାର ଚିଠି ଲେଖିଛନ୍ତି। ୨୦୧୬ରେ ଗୋଟିଏ ଇଂରାଜୀ ଖବର କାଗଜରେ ରାଜଧାନୀରେ ପ୍ରଦୂଷଣ ମାତ୍ରା ଅଧିକ ବୋଲି ଏକ ସ୍ତମ୍ବ ବାହାରିଥିଲା।
ଏହାକୁ ଆଧାର କରି ଆୟର୍ଲାଣ୍ଡ ଏଭଳି ଚିନ୍ତା ପ୍ରକଟ କରୁଛି। ପ୍ରଦୂଷଣ ମାତ୍ରା ପରଖିବାକୁ ଭୁବନେଶ୍ୱରର ୬ ସ୍ଥାନରେ ନିୟନ୍ତ୍ରଣ କକ୍ଷ ରହିଛି। ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡ଼ିୟମ ଭିତ୍ତିଭୂମିରେ ବହୁ ପରିବର୍ତନ ହୋଇଥିଲା। ଫଳରେ ଷ୍ଟାଡିୟମ ପରିସରରେ ଥିବା ଗଛ କଟାଯାଇଥିଲା। ଏବେ ମଧ୍ୟ ଷ୍ଟାଡିୟମରେ କାର୍ଯ୍ୟ ପୂରା ଦମ୍ରେ ଚାଲୁ ରହିଛି। ବାୟୂ ପ୍ରଦୂଷଣ ମାତ୍ର ଟିକେ ଅଧିକ ରହିବାର ଅଶଙ୍କା ରହିଛି ବୋଲି ଓଏସ୍ପିସିବି ପକ୍ଷରୁ ଅନୁମାନ କରାଯାଇଛି।
ଏହି ବିଶ୍ୱକପ୍ରେ ଆୟୋଜକ ଭାରତ ସହ ଇଂଲଣ୍ଡ, ମାଲେସିଆ, କାନାଡ଼ା, ପାକିସ୍ତାନ, ଚୀନ୍, ବେଲଜିୟମ୍, ଜର୍ମାନୀ, ନ୍ୟୁଜିଲାଣ୍ଡ୍, ସ୍ପେନ୍, ଆୟର୍ଲାଣ୍ଡ୍, ଫ୍ରାନ୍ସ, ଆର୍ଜେଣ୍ଟିନା, ନେଦରଲାଣ୍ଡ୍, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଯୋଗଦେବେ। ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୨୪ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ୍ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ। ଏହା ପୂର୍ବରୁ ଚଳିତ ବର୍ଷ ଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱ ହକି ଲିଗ୍ ଫାଇନାଲ୍ ମଧ୍ୟ ଆୟୋଜିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/ierland1w.jpg)