ଆଇ-ଲିଗ୍‌: ଆରୋଜ୍‌କୁ ଋତୁର ପ୍ରଥମ ବିଜୟ

କଟକ: ଓଡ଼ିଶାକୁ ଘରୋଇ ସ୍ଥାନ ଭାବେ ବ୍ୟବହାର କରୁଥିବା ଏଆଇଏଫ୍‌ଏଫ୍‌ର ନିଜସ୍ବ ଯୁବ ଦଳ ଇଣ୍ତିଆନ୍‌ ଆରୋଜ୍‌ ଚଳିତ ଋତୁରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ବାରବାଟୀ ଷ୍ଟାଡିୟମରେ ଦଳ ଖେଳିଥିବା ଏହାର ଦ୍ବିତୀୟ ତଥା ପ୍ରଥମ ଘରୋଇ ମ୍ୟାଚରେ ଶକ୍ତିଶାଳୀ ସିଲଙ୍ଗ ଲାଜଙ୍ଗକୁ ୧-୦ ଗୋଲରେ ପରାସ୍ତ କରି ପୂର୍ଣ୍ଣ ୩ପଏଣ୍ଟ ପାଇଛି। ମ୍ୟାଚର ଦ୍ବିତୀୟ ମିନିଟ୍‌ରେ ଫ୍ରାଙ୍ଗକି ବୁଆମ ଆରୋଜ୍‌ ପୋଷ୍ଟକୁ ଆକ୍ରମଣ ଆରମ୍ଭ କରିଥିଲେ ବି ଗୋଲରକ୍ଷକ ପ୍ରଭ୍‌ସୁଖାନ ସି˚ହ ଗିଲ୍‌ ଏହାକୁ ପୋଷ୍ଟ ବାହାରକୁ ପଠାଇବାରେ ସଫଳ ହୋଇଥିଲେ। ସପ୍ତମ ମିନିଟ୍‌ରେ ଆରୋଜ ପାଇଁ ଅଙ୍କିତ ଯାଦବ ପ୍ରଥମ ସୁଯୋଗ ସୃଷ୍ଟି କରିଥିଲେ। ଏକାକି ବାମ ପଟୁ ପୋଷ୍ଟ ଆଡକୁ ବଲ୍‌ ନେଇ ଯାଉଥିଲେ ବି ଅମରଜିତ ସି˚ହ କିଆମ୍‌ଙ୍କ ଅଫ୍‌ ସାଇଡ୍‌ ଯୋଗୁଁ ଏହି ସୁଯୋଗ ହାତଛଡ଼ା ହୋଇଥିଲା। ତେବେ ୧୧ତମ ମିନିଟ୍‌ରେ ଆଶିଷ ରାଏ ସିଲଙ୍ଗ ଖେଳାଳିଙ୍କଠୁ ବଲ୍‌ ଛଡ଼ାଇବାରେ ସଫଳ ହୋଇଥିଲାବେଳେ ମ୍ୟାଚର ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ଆରୋଜ୍‌ ଆକ୍ରମଣାତ୍ମକ ଖେଳିଥିବାବେଳେ ପ୍ରଥମାର୍ଧ ସୁଦ୍ଧା ଦଳ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ଶେଷ ପର୍ଯ୍ୟନ୍ତ ସିଲଙ୍ଗର ସବୁ ଚେଷ୍ଟା ଫିକା ପଡ଼ିଥିଲାବେଳେ ଶେଷରେ ଆରୋଜ୍‌ ପ୍ରଥମ ଘରୋଇ ବିଜୟ ହାସଲ କରିବାରେ ସଫଳ ହୋଇଥିଲା।

ସମ୍ବନ୍ଧିତ ଖବର