ମୁଁ ଫିଟ୍‌ ଅଛି, ଖେଳିବାକୁ ପ୍ରସ୍ତୁତ: ସିନ୍ଧୁ

ନୂଆଦିଲ୍ଲୀ : କିଛି ଦିନ‌ ତଳେ ସାମାଜିକ ଗଣମାଧ୍ୟମରେ ‘ଅବସର ନେଉଛି’ ଲେଖି ନିଜ ସମର୍ଥକଙ୍କ ହୃତ୍‌ସ୍ପନ୍ଦନ ବଢ଼ାଇ ଦେଇଥିଲେ ଭାରତୀୟ ଟେନିସ ଲଳନା ପିଭି ସିନ୍ଧୁ। ହେଲେ ସେ ଖାଲି ସ୍ବାସ୍ଥ୍ୟଗତ ନୁହେଁ କୋର୍ଟକୁ ଓହ୍ଲାଇବାରେ ବି ପୂରା ଫିଟ୍‌ ଅଛନ୍ତି ବୋଲି ଶୁକ୍ରବାର ସୂଚନା ଦେଇଛନ୍ତି। ଏଥିସହ ଆଗାମୀ ପ୍ରତିଯୋଗିତାରେ ଖେଳିବା ଲାଗି ପ୍ରସ୍ତୁତ ବୋଲି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ହେଲା। ସଂଗେ ସଂଗେ ସବୁ କାର୍ଯ୍ୟକ୍ରମ ବନ୍ଦ ହୋଇଗଲା। ଏହି ସମୟ ଆମକୁ କିଭଳି ନିଜର ଯତ୍ନ ‌ନେଇପାରିବା ତାହା ଶିଖାଇଥିଲା। ଘରେ ରହିଲା ବେଳେ ମୁଁ ନିଜକୁ କ୍ରିୟାଶୀଳ କରିବାରେ ଲାଗିଥିଲି। ଯାହା ମୋତେ ବହୁତ ସାହାଯ୍ୟ କରିଥିଲା। ପରିବାରକୁ ସମୟ ଦେବା ସହ ମୋର ଯେଉଁଥିରେ ସଉକଥିଲା ‌ତାହା ମଧ୍ୟ କରିଥିଲି ବୋଲି ସିନ୍ଧୁ କହିଛନ୍ତି। ‌ଯେତେବେଳେ ଲକ୍‌ଡାଉନ୍‌ ଟିକେ ଟିକେ ଉଠିଲା ମୁଁ ଖେଳି ପାରିବି କି ନାହିଁ ସଂଦେହରେ ଥିଲି। ‌ହେଲେ ଅଭ୍ୟାସ କରିବା ‌ପରେ ପୂରା ଫିଟ୍‌ ହୋଇଯାଇଛି। ଖେଳିବା ପାଇଁ ପ୍ରସ୍ତୁତ ବି ଅଛି ବୋଲି ଅଲିମ୍ପିକ୍ ‌ରୌପ୍ୟ ବିଜୟିନୀ କହିଛନ୍ତି।

ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଲା। ଏଥିପାଇଁ କିପରି ପ୍ରସ୍ତୁତ ହେଉଛନ୍ତି ପ୍ରଶ୍ନରେ ସେ କହିଥିଲେ ଯେ ସାରା ବିଶ୍ବ କରୋନା କବଳରେ ରହିଛି। ଫଳରେ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ଆୟୋଜକ ବାଧ୍ୟ ହୋଇଥିଲେ। ଆମକୁ ମଧ୍ୟ ପ୍ରସ୍ତୁତ ହେବାକୁ ଅଧିକ ସମୟ ମିଳିଲା। ମୁଁ ବି ମାନସିକ ଓ ଭୌତିକ ଭାବେ ଏହି ବୃହତ ପ୍ରତିଯୋଗିତାରେ ଲଢ଼େଇ କରିବା ଲାଗି ପ୍ରସ୍ତୁତ ହେଉଛି। ଟୋକିଓ ଅଲିମ୍ପିକ୍ସରେ ନିଜର ଶ୍ରେଷ୍ଠ ଦେବା ଲାଗି ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି। ଏସୀୟ ପ୍ରତିଯୋଗିତାରେ କୋର୍ଟକୁ ଓହ୍ଲାଇବେ ବୋଲି ସିନ୍ଧୁ କହିଛନ୍ତି। ସଂପ୍ରତି ସିନ୍ଧୁ ଇଂଲଣ୍ଡର ଗାଟୋରାଡ୍‌ ସ୍ପୋର୍ଟ୍ସ ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ (ଜିଏସ୍‌ଏସ୍‌ଆଇ)ରେ ‌ରେବିକା ରାନ୍ଦେଲଙ୍କ ପାଖରେ ତାଲିମ ନେଉଛନ୍ତି।

ସମ୍ବନ୍ଧିତ ଖବର