ଲଣ୍ଡନ: ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ରେ ସବୁଠୁ କମ୍ ବୟସରେ ଗୋଟିଏ ପାଳିରେ ବ୍ୟକ୍ତିଗତ ଭାବେ ୧୫୦ରୁ ଅଧିକ ରନ୍ କରିବାର କୀର୍ତିମାନ ଭାରତୀୟ ଅଲ୍ରାଉଣ୍ଡର ତଥା ପୂର୍ବତନ ଅଧିକନାୟକ କପିଳ ଦେବ ୩୬ ବର୍ଷ ଧରି ନିଜ ନାମରେ ଅତୁଟ ରଖିଥିଲେ। ୧୯୮୩ ମସିହା ବିଶ୍ବକପ୍ରେ ଜିମ୍ବାୱେ ବିପକ୍ଷ ତାଙ୍କ ଅପରାଜିତ ୧୭୫ ରନ୍ ପାଳି ବେଳେ କପିଳଙ୍କୁ ମାତ୍ର ୨୪ ବର୍ଷ ବୟସ ହୋଇଥିଲା। ଏହି କୀର୍ତି ୩୬ ବର୍ଷ ଧରି ଅତୁଟ ରହିଥିଲା। ହେଲେ ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ୍ ଇମାମ୍ ଉଲ୍ ହକ୍ ମଙ୍ଗଳବାର ଏହି କୀର୍ତିକୁ ଭାଙ୍ଗି ଦେଇଛନ୍ତି। ବ୍ରିଷ୍ଟଲ୍ରେ ଘରୋଇ ଇଂଲଣ୍ଡ୍ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଇମାମ୍ ୧୩୧ ବଲ୍ରୁ ୧୫୧ ରନ୍ କରି କପିଳଙ୍କୁ ପଛରେ ପକାଇ ଦେଇଛନ୍ତି। ଇମାମ୍ ୨୩ ବର୍ଷ ୧୫୩ ଦିନ ବୟସରେ ଏହି ସ୍ମରଣୀୟ ପାଳି ଖେଳିଛନ୍ତି। ଏଥି ସହିତ ଇମାମ୍ ମଧ୍ୟ ନିଜର ପୂର୍ବ ବ୍ୟକ୍ତିଗତ ସର୍ବାଧିକ ସ୍କୋର୍କୁ ଟପି ଯାଇଥିଲେ। ଗତବର୍ଷ ବୁଲୱାୟୋରେ ଜିମ୍ବାୱେ ବିପକ୍ଷରେ ୧୨୮ ରନ୍ ଇମାମ୍ଙ୍କ ପୂର୍ବ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ଥିଲା। ଇମାମ୍ଙ୍କ ୧୫୧ ରନ୍ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଯେକୌଣସି ପାକିସ୍ତାନ ବ୍ୟାଟ୍ସମ୍ୟାନ୍ଙ୍କ ତୁଳନାରେ ସର୍ବାଧିକ। ଏକ୍ଷେତ୍ରରେ ସେ ଫକର ଜମାନ୍ଙ୍କୁ ଟପି ଯାଇଛନ୍ତି। ପାକ୍ ବ୍ୟାଟ୍ସମ୍ୟାନ୍ ଭାବେ ଫକର ଜମାନ୍ ସାଉଥମ୍ପ୍ଟନ୍ରେ କରିଥିବା ୧୩୮ ରନ୍ ମଙ୍ଗଳବାର ପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ଥିଲା।
କପିଳଙ୍କ ୩୬ ବର୍ଷର କୀର୍ତି ଭାଙ୍ଗିଲେ ଇମାମ୍
/sambad/media/post_attachments/wp-content/uploads/2019/05/Untitled-8-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)