ଆଇସିସି ‌‌ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ପ୍ରଥମ ଥର ଯୋଗଦେଲେ ଗାଙ୍ଗୁଲି

ଜୁଲାଇରେ ଅଧ୍ୟକ୍ଷ ନିର୍ବାଚନ ବିବାଦ ସମାଧାନ ସମିତିକୁ ଗଲା, ବିସିସିଆଇଠାରୁ କ୍ଷତିପୂରଣ ଆଦାୟ ବିବାଦ

ଦୁବାଇ: କରୋନା ଆତଙ୍କ ପାଇଁ ଟେଲିକନ୍‌ଫରେନସିଂ ଜରିଆରେ ବସିଥିବା ବୋର୍ଡ ବୈଠକରେ ଆଇସିସି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଆନୁଷ୍ଠାନିକ ଭାବେ ସ୍ବାଗତ କରିବା ସହ ଶୁକ୍ରବାରର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଥିଲା। ଗାଙ୍ଗୁଲି ପ୍ରଥମ ଥର ପାଇଁ ଆଇସିସି ବୋର୍ଡ ବୈଠକରେ ଯୋଗ ଦେଉଥିଲା ବେଳେ ନିଜ ତରଫରୁ ଏକାଧିକ ମହତ୍ବପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ।

ତେବେ କରୋନା ଆତଙ୍କ ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟଜନକ ପରିସ୍ଥିତିରେ ବିଶ୍ବ କ୍ରିକେଟ୍ କିଭଳି ଭାବେ ପ୍ରଭାବିତ ହୋଇଛି ଏବଂ ଏଥିନେଇ ଆଇସିସି ତରଫରୁ କି କି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି, ତାହା ହିଁ ବୈଠକର ମୁଖ୍ୟ ଆଲୋଚ୍ୟର ବିଷୟ ହୋଇଥିଲା। ତା’ ଛଡ଼ା ଆଇସିସି ଓ ବିସିସିଆଇ ମଧ୍ୟରେ ପୂର୍ବରୁ ଥିବା ୧୭୭ କୋଟି ଟଙ୍ଗାର କ୍ଷତିପୂରଣ ବିବାଦ ଏବଂ ଆଇସିସିର ପରବର୍ତୀ ଅଧ୍ୟକ୍ଷ ପାଇଁ ନିର୍ବାଚନ ତାରିଖ ଘୋଷଣା ନେଇ ମଧ୍ୟ ବିଚାର ବିମର୍ଶ ହୋଇଥିଲା। ଅଷ୍ଟ୍ରେଲିଆରେ ଚଳିତବର୍ଷ ଅକ୍ଟୋବର ମାସରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ନେଇ ମଧ୍ୟ ଚର୍ଚା କରାଯାଇଥିଲା। ଏହି ବିଷୟରେ ସୂଚନା ଦେବାକୁ ଯାଇ ଆଇସିସି କହିଛି ଯେ କରୋନା ସଙ୍କଟ ପାଇଁ ଅଷ୍ଟ୍ରେଲିଆ ସରକାର ଆସନ୍ତା ୬ ମାସ ପର୍ଯ୍ୟନ୍ତ ନିଜ ସୀମା ସିଲ୍ କରି ଦେଇଥିବାରୁ ପରିସ୍ଥିତି ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ମେ ମାସରେ ହେବାକୁ ଥିବା ବୋର୍ଡର ପରବର୍ତୀ ବୈଠକରେ ଏହାର ସମୀକ୍ଷା କରାଯିବ। ଜରୁରୀକାଳୀନ ପରିସ୍ଥିତି ଲାଗି ଯୋଜନା ପ୍ରସ୍ତୁତି କରିବା ସାଙ୍ଗକୁ ସଦସ୍ୟମାନଙ୍କ ସହ ମିଶି ଆଇସିସି ବିକଳ୍ପ ସଂଧାନ ଜାରି ରଖିବ ବୋଲି ବୈଠକ ପରେ ଆଇସିସିର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସୱାନୀ କହିଛନ୍ତି। ବିସିସିଆଇ ସହ ବିବାଦର ସମାଧାନ ପାଇଁ ମଧ୍ୟ ଆଇସିସି ପ୍ରଥମ ପଦକ୍ଷେପ ନେଇଛି। ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ବେଳେ ଭାରତ ସରକାରଠାରୁ ବିସିସିଆଇ ୨୩.୭ ନିୟୁତ ଡଲାର ବା ପାଖାପାଖି ୧୭୭ କୋଟି ଟଙ୍କା କର ରିହାତି ହାସଲ କରି ନପାରିବା ପରେ ଆଇସିସି କ୍ଷୁବ୍ଧ ହୋଇଥିଲା। ଫଳରେ କର ବାବଦରେ ଦିଆଯାଇଥିବା ଅର୍ଥ ବିସିସିଆଇଠାରୁ ଆଦାୟ କରିବାକୁ ଆଇସିସି ଏକତରଫା ଭାବେ ନିଷ୍ପତ୍ତି ନେଇଥିଲା। ବିସିସିଆଇ କିନ୍ତୁ ଏହାକୁ ମାନି ନଥିଲା। ସେଥିପାଇଁ ଗତ ଚାରି ବର୍ଷ ଧରି ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା। ନିକଟରେ ଲେଖିଥିବା ପତ୍ରରେ ବିସିସିଆଇ ରାଜସ୍ବ ଅଂଶରୁ ଏହି ରାଶିକୁ କାଟି ଦେବାକୁ ଆଇସିସି ଧମକ ଦେଇଥିଲା। ତା’ ସହ ଭାରତର ୨୦୨୩ ମସିହା ଟ୍ବେଣ୍ଟି-୨୦ ଆୟୋଜନ ଅଧିକାର ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ସଙ୍କେତ ଦେଇଥିଲା। ଏବେ କିନ୍ତୁ ଆଇସିସି ଟିକିଏ ନରମ ପଡ଼ିଛି ଏବଂ ବିସିସିଆଇ ଏହାକୁ ନୈତିକ ବିଜୟ ଭାବେ ଦେଖୁଛି। ଏହାର ସମାଧାନ ପାଇଁ ମଧ୍ୟ ଆଇସିସି ପକ୍ଷରୁ ପଦକ୍ଷେପ ନିଆଯାଇଛି। ୪ ବର୍ଷ ତଳର ଏହି ମାମଲାକୁ ବିବାଦ ସମାଧାନ ସମିତିକୁ ପଠାଇବାକୁ ବୋର୍ଡ ସଦସ୍ୟମାନେ ସହମତ ହୋଇଛନ୍ତି।

ଅଧ୍ୟକ୍ଷ ପଦ ଲାଗି ହେବାକୁ ଥିବା ନିର୍ବାଚନ ବିଷୟରେ ସୂଚନା ଦେବାକୁ ସାଇ ସୱାନୀ କହିଛନ୍ତି ଯେ ଆସନ୍ତା ଜୁଲାଇ ମାସରେ ଏହି ନିର୍ବାଚନ ‌ ଅନୁଷ୍ଠିତ ହେବ। ବର୍ତ୍ତମାନର ଅଧ୍ୟକ୍ଷ ଶଶାଙ୍କ ମନୋହର ନିଜ କାର୍ଯ୍ୟକାଳ ବଢ଼ାଇବା ସପକ୍ଷରେ ନଥିବାରୁ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜରିଆରେ ପରବର୍ତୀ ଅଧ୍ୟକ୍ଷ ନିର୍ବାଚନ କରିବାକୁ ଆଇସିସି ଯାଇଛି। ଏହି ନିର୍ବାଚନରେ ବିସିସିଆଇ ସହ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ ପ୍ରମୁଖ ଭୂମିକା ନେବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର